ଚଳଚ୍ଚିତ୍ର ‘ଚଲୋ ଜିତେ ହେଁ’ ପ୍ରଦର୍ଶିତ : ମୋଦୀଙ୍କୁ କୃଷ୍ଣ, ଶିବାଜୀଙ୍କ ସହ ତୁଳନା କଲେ ରାଜ୍ୟପାଳ

ଭୁବନେଶ୍ୱର : ପର ପାଇଁ ବଞ୍ଚିବା ହିଁ ଜୀବନର ସାର୍ଥକତା। ସ୍ୱାମୀ ବିବେକାନନ୍ଦଙ୍କ ଏହି ବାଣୀ ହିଁ ବାଲ୍ୟକାଳରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଭାବିତ କରିଥିଲା। ତେଣୁ ୧୨ ବର୍ଷ ବୟସରୁ ସେ ଏହି ମହାନ୍‌ ମନ୍ତ୍ରକୁ ନିଜ ଜୀବନରେ ବ୍ରତଭାବେ ଧାରଣ କରିବେ ବୋଲି ପଣ କରିଥିଲେ ଓ ଆଜି ତାହା ତାଙ୍କ ଶାସନରେ ପ୍ରତିଫଳିତ ହେଉଛି। ଦେଶ ମାତୃକାର ସେବା ଗରିବ ମଣିଷ ସେବାରେ ଥାଏ ବୋଲି ସେ ଆଜି ସମଗ୍ର ବିଶ୍ୱକୁ ଦେଖାଇ ଦେଇଛନ୍ତି। ସେଥିପାଇଁ ମୋଦି ଆଜି ସମଗ୍ର ବିଶ୍ୱର ଜଣେ ଅଦ୍ୱିତୀୟ ଜନନେତାଭାବେ ପରିଗଣିତ ହେଉଛନ୍ତି। ଆଜି ସୋଆ ପ୍ରେକ୍ଷାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟକାଳ ଉପରେ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ‘ଚଲୋ ଜିତେ ହେଁ’ ପ୍ରଦର୍ଶନରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହା କହିଛନ୍ତି।

ସେ ଆହୁରି ମଧ୍ୟ କହିଥିଲେ ଯେ, ଛତ୍ରପତି ଶିବାଜୀଙ୍କ ପରେ ପ୍ରଧାନମନ୍ତ୍ରୀ ମୋଦି ହିଁ ଭାରତବର୍ଷକୁ ସମଗ୍ର ବିଶ୍ୱରେ ପରିଚିତ କରାଇ ପାରିଛନ୍ତି। ଭାରତର ପରମ୍ପରା ବସୁଧୈବ ସକୁଟୁମ୍ବକମ୍‌ ନୀତିକୁ ସେ ସବୁବେଳେ ପ୍ରୟୋଗ କରୁଛନ୍ତି। ଏହି ଅବସରରେ ଅନ୍ୟତମ ଅତିଥି ତଥା କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ ଗରିବ ଲୋକର ସେବା କରିବା ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନର ମୂଳମନ୍ତ୍ର। ପିଲା ଦିନରୁ ସେ ଅନୁଭବ କରିଥିବା ସାଧାରଣ ମଣିଷର ଅଭାବକୁ ପୂରଣ କରିବାକୁ ମୋଦିଜୀ ସର୍ବଦା ଚେଷ୍ଟିତ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ଯେ ୩୨ ମିନିଟ୍‌ର ଏହି ଫିଲ୍ମରେ ମୋଦିଙ୍କ ବାଲ୍ୟକାଳ ପ୍ରଦର୍ଶନ କରାଯାଇଛି। ଧୈର୍ଯ୍ୟ ନିତେଶ ଦର୍ଜୀ ମୋଦିଙ୍କ ଭୂମିକାରେ ଅବତୀର୍ଣ ହୋଇ ନିଖୁଣ ଅଭିନୟ କରିଛନ୍ତି। ମଗ୍ନେଶ ହାଦ୍‌ଓ୍ଵାଲା, ମହାବୀର ଜୈନ ଓ ଭୂଷଣ କୁମାର ଏହି ଫିଲ୍ମ ନିର୍ମାଣ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଲାଲ୍‌ କହିଥିଲେ ଯେ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ମାନବ କଲ୍ୟାଣ ଓ ଧର୍ମ ପ୍ରତିଷ୍ଠା ପାଇଁ ଯେଉଁ କାର୍ଯ୍ୟ କରି ବିଶ୍ୱରେ ଭାରତକୁ ପରିଚିତି ଦେଇଥିଲେ, ଛତ୍ରପତି ଶିବାଜୀ ସେହିଭଳି ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। ଏବେ ପ୍ରାୟ ସାଢ଼େ ୩ ଶହ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ପଥକୁ ଅନୁସରଣ କରୁଛନ୍ତି।

ସମ୍ବନ୍ଧିତ ଖବର