କୁଳାଧିପତି-କୁଳପତିଙ୍କ ଭାବ ବିନିମୟ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସହ ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ ଭାବବିନିମୟ କରିଛନ୍ତି। ଏହି ଅବସରରେ କୁଳାଧିପତି ଶ୍ରୀ ଲାଲ ସମସ୍ତ କୁଳପତିଙ୍କ ସହ କ୍ୟାମ୍ପସର ସ୍ଥିତି ବିଷୟରେ ଆଲୋଚନା କରିଛନ୍ତି। କିପରି ନିର୍ଧାରିତ ସମୟରେ ପରୀକ୍ଷା ହେବ, ଫଳ ପ୍ରକାଶ ଓ ସାର୍ଟିଫିକେଟ୍‌ ପ୍ରଦାନ କରାଯିବ ସେନେଇ ଗୁରୁତ୍ୱାରୋପ କରିଥିଲେ। ପ୍ରାୟ ସମସ୍ତ ବିଶ୍ୱବିଦ୍ୟାଳୟରେ ନିୟମିତ ସମାବର୍ତନ ଉତ୍ସବ ହେଉଥିବା ଜାଣି ରାଜ୍ୟପାଳ ଖୁସି ବ୍ୟକ୍ତ କରିଥିଲେ। କୁଳପତିମାନେ ନିୟମିତ ବ୍ୟବଧାନରେ ବିଭିନ୍ନ କ୍ଷେତ୍ରରେ ଅନ୍ତର୍ଜାତୀୟସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ବ୍ୟକ୍ତିଙ୍କୁ କ୍ୟାମ୍ପସ୍‌କୁ ନିମନ୍ତ୍ରଣ କରି ବକ୍ତତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସେ ପରାମର୍ଶ ଦେଇଥିଲେ। ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଯେପରି ସବୁଜ ବିଶ୍ୱବିଦ୍ୟାଳୟ ହେବ, ଶୈକ୍ଷିକ ମାନ ବୃଦ୍ଧି ପାଇବ, ଗବେଷଣାକୁ ଅଗ୍ରାଧିକାର ଦିଆଯିବ, ଅନ୍ତଃବିଶ୍ୱବିିଦ୍ୟାଳୟ ସହଯୋଗୀତା ଓ ସହଭାଗିତା ଉପରେ ଗୁରୁତ୍ୱ ଦେବାକୁ କୁଳପତିମାନଙ୍କୁ ପରାମର୍ଶ ଦେଇଥିଲେ। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଉପଲକ୍ଷେ ପ୍ରତ୍ୟେକ ବିଶ୍ୱବିିଦ୍ୟାଳୟ ଗାନ୍ଧୀ-ଦର୍ଶନ ଓ ଚିନ୍ତନର ପ୍ରସାର ପାଇଁ ବ୍ୟାପକ କାର୍ଯ୍ୟକ୍ରମ କରିବାକୁ କୁଳାଧିପତି କହିଥିଲେ।

ବୈଠକରେ କୁଳପତିମାନେ କ୍ୟାମ୍ପସ୍‌ର ସ୍ଥିତି, ଅଗ୍ରଗତି ଓ ସମସ୍ୟା ସମ୍ପର୍କରେ ତଥ୍ୟ ଓ ସୂଚନା ଦେଇଥିଲେ। ଏଥିରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ସି. ଜେ. ଭେନୁଗୋପାଳ, ଅତିରିକ୍ତ ସଚିବ ସୁକାନ୍ତ ପ୍ରଧାନଙ୍କ ସମେତ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିମାନେ ଯୋଗଦେଇଥିଲେ।।

ସମ୍ବନ୍ଧିତ ଖବର