ନବୀନଙ୍କ ପ୍ରଥମ ଓ ପଞ୍ଚମ ପାଳିର ଚାଲେଞ୍ଜ : ମହାବାତ୍ୟା ଓ ଫନି ଏବଂ ପାଟକୁରା ଉପନିର୍ବାଚନ

ଭୁବନେଶ୍ୱର (ସୁବ୍ରତ ଦାସ):ପ୍ରଳୟଙ୍କରୀ ବାତ୍ୟା ‘ଫନିି’ ପରବର୍ତ୍ତୀ ଉଦ୍ଧାର, ରିଲିଫ୍‌ ଓ ପୁନର୍ଗଠନ କାର୍ଯ୍ୟ ନବୀନ ସରକାର ଏକ ଲାଗି ଚାଲେଞ୍ଜ ସୃଷ୍ଟି କରିଛି।
ଆଗକୁ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରାରେ ଉପନିର୍ବାଚନ ଥିବାରୁ ବାତ୍ୟାକୁ କିପରି ମୁକାବିଲା କରାଯାଉଛି ତାହା ଉପରେ ଉପନିର୍ବାଚନ ଫଳାଫଳ ଅନେକଟା ନିର୍ଭର କରୁଛି ବୋଲିି ରାଜନୈତିକ ବିଶାରଦମାନଙ୍କର ମତ। ଗତ ୧୯୯୯ ମହାବାତ୍ୟା ପରବର୍ତ୍ତୀ ପରିସ୍ଥିତି ମୁକାବିଲା ଗତ ୨୦୦୦ ସାଧାରଣ ନିର୍ବାଚନ ବେଳେ ଏକ ମୁଖ୍ୟ ପ୍ରସଙ୍ଗ ଥିଲା।

ସେତେବେଳେ ଗିରିଧାରୀ ଗମାଙ୍ଗ ସରକାର ଏବଂ ପରେ ପରେ ହେମାନନ୍ଦ ବିଶ୍ୱାଳ ସରକାର ପରିସ୍ଥିତିର ମୁକାବିଲା କରିବାରେ ବିଫଳ ହେବାକୁ ଏହା ବ୍ୟାପକ ଜନ ଅସନ୍ତୋଷ ସୃଷ୍ଟି କରିଥିଲା। ଏହି ଜନ ଅସନ୍ତୋଷର ଫାଇଦା ନେଇ ବିଜେଡି-ବିଜେପି ମେଣ୍ଟ ୨୦୦୦ ମସିହାରେ କ୍ଷମତାକୁ ଆସିଥିଲେ।

ମହାବାତ୍ୟା ରାଜ୍ୟର ୧୪ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି କରିଥିଲା। ଯେଉଁଥିରେ ୧୦ ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତିିଙ୍କର ପ୍ରାଣହାନୀ ଘଟିଥିଲା। ରାଜ୍ୟର କେବଳ ଭୌଗୋଳିକ କ୍ଷତି ନୁହେଁ ,ଅର୍ଥନୀତି ମଧ୍ୟ ଦେବାଳିଆ ଅବସ୍ଥାକୁ ଆସଯାଇଥିଲା। ଅନେକ ସମୟରେ ଓଭରଡ୍ରାଫ୍ଟ ଋଣ କରି ସରକାରଙ୍କୁ ରାଜ୍ୟ ଚଳାଇବାକୁ ହୋଇଥିଲା। ଏହି ଅର୍ଥନୈତିକ ଚାପ କାରଣରୁ ରାଜ୍ୟ ସରକାରଙ୍କୁ ନିଯୁକ୍ତି ଉପରେ କଟକଣା ଜାରି କରିବା ପାଇଁ କେନ୍ଦ୍ର ସରକାର ଏବଂ ବ୍ରିଟିଶ ସରକାରଙ୍କ ଅନ୍ତର୍ଜାତୀୟ ବିକାଶ ବିଭାଗ(ଡି.ଏଫ୍‌.ଆଇ.ଡି)ସହ ଏକ ରାଜିନାମା ସ୍ୱାକ୍ଷର କରିବାକୁ ପଡିଥିଲା।

ଏହାର ପୃଷ୍ଠଭୂମିରେ ନବୀନ ପଟ୍ଟନାୟକ ସରକାର ୨୦୦୦ ମସିହାରେ କ୍ଷମତାକୁ ଆସିଲା। ମହାବାତ୍ୟା ପରବର୍ତ୍ତୀ ଅର୍ଥନୈତିକ ପରିଚାଳନାରେ ସଫଳତା ନବୀନ ପଟ୍ଟନାୟକଙ୍କ ସପକ୍ଷରେ ଜନମତ ସୃଷ୍ଟି କରିଥିଲା

ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ।ଏହା ପ୍ରାୟ ପ୍ରତିବର୍ଷ ବର୍ଷା,ବାତ୍ୟା,ବନ୍ୟା ବା ମରୁଡ଼ି କବଳିତ ହୋଇଥାଏ ।୧୯୯୯ ମହାବାତ୍ୟା ପରେ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଓ.ଏସ.ଡି.ଏମ୍‌.ଏ)ଗଠନରେ ଓଡ଼ିଶା ପ୍ରଥମ। ପରେ ଓଡ଼ିଶା ମଡ଼େଲ କେନ୍ଦ୍ର ସରକାର ଅନୁସରଣ କରି ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଗଠନ କରିଥିଲେ ଏବଂ ବିପର୍ଯ୍ୟୟ ପରିଚାଳନା ନୀତି ପ୍ରଣୟନ କରିଥିଲେ।
ପରେ ୨୦୧୩ ମସିହାରେ ‘ହୁଡ୍‌ହୁଡ୍‌’ବାତ୍ୟା ସୁପରିଚାଳନା ପାଇଁ ରାଜ୍ୟ ସରକାର ମିଳିତ ଜାତିସଂଘ ଦ୍ୱାରା ପ୍ରଶଂସିତ ହୋଇଥିଲେ।
ଏଥର ମଧ୍ୟ ‘ଫନିି’ ବାତ୍ୟା ଆସିବା ପୂର୍ବରୁ ରାଜ୍ୟ ସରକାର ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ସହ ନିରାପଦ ଆଶ୍ରୟ ସ୍ଥଳକୁ ବିପଜ୍ଜନକ ସ୍ଥାନରୁ ସ୍ଥାନାନ୍ତର ଉପରେ ଗୁରୁତ୍ୱ ଦେଇଥିଲେ। ସମ୍ବାଦପତ୍ର,ଟେଲିଭିଜନ,ଇଣ୍ଟରନେଟ୍‌ ଏବଂ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ଜରିଆରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ଘନ ଘନ ବାର୍ତ୍ତା ପ୍ରଚାର କରିଥିଲେ। ଚବିଶ ଘଣ୍ଟା ମଧ୍ୟରେ ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଏହି ସବୁ ପ୍ରତିଷେଧକମୂଳକ ପଦକ୍ଷେପ ଯୋଗୁଁ ଏଥର ମୃତ୍ୟୁ ସଂଖ୍ୟା ୧୯୯୯ ମହାବାତ୍ୟା ତୁଳନାରେ ବହୁତ କମ୍‌ ହୋଇଥିଲେ ମଧ୍ୟ ବହୁ ଚାଲେଞ୍ଜ୍‌ ରହିଛି। ହଜାର ହଜାର ଗଛ ଓ ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିଥିବାରୁ ଜଳ ଓ ବିଦ୍ୟୁତ୍‌ ଯୋଗାଣ ,ରାସ୍ତା ଯୋଗାଯୋଗ ଏବଂ ଟେଲିଯୋଗାଯୋଗ ବ୍ୟାହତ ହୋଇଛି। ଏସବୁ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ରାଜ୍ୟ ପ୍ରଶାସନ ପକ୍ଷରେ ଏକ ଚାଲେଞ୍ଜ୍‌ ରୂପେ ଠିଆ ହୋଇଛି।

ପୁରୀ, ଖୋର୍ଦ୍ଧା ଓ ଅନ୍ୟାନ୍ୟ ବହୁ ଜିଲ୍ଲାରେ ବ୍ୟାକ କ୍ଷୟକ୍ଷତି ହୋଇଛି। ରାଜଧାନୀ ଭୁବନେଶ୍ୱରରେ ୧୯୯୯ ମହାବାତ୍ୟା ଭଳି ବ୍ୟାପକ କ୍ଷୟକ୍ଷତି ହୋଇଛି ବୋଲି ଲୋକେ କୁହାକୁହି ହେଉଛନ୍ତି। ଏଠାରେ କେତେ ଶୀଘ୍ର ବିପର୍ଯ୍ୟସ୍ତ ଯୋଗାଯୋଗ ବ୍ୟବସ୍ଥାର ପୁନରୁଦ୍ଧାର ହୋଇପାରୁଛି, ତାହା ରାଜ୍ୟର ଜନମତ ଉପରେ ପ୍ରଭାବ ପକାଇବ।

ପାଟକୁରାରେ ଆସନ୍ତା ୧୯ ତାରିଖ ଦିନ ଉପନିର୍ବାଚନ ହେବାକୁ ଥିବାରୁ ସେହି ଅଂଚଳରେ ଖୁବ୍‌ ପ୍ରଶାସନିକ ତତ୍ପରତା ଦେଖାଦେଇଛି। ସରକାରୀ ଦଳ ପାଟକୁରାରେ ଆଗତୁରା ପହଞ୍ଚ ଉଦ୍ଧାର, ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛି। ଅନ୍ୟ ପକ୍ଷରେ ବିରୋଧୀ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ‘ଫନିି’ପରବର୍ତ୍ତୀ ପରିସ୍ଥିତି ମୁକାବିଲାରେ କେଉଁଠି ଫାଙ୍କ ରହିଛି ସେଥିପ୍ରତି ନଜର ରଖିଛନ୍ତି। ତେଣୁ ପାଟକୁରା ଉପନିର୍ବାଚନ ଓ ଫନିର ପରିଚାଳନାର ଗଭୀର ସଂପର୍କ ରହିଛି ବୋଲି ରାଜନୈତିକ ପଣ୍ଡିତମାନେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର