କେନ୍ଦ୍ରୀୟ ସହାୟତାରୁ ୮ ଯୋଜନା ବାଦ୍‌

ଭୁବନେଶ୍ବର : ‌ଗତ ୪ ବର୍ଷ ହେଲା ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ୮ଟି ଯୋଜନାକୁ କେନ୍ଦ୍ର ସହାୟତା ପ୍ରଦାନ ବନ୍ଦ କରିଦେଇଛି। ୨୦୧୫-୧୬ ଆର୍ଥିକ ବର୍ଷରୁ ରାଜ୍ୟ ଏସବୁ ଯୋଜନା ବାବଦରେ ଆଉ ସହାୟତା କେନ୍ଦ୍ର ସରକାରଙ୍କଠାରୁ ଓଡ଼ିଶା ପାଉନାହିଁ। କେନ୍ଦ୍ର ସରକାର କେବଳ ଏହି ୮ଟି ଯୋଜନାର ସହାୟତା ବନ୍ଦ କରିନାହିଁ, ଅନେକ ଯୋଜନାର ଅନୁଦାନ ଅନୁପାତ ୬୦:୪୦ କରିଦେଇଛି। ବାଲିଗୁଡ଼ାର ବିଜେଡି ବିଧାୟକ ଚକ୍ରମଣି କହଁରଙ୍କ ଏକ ପ୍ରଶ୍ନର ଉତ୍ତରରେ ଯୋଜନା ଓ ‌ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ବିଧାନସଭାରେ ଏହି ସୂଚନା ଦେଇଛନ୍ତି।

ଗୃହରେ ପ୍ରଦାନ ଯାଇଥିବା ପରିଶିଷ୍ଟରୁ ଜଣାଯାଇଛି, ବନ୍ଦ ହୋଇଯାଇଥିବା ୮ଟି ଯୋଜନା ହେଲା ଏନଇଜିଏପି, ପଛୁଆ ଅଞ୍ଚଳ ଅନୁଦାନ ପାଣ୍ଠି, ପୁଲିସ ଓ ଅନ୍ୟାନ୍ୟ ସୁରକ୍ଷାବଳ(ଭିତ୍ତିଭୂମି ବାବଦ)ର ଆଧୁନିକୀକରଣ ପାଇଁ ଜାତୀୟ ସ୍କିମ୍‌, ରାଜୀବ ଗାନ୍ଧୀ ପଞ୍ଚାୟତ ସଶକ୍ତୀକରଣ ଅଭିଯାନ(ଆରଜିପିଏସଏ), ରପ୍ତାନି ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟକୁ ସହାୟତା (ଏସାଇଡ), ଉତ୍କର୍ଷ ମାନଦଣ୍ଡ ଆଧାରରେ ବ୍ଲକ୍ ସ୍ତରରେ ୬୦୦୦ ଆଦର୍ଶ ବିଦ୍ୟାଳୟ ସ୍ଥାପନ ଯୋଜନା, ଜାତୀୟ ଖାଦ୍ୟ ପ୍ରକ୍ରିୟାକରଣ ମିସନ ଏବଂ ପର୍ଯ୍ୟଟନ ଭିତ୍ତିଭୂମି। ୮ଟି ଯୋଜନା ମଧ୍ୟରୁ ବିଆର୍‌ଜିଏଫ୍‌ ବା ପଛୁଆ ଅଞ୍ଚଳ ଅନୁଦାନ ପାଣ୍ଠି ଯୋଜନା ଅଧୀନରେ ନକ୍ସଲ ଅଞ୍ଚଳ ପାଇଁ ସମନ୍ବିତ କାର୍ଯ୍ୟାନ୍ବୟନ ଯୋଜନା (ଆଇଏପି), ପଛୁଆ ଅଞ୍ଚଳ ଅନୁଦାନ ପାଣ୍ଠି (ଜିଲ୍ଲାର ଅଂଶ) ଏବଂ ବିଆର୍‌ଜିଏଫ୍‌ର ରାଜ୍ୟ ଅଂଶ (କେବିକେ) ଅନ୍ତର୍ଭୁକ୍ତ ରହିଛି। ୨୦୧୫-୧୬ ଆର୍ଥିକ ବର୍ଷ ବଜେଟ୍‌ରେ କେନ୍ଦ୍ରୀୟ ସହାୟତା ବାବଦରେ ୧୮୫୪.୦୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା ବୋଲି ମନ୍ତ୍ରୀ ଦେଇଥିବା ସୂଚନାରୁ ଜଣାଯାଇଛି।

ବିଧାୟକ ଶ୍ରୀ କହଁରଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ବେହେରା ୨୦୧୯-୨୦ ଆର୍ଥିକ ବର୍ଷର ଜୁଲାଇ ୯ ତାରିଖ ସୁଦ୍ଧା ରାଜ୍ୟ ଯୋଜନାକୁ କେନ୍ଦ୍ରୀୟ ସହାୟତା (ସିଏଏସପି)/କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା (ସିଏସ୍‌ଏସ୍‌) ବାବଦରେ ମିଳିଥିବା ରାଶି ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଥିଲେ। ମନ୍ତ୍ରୀ କହିଥିଲେ କେନ୍ଦ୍ର ସରକାର (ଏନ୍‌ଏସ୍‌ଏପି( ଅନ୍ନପୂର୍ଣ୍ଣା) ଯୋଜନା, ସମ୍ବିଧାନର ଧାରା ୨୭୫(୧), ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଏବଂ ଆଦିବାସୀ ଗବେଷଣା ପ୍ରତିଷ୍ଠାନ ପାଇଁ ସହାୟତା ବାବଦରେ କେନ୍ଦ୍ର ସରକାର ୧୦୦ ପ୍ରତିଶତ ସହାୟତା ପ୍ରଦାନ କରିଛନ୍ତି। ଏନ୍‌ଏସ୍‌ଏପି(ଅନ୍ନପୂର୍ଣ୍ଣା) ଯୋଜନା ବାବଦରେ ୧୭,୩୦୬.୫୦ କୋଟି, ଧାରା ୨୭୫(୧) ବାବଦରେ ୮୭୮.୭୨ କୋଟି , ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ବାବଦରେ ୪୦ କୋଟି ଏବଂ ଆଦିବାସୀ ଗବେଷଣା ପ୍ରତିଷ୍ଠାନକୁ ସହାୟତା ବାବଦରେ ୫୮୫.୦୩ କୋଟି ଟଙ୍କା ମିଳିଛି।

ଅନ୍ୟପକ୍ଷରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (‌ଆରକେଭିୱାଇ), ଜାତୀୟ ଖାଦ୍ୟ ସୁରକ୍ଷା ମିସନ (ଏନଏଫଏସଏମ), ସ୍ବଚ୍ଛ ଭାରତ ଅଭିଯାନ, ଜାତୀୟ ସ୍ବାସ୍ଥ୍ୟ ମିସନ (ଏନ୍‌ଏଚ୍‌ଏମ୍‌), ମଧ୍ୟାହ୍ନ ଭୋଜନ (ଏମ୍‌ଡିଏମ୍‌), ସମନ୍ବିତ ଶିଶୁ ବିକାଶ ସେବା (ଆଇସିଡିଏସ୍‌) ଆଇଜିଏମଏସୱାଇ ସମେତ ମହିଳା ସଶକ୍ତୀକରଣ ମିସନ, ମହିଳା ଏବଂ ଶିଶୁ ଚାଲାଣକୁ ରୋକିବା ପାଇଁ ଉଦ୍ଦିଷ୍ଟ ଯୋଜନା, ଆଇସିପିଏସ ଏବଂ ମତ୍ସ୍ୟ ପରିଚାଳନା ବା ନୀଳ ବିପ୍ଳବ ଭଳି ଯୋଜନା ବାବଦରେ କେନ୍ଦ୍ର ୬୦ ପ୍ରତିଶତ ଅର୍ଥ ଯୋଗାଉଥିବାବେଳେ ରାଜ୍ୟ ୪୦ ପ୍ରତିଶତ ଅର୍ଥ ପ୍ରଦାନ କରୁଛି। ଏହାବ୍ୟତୀତ ମନରେଗା ବାବଦରେ କେନ୍ଦ୍ର ୭୫ ପ୍ରତିଶତ ଏବଂ ରାଜ୍ୟ ୨୫ ପ୍ରତିଶତ ଅର୍ଥ ପ୍ରଦାନ କରୁଥିବାବେଳେ କିଶୋରୀଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ସବଳା, ରାଷ୍ଟ୍ରୀୟ ପୁନରୁଦ୍ଧାର ମିସନ (ଅମୃତ) ଏବଂ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମିସନ (ସ୍ମାର୍ଟ ସିଟି) ବାବଦରେ କେନ୍ଦ୍ର ଏବଂ ରାଜ୍ୟର ଅଂଶ ଯଥାକ୍ରମେ ୫୦ ପ୍ରତିଶତ ଲେଖାଏଁ ରହିଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର