ଡରାଇଲାଣି କାଳବୈଶାଖୀ :ଓଡ଼ିଶାରେ ଝଡ଼ତୋଫାନ ସମ୍ଭାବନା, ୯ରୁ ୧୧ ଯାଏ ସତର୍କ ସୂଚନା

ଭୁବନେଶ୍ୱର: ଜମ୍ମୁ ଓ କଶ୍ମୀର ଠାରୁ ଆରମ୍ଭ କରି ଚଣ୍ଡିଗଡ ଯାଏ ତାଣ୍ଡବ ରଚାଇଲାଣିି ଧୂଳିଝଡ, ତୋଫାନ। ଶତାଧିକ ଲୋକ ପ୍ରାଣ ହରାଇଲେଣି। ସପ୍ତାହେ ଧରି ଉଭୟ ପାଣିପାଗ ବିଭାଗ ଏବଂ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏ ନେଇ ସତର୍କ ସୂଚନା ଜାରି କରୁଛନ୍ତି। ଏବେ ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ ଲଗାଇଲେଣି, ୯ରୁ ୧୧ ତାରିଖ ମଧ୍ୟରେ ଓଡ଼ିଶାରେ କାଳବୈଶାଖୀ ଦେଖାଇପାରେ ତା’ର ତାଣ୍ଡବ ଲୀଳା। ଆସନ୍ତାକାଲି ଭୁବନେଶ୍ୱରରେ ତାତି ବଢିବା ସମ୍ଭାବନା ଅଧିକ। କିନ୍ତୁ ରାଜ୍ୟର ପାଖାପାଖି ୯ଟି ଜିଲ୍ଲାରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିପାରେ। କ୍ରମଶଃ ଏହାର ପ୍ରଭାବ ଅନ୍ୟ ଜିଲ୍ଲାରେ ବି ପ଼ଡିବ। କେବଳ ସେତିକି ନୁହେଁ, ୧୩ ତାରିଖରୁ ୧୬ ତାରିଖ ଯାଏ ରାଜ୍ୟରେ ବଡ଼ ଧରଣର ବର୍ଷା ସମ୍ଭାବନା ମଧ୍ୟ ରହିଛି। ଏ ସମୟରେ ପବନ ବି ତାର ତାକତ ଦେଖାଇବା ସମ୍ଭାବନାକୁ ଏ଼଼ଡ଼ାଇ ଦେଇ ହେବନାହିଁ। କାଳବୈଶାଖୀର ପୂର୍ବାନୁମାନକୁ ନେଇ ଲୋକଙ୍କ ଭିତରେ ଭୟ ସୃଷ୍ଟି ହେଲାଣି। ଉତ୍ତର ଭାରତରେ ଯେଭଳି ଅଭାବନୀୟ ପରିସ୍ଥିତି ଉପୁଜିଲା, ତାହା ହିଁ ଏଭଳି ଭୟ ସୃଷ୍ଟିର କାରଣ ବୋଲି କୁହାଯାଉଛି। କେବଳ ଓଡ଼ିଶା ନୁହେଁ, ଉତ୍ତର ପଶ୍ଚିମରେ ଦେଖା ଦେଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଦେଶର ପାଖାପାଖି ୨୦ଟି ରାଜ୍ୟରେ ଝ଼଼଼ଡ଼ତୋଫାନ ନେଇ ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି। ପବନର ବେଗ ଘଣ୍ଟାପ୍ରତି ୭୦ କିଲୋମିଟର ଛୁଇଁପାରେ ବୋଲି ସତର୍କ କରି ଦିଆଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଡ. ଶରତ ସାହୁଙ୍କ ଆକଳନ କହୁଛି, ଆସନ୍ତାକାଲି ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଖୋର୍ଧା, ଗଞ୍ଜାମ, କନ୍ଧମାଳ, ରାୟଗଡା ପ୍ରତି ବିପଦ ଅଧିକ ରହିଛି। ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ରହିପାରେ। ଝ଼ଡ଼ ତୋଫାନ ହେବ, କୁଆପଥର ବର୍ଷା ହେବ। ବଜ୍ରପାତ ଭୟ ବି ରହିଛି। ୧୧ ତାରିଖ ମଧ୍ୟରେ ନୟାଗ଼଼ଡ, କୋରାପୁଟ,ଗଜପତି, ଯାଜପୁର ଭଳି ଜିଲ୍ଲାରେ ବି କାଳବୈଶାଖୀର ପ୍ରଭାବ ଦେଖାଦେବ।

ଶ୍ରୀ ସାହୁ ଆହୁରି ସୂଚାଇଛନ୍ତି, ୧୨ ତାରିଖରେ ସ୍ଥିତିରେ ଟିକିଏ ଉନ୍ନତି ଆସିପାରେ। କିନ୍ତୁ ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭାରି ବର୍ଷା ଓ ପବନ ସମ୍ଭାବନା ରହିଛି। ରାଜ୍ୟର ଅଧିକାଂଶ ଅଞ୍ଚଳକୁ ଏହା ଛୁଇଁପାରେ। ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କହୁଛି, ପଞ୍ଜାବ, ହରିଆନା, ଚଣ୍ଡିଗଡ, ଦିଲ୍ଲୀ, ବିହାର, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଉତ୍ତରପ୍ରଦେଶ, ଝାଡଖଣ୍ଡ, ସିକିମ, ତେଲେଙ୍ଗାନା, କର୍ଣ୍ଣାଟକ, ତାମିଲନାଡୁ ଓ କେରଳରେ ଝଡତୋଫାନ ହେବାର ଆଶଙ୍କା ରହିଛି। ଘୂର୍ଣିବଳୟ ପ୍ରଭାବରେ ଝଡ ତୋଫାନ ହେବ। ଗତକାଲି ଦିଲ୍ଲୀ, ଗୁରୁଗାଁଓ ଆଦି ଅଞ୍ଚଳରେ ଘୂର୍ଣ୍ଣିଝଡ଼ର ତାଣ୍ଡବ ଦେଖିବାକୁ ମିଳିଥିଲା। ପାଣିପାଗ ବିଜ୍ଞାନୀମାନଙ୍କର କହିବା କଥା ହେଉଛି, କାଳବୈଶାଖୀ ବା ଘୂର୍ଣ୍ଣିଝଡ଼ର ଅନେକ କାରଣ ରହିଛି। ମାତ୍ର ଏଥର ପରିସ୍ଥିତି ଟିକିଏ ଅଲଗା। କାରଣ, ଭୂମଧ୍ୟସାଗର ଅନ୍ତର୍ଗତ ଅଞ୍ଚଳରେ ସମୁଦ୍ରରେ ଯେଉଁ ବିଚଳନ ବା ଡିଷ୍ଟରବାନ୍‌ସ ସୃଷ୍ଟି ହେଉଛି, ତାର ପ୍ରଭାବ ଭାରତ ଉପରେ ବି ପଡୁଛି। ଇରାନ୍‌, ଆଫଗାନିସ୍ଥାନ ଠାରୁ ଆରମ୍ଭ କରି ଜମ୍ମୁ ଓ କଶ୍ମୀର, ନୂଆଦିଲ୍ଲୀ ଆସାମ,ଅରୁଣା ଚଳ ପ୍ରଦେଶ ଯାଏ ପାଗରେ ପରିବର୍ତନ କରୁଛି।

ଏବେ ଏହି େଓ୍ଵଷ୍ଟର୍ଣ୍ଣ ଡିଷ୍ଟରବାନ୍‌ସ ଜମ୍ମୁ ଓ କଶ୍ମୀର ଉପରେ ରହିଛି। ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୂର୍ବଭାଗକୁ ଗତି କରିବ ଓ ଧୀରେ ପ୍ରଭାବ ହରାଇବ। କିନ୍ତୁ ଉତ୍ତରରୁ ଦକ୍ଷିଣ ଆଡ଼କୁ ଏକ ଟର୍ଫ ଲାଇନ୍‌ ଲମ୍ବିଛି ଓ ଏହା ଆସନ୍ତା ୩ ଦିନରେ ଧୀରେ ଧୀରେ ପୂର୍ବଭାଗକୁ ଯିବ। ସେପଟେ ୧୩ ତାରିଖରେ ପୁଣି ଥରେ େଓ୍ଵଷ୍ଟର୍ଣ୍ଣ ଡିଷ୍ଟରବାନ୍‌ସ ପ୍ରଭାବ ହିମାଳୟ ଅଞ୍ଚଳରେ ଦେଖିବାକୁ ମିଳିବ। ଉଭୟର ପ୍ରଭାବ ସ୍ଥିତିକୁ ବିଗାଡିପାରେ। ଭାରତର ଉତ୍ତରପଶ୍ଚିମ, କେନ୍ଦ୍ର, ପୂର୍ବ, ଉତ୍ତର ପୂର୍ବ ଅଞ୍ଚଳରେ କାଳବୈଶାଖୀ ସୃଷ୍ଟି କରିବ। ଏପରିକି ଉତ୍ତର ପୂର୍ବ ଭାଗରେ ଥିବା ରାଜ୍ୟ ଓ ପଶ୍ଚିମବଙ୍ଗ, ସିକିମ୍‌, ଓଡ଼ିଶା, ଝା଼ଡ଼ଖଣ୍ଡରେ ୪ରୁ ୫ ଦିନ ଯାଏ ପ୍ରଭାବ ରଖିପାରେ। ଏହାର ଭୟାବହତା ସଂପର୍କରେ ସୂଚାଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରବି ଫସଲ ପାଇଁ ଏହା ବିପଦ ସୃଷ୍ଟି କରିବ। କେବଳ ସେତିକି ନୁହେଁ, ଏହା ବେଳେ ବେଳେ ଏତେ ଭୟାନକ ରୂପ ନିଏ ଯେ ତାହାକୁ ଆକଳନ କରିବା ମୁସ୍କିଲ। ୨୦୧୩ ମସିହାରେ ଉତ୍ତର ଭାରତରେ ତିନି ଦିନ ମଧ୍ୟରେ ବାଦଲ ଫଟା ବର୍ଷା ଓ ପ୍ରବଳ ବନ୍ୟା ସଂଘଟିତ ହେବା ତଥା ୫ହଜାର ପାଖାପାଖି ଲୋକଙ୍କ ପ୍ରାଣହାନି ଘଟିଥିଲା। ଚଳିତବର୍ଷ ମଧ୍ୟ ଶତାଧିକ ଲୋକଙ୍କ ପ୍ରାଣହାନୀ ଘଟାଇ ଲାଣି ଭିନ୍ନ ରୂପରେ। ଏଣୁ ଉଭୟ ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ଓ ଗୃହ ବିଭାଗ ଯଥେଷ୍ଟ ଆଗରୁ ସତର୍କ ସୂଚନା ଜାରି କରୁଛନ୍ତି।

ସମ୍ବନ୍ଧିତ ଖବର