ଆରପାରିରେ ଚକ୍ରଧର ସାହୁ

ଭୁବନେଶ୍ବର : ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ ତଥା ସମ୍ପାଦକ ଚକ୍ରଧର ସାହୁଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଦୀର୍ଘ ୬ ବର୍ଷ ଧରି ସେ ଫୁସ୍‌ଫୁସ୍‌ ସଂକ୍ରମଣଜନିତ ରୋଗରେ ପୀଡ଼ିତ ଥିଲେ। ଭୁବନେଶ୍ବରସ୍ଥିତ ଏମ୍‌ସ୍‌‌ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ପ୍ରାୟ ୫ଟା ୪୫ ମିନିଟ୍‌ରେ ତାଙ୍କର ପରଲୋକ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ସଙ୍ଗୀତା ସାହୁ ଉପସ୍ଥିତ ଥିଲେ। ସତ୍ୟନଗର ମଶାଣିରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏକମାତ୍ର ପୁତ୍ର ଆଦିତ୍ୟ ସାହୁ ମୁଖାଗ୍ନି ଦେଇଥିଲେ। ତାଙ୍କ ପରଲୋକରେ ଓଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି।

ଟିଟିଲାଗଡ଼ରେ ୧୯୬୧ ଫେବୃଆରି ୧୯ ତାରିଖରେ ସ୍ବର୍ଗତ ସାହୁଙ୍କ ଜନ୍ମ। ବାପା ସ୍ବର୍ଗତ ନାଭ ସାହୁ ଓ ମା’ କଷଣୀ ସାହୁ। ଉତ୍କଳ ବିଶ୍ବବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରି ହାସଲ ପରେ ସେ ୧୯୮୬ରେ ପୁନେସ୍ଥିତ ‘ଫିଲ୍ମ ଆଣ୍ଡ୍‌ ଟେଲିଭିଜନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ରେ ନାମ ଲେଖାଇଥିଲେ। ୧୯୮୮ରେ ଏହି ଅନୁଷ୍ଠାନରୁ ଉତ୍ତୀର୍ଣ୍ଣ ହେବା ପରେ ଟିଭି ଧାରାବାହିକ ଜଗତରେ ପାଦ ଦେଇଥିଲେ ସ୍ବର୍ଗତ ସାହୁ। ବଲିଉଡ୍‌ର ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ରାଜକୁମାର ହିରାନୀ (ଶ୍ରୀ ସାହୁଙ୍କ ସହପାଠୀ) ତାଙ୍କୁ ଶ୍ୟାମ ବେନେଗାଲଙ୍କ ‘ଭାରତ ଏକ ଖୋଜ’ ଧାରାବାହିକରେ ସହ-ସମ୍ପାଦକ ଭାବେ କାମ କରିବାକୁ ଅଫର ଦେଇଥିଲେ। ଏହି ଧାରାବାହିକ ପରେ ସେ ସିପି ଫିଲ୍ମସ୍‌ ବ୍ୟାନରରେ ‘ପଥର କେ ଫୁଲ’, ତ୍ରିମୂର୍ତ୍ତି ଫିଲ୍ମସ୍‌ର ‘ବିଶ୍ବତ୍ମା’ରେ ମଧ୍ୟ ସହ-ସମ୍ପାଦକ ଭାବେ ଦାୟିତ୍ବ ତୁଲାଇଥିଲେ। ପରେ ବଲିଉଡ୍‌ର ନାମୀଦାମୀ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ତଥା ଦୂରଦର୍ଶନରେ ପ୍ରସାରିତ ଧାରାବାହିକ ‘ଜମିନ୍‌ ଆସ୍‌ମାନ୍‌’ରେ ସ୍ବାଧୀନ ଭାବେ ସମ୍ପାଦନାର ଦାୟିତ୍ବ ତୁଲାଇ ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ପରେ ପରେ ଶିଶୁ ଚଳଚ୍ଚିତ୍ର ‘କରାମତୀ କୋଟ’ ଓ ଓଡ଼ିଆ ଚଳଚ୍ଚିତ୍ର ‘ଇନ୍ଦ୍ରଧନୁର ଛାଇ’ରେ ସମ୍ପାଦନା କାର୍ଯ୍ୟ ତୁଲାଇଥିଲେ।

୧୯୯୬ରୁ ଆରମ୍ଭ ହୁଏ ତାଙ୍କ ନିର୍ଦ୍ଦେଶନା କ୍ୟାରିୟର୍। ତାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ନୀଳମାଷ୍ଟ୍ରାଣୀ’ ଓଲିଉଡ୍‌ରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲା। ୫ଟି ଭିନ୍ନ ଭିନ୍ନ ବିଭାଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ଏହି ଚଳଚ୍ଚିତ୍ର। ପରେ ପରେ ‘ତୁମକୁ ପାରୁନି ତ ଭୁଲି’, ‘କେବେ ତୁମେ ନାହଁ କେବେ ମୁଁ ନାହିଁ’ ଓ ‘ମୀମାଂସା’ ଆଦି ଚଳଚ୍ଚିତ୍ର ନିର୍ମାଣ କରି ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ସ୍ବତନ୍ତ୍ର ସ୍ବାକ୍ଷର ଛାଡ଼ି ଯାଇଛନ୍ତି।

ଚକ୍ରଧର ସାହୁଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର