ଚଣ୍ଡିଖୋଲ-ଡୁବୁରି ଏନ୍‌ଏଚ୍‌ କେଳେଙ୍କାରୀ : ବିଦେଶୀ କମ୍ପାନି ଉଭାନ

୪ଲେନ୍‌ କାମ ଅଧାରୁ ବନ୍ଦ

ଯାଜପୁର : ଧର୍ମଶାଳା ନିର୍ବାଚନମଣ୍ଡଳୀର ଜୀବନ ରେଖା କୁହାଯାଉଥିବା ଚଣ୍ଡିଖୋଲ୍‌-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥର ନୂତନ ୪ ଲେନ୍‌ କାମ ଅଧାରୁ ବନ୍ଦ ହୋଇଯାଇଛି । ଏହି ବାବଦରେ ହୋଇଥିବା କୋଟିକୋଟି ଟଙ୍କା କେଳେଙ୍କାରୀ ଏବେ ପଦାକୁ ଆସିଛି। ଶାସକ ଦଳ ନେତା ଓ ତାଙ୍କ ସମର୍ଥକ ପେଟି ଠିକାଦାରଙ୍କ ଅସାଧୁମେଣ୍ଟର ଚକ୍ରବ୍ୟୂହରେ ରାସ୍ତା କାମର ଟେଣ୍ଡର୍‌ ନେଇଥିବା ବିଦେଶୀ କମ୍ପାନି ଫ୍ରାନ୍‌ସର ଆଇସେଲେକ୍‌ସ ଫସିଯାଇଛି। ଶାସକ ଦଳ ନେତାଙ୍କ ଚାପରେ ପେଟି ଠିକାଦାରଙ୍କୁ କାମ ଦେଇଥିବା ଏହି ବିଦେଶୀ କମ୍ପାନି କୋଟିକୋଟି ଟଙ୍କା ହରାଇବାକୁ ଯାଉଥିବା ବେଳେ ରାସ୍ତା କାମ ନହେବାରୁ ଲୋକମାନେ ମରଣଯନ୍ତା ପାଲିଟିଥିବା ଏହି ରାସ୍ତା ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଚଣ୍ଡିଖୋଲ ଠାରୁ କନକତରା ପର୍ଯ୍ୟନ୍ତ ରାସ୍ତା କାମ ପାଇ ଏହି ପ୍ରାନ୍‌ସ୍‌ କମ୍ପାନିି ୮୮୫ କୋଟି ଟଙ୍କାରେ ଟେଣ୍ଡର୍‌ ନେଇଥିଲା। ପ୍ରଥମ ପର୍ଯ୍ୟାୟରେ ଚଣ୍ଡିଖୋଲ ଠାରୁ ତାଳଚେର୍‌ ପର୍ଯ୍ୟନ୍ତ ୧୩୨ କିଲୋମିଟର ରାସ୍ତାର ମରାମତି ଆରମ୍ଭ ହୋଇଥିଲା । ସ୍ଥାନୀୟ ନେତାଙ୍କ ଚାପରେ ତାଙ୍କର କିଛି ଅନୁଗାମୀଙ୍କୁ ସବ୍‌ କଣ୍ଟ୍ରାକ୍ଟର ଭାବେ କାମ କରିବା ପାଇଁ କମ୍ପାନିକୁ ଶାସକ ଓ ପ୍ରଶାସକମାନେ ବାଧ୍ୟ କରିଥିଲେ । ନଚେତ କାମ କରାଇ ଦିଆଯିବ ନାହିଁ ବୋଲି ସଂପୃକ୍ତ ବିଦେଶୀ କମ୍ପାନିକୁ ଧମକ ମଧ୍ୟ ଦିଆଗଲା । ଶେଷରେ ସବ୍‌ କଣ୍ଟ୍ରାକ୍ଟରମାନେ ଠାକୁର ଖାଇ ଖଟୁଲି ଖାଇବା ନୀତିରେ ନିମ୍ନ ମାନର କାମ କରି ବିଦେଶୀ ଠିକା ସଂସ୍ଥାକୁ ବଦନାମ କଲେ। କାମ ବନ୍ଦ ହୋଇଗଲା। ଏବେ ଠିକା ସଂସ୍ଥାର କୋଟିକୋଟି ଟଙ୍କାର ସାମଗ୍ରୀ ଓ ମେସିନ୍‌କୁ ପେଟି ଠିକାଦାରମାନେ ବାକିଆ ପଇସା ଦାବି କରି ବନ୍ଧା ରଖିଛନ୍ତି।

ମୋରମ, ମାଟି ବଦଳରେ କଳିଙ୍ଗନଗର ଶିଳ୍ପାଞ୍ଚଳର ମାଗଣା ପାଉଁଶ ନେତାଙ୍କ ପେଟି ଠିକାଦାରମାନେ ବ୍ୟବହାର କରି ନିମ୍ନମାନର କାମ କଲେ। ଏପରିକି ଗୋଟିଏ ଟ୍ରିପ୍‌ ମାଟି ଗୋଡ଼ି ମୋରମ ବଦଳରେ ୧୦ ଟ୍ରିପ୍‌ ବିଲ୍‌ କରିବାକୁ ବାଧ୍ୟ କଲେ। ଏହି ଭଳି ଠକେଇ ଓ ନିମ୍ନ ମାନର କାମ ପାଇଁ ଜାତୀୟ ଗ୍ରୀନ୍‌ ଟ୍ରିବୁନାଲ୍‌ ଏହି ବିଦେଶୀ ଠିକାଦାରଙ୍କର କାମକୁ ବନ୍ଦ କରିବାକୁ ତାଗିଦ କଲେ। ଶେଷରେ ସରକାର ଏହି ବିଦେଶୀ କମ୍ପାନି ଠାରୁ ଚୁକ୍ତି ବାତିଲ୍‌ କରିଦେଇଥିଲେ । ଫଳରେ ରାସ୍ତା କାମ ଅଧା ହୋଇପଡ଼ି ରହିଛି । ଏପରିକି ବିଦେଶୀ କମ୍ପାନି ବ୍ୟାପକ କ୍ଷତି ସହ୍ୟ କରି ନିଜର ସରଞ୍ଜାମମାନ ମଧ୍ୟ ବିକ୍ରି କରି ବାକି ଅର୍ଥ ପୈଠ କରି ନାକକାନ ମୋଡି ହୋଇ ଫେରିଯାଇଛି।

କମ୍ପାନି ଯେତେ ବେଳେ କାମ ଆରମ୍ଭ କଲା ସେତେ ବେଳେ ସ୍ଥାନୀୟ ରାଜନେତାଙ୍କ ଚାପରେ ପ୍ରଶାସନ ମୋରମ୍‌, ମାଟି ଯୋଗାଣରେ ସହଯୋଗ କଲାନାହିଁ। ଏପରିକି ଖାଦାନ ଏଗ୍ରିମେଣ୍ଟ୍‌ ପାଇଁ କମ୍ପାନି ଆଗ୍ରହ ପ୍ରକାଶ କରିଥିଲା। ଏଥି ପାଇଁ ପ୍ରଶାସନ ପକ୍ଷରୁ ଆଇସୋଲେକ୍‌ସ କମ୍ପାନିକୁ ସହଯୋଗ କରା ଗଲାନାହିଁ। ଦଳୀୟ ଲୋକଙ୍କୁ ମତାଇ ଶାସକ ଦଳ ନେତା ବିଭିନ୍ନ ସମୟରେ ଆନ୍ଦୋଳନ କଲେ। ବିଭିନ୍ନ ଆଳ ଦେଖାଇ କାର୍ଯ୍ୟରେ ବିଭ୍ରାଟ ସୃଷ୍ଟି କରୁଥିବା ପ୍ରଚାର କରାଗଲା। କମ୍ପାନି ନିଜେ କାମ ଆରମ୍ଭ କରି ନପାରି ବାଧ୍ୟ ହୋଇ ନେତାଙ୍କ ଅଶ୍ରୟରେ ତାଙ୍କ ଲୋକଙ୍କୁ ସବ୍‌ କଣ୍ଟ୍ରାକ୍ଟର ଭାବେ କାମ ଦେଇଥିଲା। ଏହା ପରେ ଗୋଚର, ଅନାବାଦି ଶ୍ମଶାନ ଜାଗାରୁ ଚାଲିଲା ମାଟି, ମୋରମ୍‌ ଲୁଟ୍‌। ଏପରିକି ଜାତୀୟ ରାଜପଥରେ ମାଟି, ବାଲି, ମୋରମ୍‌ ପକାଇ ବେଶ୍‌ ପ୍ରସ୍ତୁତି କରିବାକୁ ନିୟମ ଥିବା ବେଳେ ପେଟି ଠିକାଦାରମାନେ ଫ୍ଲାଏ ଆସ୍‌ ବା ପ୍ଲାଣ୍ଟରୁ ନିର୍ଗତ ପାଉଁଶ ବ୍ୟବହାର କରିଥିଲେ। ଯାହାକି ସେତେବେଳେ ରାସ୍ତାର ସ୍ଥାୟିତ୍ଵ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଜାତୀୟ ରାଜପଥ କର୍ତୃପକ୍ଷ ନିମ୍ନମାନର କାମ ଓ ନିର୍ଦିଷ୍ଟ ସମୟ ମଧ୍ୟରେ ଚୁକ୍ତି ଅନୁସାରେ କାର୍ଯ୍ୟ କରି ନପାରିବା କାରଣରୁ କମ୍ପାନିର ଚୁକ୍ତି ବାତିଲ୍‌ କରିଥିଲେ। କମ୍ପାନି ଏକ ପ୍ରକାର ଦେବାଳିଆ ହୋଇ କାମ ଛାଡ଼ି ଚାଲିଯାଇଛିା ୫୩ ନଂ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଯୋଗୁ ପୁରୁଣା ଜାତୀୟ ରାଜପଥ ସଂପୂର୍ଣ ନଷ୍ଟ ହୋଇଯାଇଛି। ହଜାର ହଜାର ଗର୍ତ ସୃଷ୍ଟି ହୋଇ ପଥଚାରୀଙ୍କ ପାଇଁ ମରଣଯନ୍ତା ପାଲଟିଛି।

ଅପର ପକ୍ଷରେ କଂପାନିର ୧୦ କୋଟି ଟଙ୍କାର ମେସିନ୍‌ ଯଥା ଏକ୍ସାବେଟର୍‌, ପୋକଲିନ୍‌, ଗ୍ରେଡର ଓ କଂକ୍ରିଟ୍‌ ହେଭି ମିକ୍ସର ମେସିନ୍‌ ଯାହାର ମୂଲ୍ୟ ଏକ କୋଟିରୁ ଊର୍ଧ୍ୱ ହେବ ବୋଲି କୁହାଯାଉଛି । ଏହି ମେସିନ୍‌ଗୁଡ଼ିକ ନେତାଙ୍କ କବ୍ଜାରେ ଜାରକାରେ ଦୁଇଟି ଷ୍ଟକ ୟାର୍ଡ଼ରେ ପଡ଼ିଛି। ପୁଲିସ୍‌ର ୨୪ ଘଣ୍ଟିଆ ପ୍ରହରା ଚାଲିଛି। ସେହିପରି କନ୍‌ଷ୍ଟ୍ରକ୍‌ସନ କମ୍ପାନିର ବିଭିନ୍ନ ବ୍ରିଜ୍‌ ନିର୍ମାଣ ପାଇଁ ଆସିଥିବା ୪ କୋଟିରୁ ଊର୍ଧ୍ୱ ରଡ଼ ଓ ସିମେଣ୍ଟ୍‌କୁ ଜାରକାରେ ଖୋଲା ବଜାରରେ ବିକ୍ରି ଚାଲିଛି। ଶହେ ଟନ୍‌ରୁ ଊର୍ଧ୍ୱ ରଡ଼ ଏହା ମଧ୍ୟରେ ବିକ୍ରି ହୋଇଯାଇଛି। ସେହିପରି କମ୍ପାନିର ବ୍ରିଜ୍‌ ସାଇଡରେ ଆଲୋକୀକରଣ ପାଇଁ ୧୫ରୁ ଊର୍ଧ୍ୱ ଡିଜି ଥିବା ବେଳେ ବିଭିନ୍ନ ପଞ୍ଚାୟତର ଶାସକ ଦଳ କର୍ମୀ ପେଟି ଠିକାଦାର ସାଜି ଏହି ମେସିନ୍‌ଗୁଡ଼ିକୁ ଘରକୁ ନେଇଯାଇଛନ୍ତି।

ସମ୍ବନ୍ଧିତ ଖବର