ଓଡ଼ିଶାରେ ନିର୍ବାଚନ ଫଳାଫଳ ନେଇ ସିଇଓଙ୍କ ଘୋଷଣା : ଲୋକସଭାରେ ୧୨ ବିଜେଡି, ୮ ବିଜେପି ଓ ୧ କଂଗ୍ରେସ

୧୧୨ଟି ବିଧାନସଭା ଆସନ ପାଇ ବିଜେଡି ଏକକ ସଂଖ୍ୟାଗରିଷ୍ଠ ଦଳ, କଂଗ୍ରେସକୁ ୯ ଓ ବିଜେପି ୨୩ ଆସନରେ ବିଜୟୀ, ଶାନ୍ତିଶୃଙ୍ଖଳା ସହ ନିର୍ବାଚନ ପରିଚାଳନା

ଭୁବନେଶ୍ବର : ୨୦୧୯ ନିର୍ବାଚନରେ ୧୧୨ଟି ବିଧାନସଭା ଆସନରେ ବିଜୟ ଲାଭ କରିଛି ବିଜୁ ଜନତା ଦଳ। ଗତକାଲି ଭୋଟଗଣତି ପରେ ନିର୍ବାଚନ କମିସନଙ୍କ ପକ୍ଷରୁ ଆଜି ବିଦ୍ଧିବଦ୍ଧ ଭାବେ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ଫଳାଫଳ ନେଇ ଘୋଷଣା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର। ଏହାସହିତ ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ହେବା ପରଠୁ ନିର୍ବାଚନ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବାରେ ସମସ୍ତଙ୍କ ସହଯୋଗ ପାଇଁ ଭୋଟର, ସମସ୍ତ କର୍ମଚାରୀ, ନେତା ଓ ଗଣମାଧ୍ୟମକୁ ଶ୍ରୀ କୁମାର ଧନ୍ୟବାଦ ଦେଇଛନ୍ତି।

ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ କୁମାର କହିଛନ୍ତି ଆସିକା, ବ୍ରହ୍ମପୁର, ଭଦ୍ରକ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ନବରଙ୍ଗପୁର ଓ ପୁରୀ ଲୋକସଭା ଆସନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟ ଲାଭ କରିଥିବାବେଳେ ବାଲେଶ୍ବର, ବରଗଡ଼, ଭୁବନେଶ୍ବର, ବଲାଙ୍ଗୀର, କଳାହାଣ୍ଡି, ମୟୁରଭଞ୍ଜ,ସମ୍ବଲପୁର ଓ ସୁନ୍ଦରଗଡ଼ ଲୋକସଭା ଆସନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କେବଳ କୋରାପୁଟ ଲୋକସଭା ଆସନଟିରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ଘୋଷିତ ହୋଇଛନ୍ତି।

ସେହିପରି ୧୪୬ ବିଧାନସଭା ଆସନରୁ ବିଜେପିକୁ ୨୩ଟି ଆସନ, କଂଗ୍ରେସ ୯ଟି, ବଣାଇ ଆସନରେ ସପିଏମ ପ୍ରାର୍ଥୀ ବିଜୟ ଲାଭ କରିଥିବାବେଳେ ରାୟଗଡ଼ା ବିଧାନସଭା ଆସନରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ଘୋଷିତ ହୋଇଛନ୍ତି। ନିର୍ବାଚନ ଫଳାଫଳ ଅନୁଯାୟୀ ୧୧୨ଟି ବିଧାନସଭା ଆସନ ପାଇ ବିଜୁ ଜନତା ଦଳ ପୁଣି ଥରେ ସରକାର ଗଠନ ପାଇଁ ସଂଖ୍ୟା ଗରିଷ୍ଠତା ପାଇଛି ବୋଲି ଶ୍ରୀ କୁମାର କହିଛନ୍ତି। ଆସନ୍ତାକାଲି ସୁଦ୍ଧା ବିଜୟୀ ପ୍ରାର୍ଥୀଙ୍କ ପାଇଁ ବିଦ୍ଧିବଦ୍ଧ ଭାବେ ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସିଇଓ କହିଛନ୍ତି।

ଚଳିତଥର ନିର୍ବାଚନ ପ୍ରକ୍ରିୟା ଶାନ୍ତିଶୃଙ୍ଖଳା ସହ ଶେଷ ହୋଇଛି। ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରଠୁ ନିର୍ବାଚନ ପ୍ରକ୍ରିୟାରେ ସାମିଲ ସିଓଙ୍କ କାର୍ଯ୍ୟାଳୟ ଅଫିସର ଓ କର୍ମଚାରୀଙ୍କଠୁ ଆରମ୍ଭ କରି ଜିଲ୍ଲା ସ୍ତରରେ ନିୟୋଜିତ ରିଟର୍ଣ୍ଣିଂ ଅଫିସର, କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ କରିଥିଲେ। ଏତେବଡ଼ ପ୍ରକ୍ରିୟା ଶୃଙ୍ଖଳିତ ଭାବେ ଶେଷ ହୋଇଥିବାରୁ ସମସ୍ତ ଅଧିକାରୀ, କର୍ମଚାରୀ ଓ ରାଜନୈତିକ ଦଳର ନେତାମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଧନ୍ୟବାଦ ଜଣାଇଛନ୍ତି। ଦୀର୍ଘ ଦିନ ଧରି ନିର୍ବାଚନ ସଂକ୍ରାନ୍ତ ଖବର ଗଣମାଧ୍ୟମ ପ୍ରଚାର ପ୍ରସାର କରି ସାଧାରଣ ଲୋକଙ୍କୁ ସଚେତନ କରିଥିବାରୁ ଗଣମାଧ୍ୟମକୁ ସାଧୁବାଦ ଜଣାଇବା ପ୍ରଚଣ୍ଡ ଖରାରେ ରାଜ୍ୟର ଭୋଟର ଭାଇଭଉଣୀମାନେ ବହୁ ସଂଖ୍ୟାରେ ମତଦାନ ଅଧିକାର ସାବ୍ୟସ୍ତ କରିଥିବାରୁ ନିର୍ବାଚନ କମିସନଙ୍କ ତରଫରୁ ସମସ୍ତଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଧନ୍ୟବାଦ ଜଣାଇଥିଲେ। ଆଗାମୀ ଦିନରେ ଇଭିଏମ ଓ ଭିଭିପାଟ ଦ୍ବାରା ଭୋଟଗଣତି କିପରି ଆହୁରି ଶୀଘ୍ର ହୋଇପାରିବ ସେ ନେଇ ଏହି ନିର୍ବାଚନରୁ ମିଳିଥିବା ଅନୁଭୁତି ଆଧାରରେ କମିସନଙ୍କୁ ସୁପାରିସ କରାଯିବ ଶ୍ରୀ କୁମାର ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର