ଆଜି ରାଜଭବନରେ କୁଳପତି ସମ୍ମିଳନୀ : ଯୋଗଦେବେ ୧୭ ବିଶ୍ୱବିଦ୍ୟାଳୟ କୁଳପତି, ୬ ବିଭାଗ ମନ୍ତ୍ରୀ ଓ ସଚିବ

ଭୁବନେଶ୍ୱର : ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ସଂସ୍କାର ସହ ନିର୍ଦ୍ଧାରିତ ସମୟରେ ପରୀକ୍ଷା ଶେଷ, ଫଳ ପ୍ରକାଶ, ସାର୍ଟିଫିକେଟ୍‌ ପ୍ରଦାନ ପରି ବିଷୟକୁ ନେଇ ଆସନ୍ତାକାଲି ରାଜଭବନରେ କୁଳପତିମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ। ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ସତ୍ୟପାଲ ମଲିକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ସମ୍ମିଳନୀରେ ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଡକାଯାଇଛି। ଏଥିସହ ରାଜ୍ୟ ସରକାରଙ୍କ ୬ଟି ବିଭାଗର ମନ୍ତ୍ରୀ ଓ ସଚିବମାନେ ଏହି ସମ୍ମିଳନୀରେ ସାମିଲ ହେବେ। ରାଜଭବନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବିଶ୍ୱବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ପଦବୀ ପୂରଣ, କ୍ୟାମ୍ପସ ଶୃଙ୍ଖଳା, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପାଇଁ ଜମି ଚିହ୍ନଟର ଅଗ୍ରଗତି, ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଓ ୪୦ ଏକର ଜମି ଗାଏବ ଘଟଣା, ରେଭେନ୍ସା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସର ଅଗ୍ରଗତି ନେଇ ସମ୍ମିଳନୀରେ ଆଲୋଚନା ହେବ। ଏହାବ୍ୟତୀତ ସମସ୍ତ ବିଶ୍ୱବିଦ୍ୟାଳୟରେ କ୍ରୀଡ଼ା କମ୍ପ୍ଲେକ୍ସ ନିର୍ମାଣ, ଗବେଷଣାକୁ ପ୍ରାଧାନ୍ୟ, କ୍ୟାମ୍ପସରେ ଉତ୍କର୍ଷ କେନ୍ଦ୍ର ସ୍ଥାପନ, ପ୍ଲେସମେଣ୍ଟ ସେଲ୍‌ର କାର୍ଯ୍ୟକାରିତା, ଅଭିଯୋଗର ଶୁଣାଣି ଓ ସମାଧାନ ପଦ୍ଧତିର କ୍ରିୟାଶୀଳତା, ବିଭିନ୍ନ ଅନୁଦାନର ସୁବିନିଯୋଗ ଓ ଧାର୍ଯ୍ୟ ସମୟରେ ବିନିଯୋଗ ପ୍ରମାଣପତ୍ର ପ୍ରଦାନ ବିଷୟରେ କୁଳାଧିପତି ଶ୍ରୀ ପାଲ୍‌ କୁଳପତିମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଅର୍ଥ, କୃଷି ଓ କୃଷକ ସଶକ୍ତୀକରଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଭାଷା, ସାହିତ୍ୟ ଓ ସଂସ୍କୃତି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ଓ ସଚିବମାନଙ୍କୁ ଡକାଯାଇଛି। ଆବଶ୍ୟକ ତଥ୍ୟ ଓ ସୂଚନା ସହ କୁଳପତି, ବିଭାଗୀୟ ଅଧିକାରୀମାନେ ଯୋଗଦେବାକୁ ରାଜଭବନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର