ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ତରଫରୁ କଟକ-ଭୁବନେଶ୍ୱରରେ ଚକା ଜାମ୍‌: ଅଟକି ରହିଛି ଶହ ଶହ ଗାଡ଼ି

ଭୁବନେଶ୍ୱର: ଦେଶରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ  ତରଫରୁ ପ୍ରତିବାଦ ପ୍ରଦର୍ଶନପୂର୍ବକ କଟକ ଓ ଭୁବନେଶ୍ୱରାରେ ସମସ୍ତ ଯାନବାହନ ଚଳାଚଳ ସକାଳ ୬ଟାରୁ ଦିନ ୧୨ଟା ଅର୍ଥାତ୍‌ ୬ ଘଣ୍ଟା ଯାଏଁ ବନ୍ଦ ରଖାଯାଇଛି।

ମିଳିଥିବା ସୂଚନା ଅନୁସାରେ, କଂଗ୍ରେସ କର୍ମୀମାନେ ଉଭୟ ସହରକୁ ସଂଯୋଗ କରୁଥିବା ରାଜପଥର ଓ ସହର ମଧ୍ୟସ୍ଥ ବଡ଼ ବଡ଼ ଛକ ଜାଗାମାନଙ୍କରେ ବ୍ୟାନର୍‌ ଓ ପତାକା ଧରି ରାସ୍ତା ଅବରୋଧ କରିବା ସହ ଠାଏ ଠାଏ ଟାୟାର ଜାଳି ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି।

କଟକର କାଠଯୋଡ଼ି ପୋଲ ଉପରୁ ଜଗତ୍‌ପୁର ଯାଏଁ ଯାତ୍ରୀବାହୀ ବସ୍‌, ଟ୍ରକ୍‌ ଓ ଅନ୍ୟାନ୍ୟ ଗାଡ଼ି ମଟର ଅଟକି ରହିଛି। ଦୂରଗାମୀ ବସ୍‌ରେ ଆସୁଥିବା ଯାତ୍ରୀମାନେ ବଡ଼ ହଟହଟା ହେଉଛନ୍ତି। କଟକରେ ପାଞ୍ଚ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯାଇଛି।

ଭୁବନେଶ୍ୱରର ପ୍ରାୟ ୩୭ଟି ଛକରେ କଂଗ୍ରେସ ପାର୍ଟିର କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ବାଣୀବିହାର, ଏଜି ଛକ, ରସୁଲଗଡ଼, ଖଣ୍ଡଗିରି ଛକରେ କଂଗ୍ରେସ କର୍ମୀମାନେ ପିକେଟିଂ କରୁଥିବା ଜଣାପଡ଼ୁଛି।

ଦେଶରେ ତୈଳ ଦର ବୃଦ୍ଧି ବିରୋଧରେ ପ୍ରତିବାଦ ଜଣାଇବାକୁ ଲୋକେ ଆଜି ସକାଳ ୬ଟାରୁ ଦିନ ୧୨ଟା ଯାଏଁ ତୈଳଯାନ ବ୍ୟବହାର ନ କରିବାକୁ ପିସିସି ପକ୍ଷରୁ ନିବେଦନ କରାଯାଇଥିଲା।

ସମ୍ବନ୍ଧିତ ଖବର