ବର୍ଷିୟାନ ସାହିତ୍ୟିକ ଚନ୍ଦ୍ରଶେଖର ରଥଙ୍କ ପରଲୋକ

ଭୁବନେଶ୍ୱର: ବର୍ଷିୟାନ ସାହିତ୍ୟିକ, ପ୍ରାଧ୍ୟାପକ ପଦ୍ମଶ୍ରୀ ଚନ୍ଦ୍ରଶେଖର ରଥଙ୍କର ଆଜି ଅପରାହ୍ଣରେ ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଗତ କିଛିଦିନ ଧରି ଅସୁସ୍ଥ ରହିବା ସହ ସେ ଚିକିତ୍ସାଧୀନ ଥିଲେ। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରଲୋକ ଘଟିଛି।

ଚଳିତ ବର୍ଷର ପଦ୍ମଶ୍ରୀ ଉପାଧି ପାଇଁ ଶ୍ରୀ ରଥଙ୍କ ନାମ ଘୋଷଣା କରାଯାଇଥିଲା। ଅଧ୍ୟାପକ ବୃତ୍ତିରୁ ଅବସର ଗ୍ରହଣ କରିବା ପରେ ସେ ଇଂରାଜୀ ସମ୍ବାଦପତ୍ର ‘ସନ୍ ଟାଇମସ୍‌’ର ଫିଚର ସଂପାଦକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

ବଲାଙ୍ଗୀର ସହରର ମାଲପଡ଼ାରେ ଚନ୍ଦ୍ରଶେଖର ରଥ ୧୯୨୯ ଅକ୍ଟୋବର ୧୭ରେ ଜନ୍ମଗ୍ରହଣ କରିଥିଲେ। ‘ଯନ୍ତ୍ରାରୁଢ଼’, ‘ନବଜାତକ’ ତଥା ‘ପାଠଚକ୍ର’ ଆଦି ରଚନା ବ୍ୟତୀତ ଉପନ୍ୟାସ, ଗଳ୍ପ ସଂକଳନ, କବିତା, ନିବନ୍ଧ ଆଦି ରଚନା କରିଛନ୍ତି। ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ଜନ୍ମିତ ରଥଙ୍କର ଆଦ୍ୟ ଜୀବନ ବେଦ, ବେଦାନ୍ତ, ଗୀତା-ଭାଗବତ ପଠନ ଓ ଚର୍ଚ୍ଚା ମଧ୍ୟରେ ଅତିବାହିତ ହୋଇଥିଲା। ସେ ସ୍ଥାନୀୟ ଏକ ମହାବିଦ୍ୟାଳୟରୁ ସ୍ନାତକ ହେବା ପରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ଇଂରାଜୀ ଭାଷା-ସାହିତ୍ୟରେ ସ୍ନତକୋତ୍ତର ଡିଗ୍ରି ହାସଲ କରିଥିଲେ। ଏହା ପରେ ସେ ଓଡ଼ିଶାରେ ଜଣେ ଅଧ୍ୟାପକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ୨୦୦୮ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ମାନସୂଚକ ଡି ଲିଟ୍‌ ପ୍ରଦାନ କରାଯାଇଥିଲା।

ଜଣେ ସଫଳ ସାହିତ୍ୟିକ ଭାବରେ ଚନ୍ଦ୍ରଶେଖରଙ୍କୁ ୧୯୮୯ରେ ସାହିତ୍ୟ ଏକାଡେମି ପୁରସ୍କାର, ୧୯୮୧ରେ ସାରଳା ସମ୍ମାନ,୧୯୯୭ରେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ମିଳିଥିଲା। ‘ସବୁଠାରୁ ଦୀର୍ଘରୀତି’ ଗଳ୍ପ ସଂକଳନ ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ମିଳିଥିଲା।  ଡ. ଚନ୍ଦ୍ରଶେଖର ରଥଙ୍କ ବିୟୋଗ ଓଡ଼ିଆ ସାରସ୍ୱତ ପରିସରରେ ଶୋକର ଛାୟା ଖେଳି ଯାଇଛି। କଥାକାର, ପ୍ରାବନ୍ଧିକ ଓ ଚିତ୍ରଶିଳ୍ପୀ ଚନ୍ଦ୍ରଶେଖରଙ୍କ ପରଲୋକ ଓଡ଼ିଶାର କଳାସାହିତ୍ୟ ଜଗତରେ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଚନ୍ଦ୍ରଶେଖରଙ୍କ ବିୟୋଗରେ ‘ସମ୍ବାଦ’ ଗ୍ରୁପର ଅଧ୍ୟକ୍ଷ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ତାଙ୍କର ମର ଶରୀର ଦର୍ଶନ ପାଇଁ ତାଙ୍କ ନିବାସରେ ପ୍ରବଳ ଭିଡ଼ ଲାଗିଥିବା ଜଣାପଡ଼ିଛି।

 

ଚନ୍ଦ୍ରଶେଖର ରଥଙ୍କର ରଚନାବଳୀ

ଉପନ୍ୟାସ

  • ଯନ୍ତ୍ରାରୁଢ଼ (୧୯୬୭)
  • ଅସୂର୍ଯ୍ୟ ଉପନିବେଶ (୧୯୭୪)
  • ନବଜାତକ (୧୯୮୧)

କ୍ଷୁଦ୍ରଗଳ୍ପ ସଙ୍କଳନ

  • ଅନେକ ବନ୍ୟା ପରେ (୧୯୭୮)
  • ଅଶ୍ୱାରୋହୀର ଗଳ୍ପ (୧୯୭୯)
  • ସମ୍ରାଟ ଓ ଅନ୍ୟମାନେ (୧୯୮୦)
  • ଅନ୍ୟ ଏକ ସକାଳ (୧୯୮୧)
  • ସବୁଯାକ ସ୍ୱପ୍ନ (୧୯୮୪)
  • ବାଘ ସବାର (୧୯୮୭)
  • ଏତେ ପାଖରେ ସମୁଦ୍ର (୧୯୮୮)
  • ପାହାଡ ଚଢା
  • ବିକ୍ରୀ ପାଇଁ ଫୁଲମାଳ (୧୯୯୦)
  • ସ୍ୱପ୍ନ ବାହାକ (୧୯୯୨)
  • ସବୁଠାରୁ ଦୀର୍ଘ ରାତି (୧୯୯୪)
  • କ୍ରମଶ ଗଭୀର ନଇ (୧୯୯୬)
  • ଅନ୍ତିମ (୧୯୯୬)
  • ଶିଖର ଲଙ୍ଘନ (୨୦୦୨)
  • ନାଗାନ୍ତକ ବିଦ୍ୟା (୨୦୦୪)
  • ସନ୍ଧିକାଳ (୨୦୦୭)

ନିବନ୍ଧ ସଙ୍କଳନ

  • ଦୃଷ୍ଟି ଓ ଦର୍ଶନ (୧୯୭୧)
  • ଏ ଯେଉଁ ପୃଥିବୀ (୧୯୭୫)
  • ମୁଁ ସତ୍ୟଧର୍ମା କହୁଛି (୧୯୭୭)
  • ମଧୁସନ୍ଧାନ (୧୯୭୮)
  • ଉତ୍ତର ଅରଣ୍ୟ (୧୯୭୦/୮୦)
  • ଅଶ୍ରୁତ ସ୍ୱର (୧୯୮୧)
  • କ୍ରୀତଦାସର ସ୍ୱପ୍ନ (୧୯୮୧)
  • ରଥ ସପ୍ତକ (୧୯୮୫)
  • ବିଶେଷ କଥନ (୨୦୦୫)
  • ଲଘୁ ସଂହିତା (୨୦୧୨)
  • ନିବନ୍ଧ ସଂଗ୍ରହ (୨୦୧୨)
  • ଉନ୍ମୋଚିତ ଦିଗ୍‌ବଳୟ (୨୦୧୨)

କବିତା ସଙ୍କଳନ

  • ତୁମ ପାଇଁ ପକ୍ଷୀଗାନ (୨୦୦୦)
  • ଆଗକୁ ବନସ୍ତ (୨୦୦୨)
  • ମୋ ଘର ବହୁତ ଦୂର (୨୦୧୨)

ଅନ୍ୟାନ୍ୟ ସଙ୍କଳନ

  • ଅତିବଡ଼ୀ ଶ୍ରୀମଦ୍‌ ଭାଗବତ ଗୀତା ଭାଷ୍ୟ-ଆଚାର୍ଯ୍ୟ ଶଙ୍କର (୨୦୦୯)
  • ରିଚାର୍ଡ ବାକ୍‌ଙ୍କ ଜନାଥନ୍‌ ସି’ଗଲ୍‌ର ଓଡ଼ିଆ ଅନୁବାଦ ‘ସାଗର ବିହଙ୍ଗ’
  • ପାଠଚକ୍ର ଡାଏରୀ (୨୦୦୨)
  • ମୃତ୍ୟୁ ଆରପାରିରୁ ସଙ୍କେତ (୨୦୦୩)

ସମ୍ମାନ ଓ ପୁରସ୍କାର

  • ପଦ୍ମଶ୍ରୀ, ୨୦୧୮
  • ଉତ୍କଳ ବିଶ୍ଵବିଦ୍ୟାଳୟଦ୍ଵାରା ଡି.ଲିଟ ଉପାଧି ପ୍ରଦାନ, ୨୦୧୨
  • ସାହିତ୍ୟ ଭାରତୀ ସମ୍ମାନ, ୨୦୧୧ 
  • ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ୨୦୧୦
  • ଲକ୍ଷ୍ନୌ ବିଶ୍ଵବିଦ୍ୟାଳୟଦ୍ଵାରା ଡି.ଲିଟ ଉପାଧି ପ୍ରଦାନ, ୨୦୦୮
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୭
  • ଶାରଳା ପୁରସ୍କାର, ୧୯୮୨
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
    • ଅଶ୍ରୁତ ସ୍ଵର ପ୍ରବନ୍ଧ ଓ ସମାଲୋଚନା ନିମନ୍ତେ, ୧୯୭୮
    • ଅସୂର୍ଯ୍ୟ ଉପନିବେଶ ଉପନ୍ୟାସ ନିମନ୍ତେ, ୧୯୭୭
  • ଝଙ୍କାର ପୁରସ୍କାର, ୧୯୭୪
  • ପ୍ରଜାତନ୍ତ୍ର ବିଷୁବ ପୁରସ୍କାର, ୧୯୬୩

ସୌଜନ୍ୟ: ଉଇକିପିଡିଅା

ସମ୍ବନ୍ଧିତ ଖବର