ରାଜଧାନୀକୁ ବିପଦ ଚନ୍ଦକା ବାଉଁଶ : ଶୁଖିଗଲାଣି ୨୦ ବର୍ଗ କିଲୋମିଟର ଜଙ୍ଗଲ, ବର୍ଷା କମିଯିବା ପରେ ବଢିଯିବ ନିଅାଁର ଭୟ

ଜଙ୍ଗଲ, ବନ୍ୟଜନ୍ତୁ, ଜନବସତିଙ୍କୁ ପହଞ୍ଚିପାରେ କ୍ଷତି, ମାତିଲେଣି ମୂଷା, ଥରେ ଆସିଲେ ଯିବେନି

0 233

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ। ଏହି ଜଙ୍ଗଲର ବିସ୍ତତ ଅଞ୍ଚଳରେ ରହିଛି ବାଉଁଶ ବଣ। ବିଗତ ୪୦ ବର୍ଷ ମଧ୍ୟରେ ପ୍ରକୃତିର ବୈଚିତ୍ର୍ୟ ଦେଖିବାକୁ ମିଳିଛି ଏହି ବାଉଁଶ ବଣରେ। ବାଉଁଶରେ ଫୁଲ ଧରିଛି ଏବଂ ମଞ୍ଜି ବାହାରି ଅପୂର୍ବ ଶୋଭା ବୃଦ୍ଧି କରୁଛି। ହେଲେ ଫୁଲ ଧରିଥିବା ବାଉଁଶ ଜଙ୍ଗଲର ରୂପ ଶାଗୁଆ ରଙ୍ଗ ପରିବର୍ତେ ଧୂସରିଆ ବର୍ଣ୍ଣ ଧାରଣ କଲାଣି। କାରଣ ଗତ କିଛି ଦିନ ହେବ, କିଲୋମିଟର ବ୍ୟାପି ବାଉଁଶରେ ଫୁଲ ଫୁଟିବା ସହିତ ଶୁଖି ଶୁଖି ଯାଉଛି।

ଭୁବନେଶ୍ୱର ଆକାଶରେ ଉଡ଼ାଜାହାଜରେ ଉଠାଣ ବା ଅବତରଣ ବେଳେ ସ୍ୱଳ୍ପ ଉଚ୍ଚତାରୁ ଏଭଳି ପ୍ରାକୃତିକ ସୌନ୍ଦର୍ଯ୍ୟ ଏକଦା ମନହରଣ କରୁଥିଲା। କିନ୍ତୁ ଏହି ସୌନ୍ଦର୍ଯ୍ୟ ଭିତରୁ ଏବେ ଭୟଙ୍କର ବିପଦ ଉଙ୍କିମାରିଲାଣି। ଯେ କୌଣସି ସମୟରେ ଜଙ୍ଗଲ ମଧ୍ୟର ଏହି ବାଉଁଶବଣରେ ଭୟଙ୍କର ଅଗ୍ନିକାଣ୍ଡ ଲାଗିବାର ଆଶଙ୍କା ରହିଛି। ଜଙ୍ଗଲ ଅଧିକାରୀ ଭୟ କଲେଣି ଯେ ଏଭଳି ଜଙ୍ଗଲରେ ନିଆଁ ଥରେ ଲାଗିଲେ, ଏହାକୁ ନିୟନ୍ତ୍ରଣ କରିବା ସହଜ ନୁହେଁ। କେବଳ ଜଙ୍ଗଲ ଧ୍ୱଂସ ହେବନାହିଁ। ଏହି ଅଭୟାରଣ୍ୟରେ ଥିବା ଶହ ଶହ ସଂଖ୍ୟାରେ ବିଭିନ୍ନ ପ୍ରଜାତିର ବନ୍ୟଜନ୍ତୁ ମଧ୍ୟ ଶିକାର ହେବେ। ବନ୍ୟ ସଂପଦ ଧ୍ୱଂସ ପାଇବ। ଜଙ୍ଗଲକୁ ଲାଗି ରହିଥିବା ରାଜଧାନୀର ପାରିପାର୍ଶ୍ୱିକ ଜନବସତିକୁ ବି ଅଗ୍ନିକାଣ୍ଡ ଗ୍ରାସ
କରିବାର ବିପଦକୁ ଟାଳିଦେଇ ହେବନାହିଁ।

ଚନ୍ଦକା-ଡମପଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ ୧୯୩ ବର୍ଗ କି.ମି. ଜଙ୍ଗଲରେ ପରିବ୍ୟାପ୍ତ। ଏଥିମଧ୍ୟରୁ ପ୍ରାୟ ୨୦ ବର୍ଗ କି.ମି. ଅଞ୍ଚଳରେ ରହିଛି ବାଉଁଶ ବଣ। ଚଳିତବର୍ଷ ଆରମ୍ଭରୁ ବାଉଁଶରେ ଫୁଲ ଧରିବା ସହିତ ମଞ୍ଜି ବି ବାହାରିିଲାଣି। ଘାସ ପ୍ରଜାତିର ବାଉଁଶ ଜନ୍ମ ହେବାର ପ୍ରାୟ ୪୦ରୁ ୫୦ ବର୍ଷ ଭିତରେ ଏଭଳି ଫୁଲ ଧରିବା ସହିତ ମଞ୍ଜି ଫଳିଥାଏ। ବାଉଁଶର ଆୟୁ ଅତି କମ୍‌ରେ ୬୦ ବର୍ଷ। ବାଉଁଶ ପାକଳ ହେଲେ ଏହି ଅବସ୍ଥାରେ ପହଞ୍ଚେ। ଚନ୍ଦକା ଅଭୟାରଣ୍ୟର ବାଉଁଶବଣରେ ଫୁଲ ଓ ମଞ୍ଜି ଲାଗିବା ଘଟଣା ପ୍ରଥମ। ଧୀରେ ଧୀରେ ଫୁଲ ଧରିବା ସହିତ ମଞ୍ଜି ବାହାରିଥିବା ଦେଖିବାକୁ ମିଳୁଛି। ଏହାର ମଞ୍ଜିକୁ ଲୋକେ ବାଉଁଶ ଧାନ କୁହନ୍ତି। ଏହି ଧାନ ମୂଷାର ଅତି ପ୍ରିୟ ଖାଦ୍ୟ। ଏଭଳି ଘଟଣା ଜଙ୍ଗଲ ଅଧିକାରୀମାନଙ୍କୁ ଆତଙ୍କିତ କରିଛି।

Panda Mobile only

ପରିବେଶବିତ୍‌ଙ୍କ ମତରେ ବାଉଁଶରେ ଫୁଲ ଓ ମଞ୍ଜି ହେଲେ ବାଉଁଶ ଶୁଖି ମରିବାକୁ ଆରମ୍ଭ କରେ। ଏହା ବାଉଁଶ କିଛି କାମରେ ଲାଗେନାହିଁ। ମଞ୍ଜିରୁ କିଛି ବାଉଁଶ ନୂଆ ବାଉଁଶକୁ ଜନ୍ମ ଦିଏ। ଏହା ପ୍ରାକୃତିକ ପ୍ରକ୍ରିୟା। ଫୁଲ ଧରିଥିବା ଏଭଳି ବାଉଁଶ(ଗ୍ରେଗାରିୟସ୍‌ ବମ୍ବୁ)ରେ ନିଆଁ ଲାଗିବାର ସମ୍ଭାବନା ଅଧିକ। ଚନ୍ଦକା ଜଙ୍ଗଲରେ ବ୍ୟାପକ ରୂପେ ବାଉଁଶ ଫୁଲ, ମଞ୍ଜି ହୋଇଥିବାରୁ ଏହା ଶୁଖି ମରିବା ଅବସ୍ଥାକୁ ଆସିଗଲାଣି। ଏହି ଅବସ୍ଥାରେ ପବନରେ ବାଉଁଶ ହଲିଲେ ବି ନିଆଁ ଲାଗିଯିବାର ଆଶଙ୍କା ଅଧିକ। ବର୍ଷା ଋତୁ ସରିଗଲା ପରେ ନିଆଁ ଲାଗିବାର ଆଶଙ୍କା ବହୁଗଣିତ ହୋଇଯିବ।

ପୂର୍ବତନ ପରିବେଶ ନିର୍ଦେଶକ ଭାଗିରଥୀ ବେହେରା କହିଛନ୍ତି ଯେ ଥରେ ବାଉଁଶବଣରେ ନିଆଁ ଲାଗିଲେ ଏହା ଆଖି ପିଛୁଳାକେ ସାରା ଜଙ୍ଗଲକୁ ବ୍ୟାପିଯିବ। ଅଭୟାରଣ୍ୟରେ ଥିବା ହାତୀ ସମେତ ଅନ୍ୟାନ୍ୟ ବନ୍ୟଜନ୍ତୁ ମଧ୍ୟ ଜଙ୍ଗଲ ନିଆଁର ଶିକାର ହୋଇପାରନ୍ତି। କେବଳ ଜଙ୍ଗଲ ନୁହେଁ, ଆଖପାଖ ଜନବସତି ମଧ୍ୟ ନିଆଁ ଧାସରେ ପ୍ରଭାବିତ ହେବାର ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ। ଦ୍ୱିତୀୟରେ ଏହାର ମଞ୍ଜି ବା ବାଉଁଶ ଧାନ ଆକର୍ଷଣରେ ୫/୧୦ କି.ମି. ଦୂରରୁ ମଧ୍ୟ ଘରୋଇ ଓ ଜଙ୍ଗଲୀ ମୂଷା ଟାଣି ହୋଇଆସନ୍ତି। ଥରେ ଆସିଲେ ସେମାନେ ଫେରନ୍ତି ନାହିଁ। ଧାନ ଖାଇସାରିବା ପରେ ଆଖପାଖ ଜନବସତିକୁ ମାଡ଼ି ଯାଆନ୍ତି। ସେଠାରେ ଲୋକଙ୍କ ଘରେ ପଶି ଖାଦ୍ୟଶସ୍ୟ ନିଃଶେଷ କରିଦିଅନ୍ତି। ଏହା ଫଳରେ ମୂଷାଙ୍କ ଦ୍ୱାରା ଗୃହପାଳିତ ପଶୁଗୁଡ଼ିକ ପ୍ଲେଗ୍‌ ଭଳି ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ବି ରହିଛି। ୧୯୫୮-୫୯ ମସିହାରେ ଉତ୍ତର ପୂର୍ବାଞ୍ଚଳ ମିଜୋରାମ, ତ୍ରିପୁରା, ମଣିପୁର ଓ ଆସାମର ବାରାକ୍‌ ଉପତ୍ୟକାରେ ଗ୍ରେଗାରିୟସ୍‌ ବମ୍ବୁ ବା ବାଉଁଶ ଫୁଲ ଓ ମଞ୍ଜି ହୋଇଥିଲା। ଏହା ଯୋଗୁଁ ସେହିବର୍ଷ ଦୁର୍ଭିକ୍ଷ ହୋଇଥିଲା ବୋଲି କୁହାଯାଏ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହା କେତେଦୂର ଯୁକ୍ତିଯୁକ୍ତ ତାହା ସ୍ପଷ୍ଟ ହୋଇନାହିଁ। ତେବେ ମୂଷା ଯୋଗୁଁ ଖାଦ୍ୟ ସୁରକ୍ଷା ପ୍ରଭାବିତ ହୋଇ ଦୁର୍ଭିକ୍ଷ ସଂଘଟିତ ହୋଇପାରେ ବୋଲି ବିଶ୍ୱାସ କରାଯାଉଛି।

ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ବନଖଣ୍ଡ ଅଧିକାରୀ(ଡିଏଫ୍‌ଓ) କେଦାରନାଥ ସ୍ୱାଇଁ କହିଛନ୍ତିି ଯେ ବାଉଁଶରୁ ଫୁଲ ଓ ମଞ୍ଜି ହେବା ପ୍ରାକୃତିକ ପ୍ରକ୍ରିୟା। ଏ ନେଇ ଜଙ୍ଗଲ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ତେବେ ସମ୍ଭାବ୍ୟ ଅଗ୍ନିକାଣ୍ଡ ନିୟନ୍ତ୍ରଣ ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତିି। ପରିବେଶ୍‌ବିତ୍‌ ଶ୍ରୀ ବେହେରାଙ୍କ କହିବାନୁସାରେ ଏଭଳି ସ୍ଥିତିରେ ବନ ବିଭାଗ ବିଶେଷ କରି ଚନ୍ଦକା ଅଭୟାରଣ୍ୟର ଡିଏଫ୍‌ଓ ହାତ ବାନ୍ଧି ବସିବା ଅପେକ୍ଷା ବାଉଁଶ ବଣକୁ ସମୂଳେ ଉପାଡ଼ି ନଷ୍ଟ କରିଦେବା ଜରୁରି। ଅନ୍ୟଥା ଜଙ୍ଗଲ ନିଶ୍ଚିହ୍ନ ହୋଇଯିବ। ଏହା ସହିତ ବହୁମୁଖୀ ବିପଦ ମାଡ଼ିଆସିବ ବୋଲି ସେ ସତର୍କ କରାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.