ପଞ୍ଚଭୂତରେ ଲୀନ ହେଲେ ଚନ୍ଦ୍ରଶେଖର

ଶ୍ରୀମନ୍ଦିରରୁ ଆସିଲା ରୋଷ ନିଆଁ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ

ଭୁବନେଶ୍ୱର : ବିଶିଷ୍ଟ ସାରସ୍ୱତ ସ୍ରଷ୍ଟା ଚନ୍ଦ୍ରଶେଖର ରଥଙ୍କ ଶେଷକୃତ୍ୟ ଆଜି ପୁରୀରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି। ଏଥିସହ ତାଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ଆଜି ଭୁବନେଶ୍ୱରସ୍ଥିତ ବାସଭବନରେ ବହୁ ସାହିତ୍ୟିକ, ଗବେଷକ ଓ ଛାତ୍ରଛାତ୍ରୀ ତାଙ୍କ ଶେଷ ଦର୍ଶନ କରିବା ପରେ ତାଙ୍କୁ ଖଣ୍ଡଗିରି ତପୋବନସ୍ଥିତ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରକୁ ନିଆଯାଇଥିଲା। ପରେ ମର ଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇଥିଲା। ଶ୍ରୀନଅର ନିକଟରେ ତାଙ୍କର ଶବାଧାର ଅଟକିବା ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସ୍ୱର୍ଗଦ୍ୱାରରେ ପହଞ୍ଚିବା ପରେ ବହୁ ସାହିତ୍ୟିକ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଶେଷ ଦର୍ଶନ କରିଥିଲେ। ପୁରୀ ଜିଲ୍ଲା ପୁଲିସ୍‌ ତରଫରୁ ତାଙ୍କୁ ଗାର୍ଡ ଅଫ୍‌ ଅନର୍‌ ଦିଆଯାଇଥିଲା। ପୁରୀ ଏସିପି ଡ.ସାର୍ଥକ ଷଡ଼ଙ୍ଗୀ ଓ ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ଶେଷ ସମ୍ମାନ ଜଣାଇଥିଲେ। ନୀଳାଦ୍ରି ଆଧ୍ୟାତ୍ମିକ ଟ୍ରଷ୍ଟ୍‍ ପକ୍ଷରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶିରି କପଡ଼ା ପ୍ରଦାନ କରାଯାଇଥିଲା। ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ଏବଂ ଟ୍ରଷ୍ଟ୍‍ର ବହୁ ସଦସ୍ୟ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। ଆଧ୍ୟାତ୍ମିକ ଚେତନା ସମ୍ବଳିତ ଅନନ୍ୟ ପୁସ୍ତକ ‘ରଥ ସପ୍ତକ’ର ଏହି ସ୍ରଷ୍ଟାଙ୍କ ପାଇଁ ଶ୍ରୀମନ୍ଦିରରୁ ରୋଷ ନିଆଁ ତଥା ବୈଷ୍ଣବାଗ୍ନି ଆସିଥିଲା। ଜ୍ୟେଷ୍ଠ ପୁତ୍ର ଶଶିଭୂଷଣ ରଥ ମୁଖାଗ୍ନି ଦେଇଥିଲେ।

ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ ପ୍ରଥମ ସଂସ୍କୃତ ଶ୍ଳୋକ

ଉଭୟ ଇଂରାଜୀ ଓ ଓଡ଼ିଆରେ ଧୂରୀଣ ସ୍ୱର୍ଗତ ରଥ ଜୀବନର ଶେଷ ଭାଗରେ ସଂସ୍କୃତରେ ଲେଖିବା ଆରମ୍ଭ କରିଥିଲେ। ସଂସ୍କୃତ ଶ୍ଳୋକ ଲେଖି ହୃଦାନନ୍ଦ ରାୟଙ୍କୁ ଶୁଣାଇ ଉତ୍ସାହିତ ହେବା ପରେ ଶ୍ଳୋକ ରଚନାରେ ମନ ନିବେଶ କରିଥିଲେ। ୨୦୧୨ରେ ରଥଯାତ୍ରା ସମୟରେ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପ୍ରଥମ ଶ୍ଳୋକ ରଚନା କରି ସେଇ ୪ ଧାଡ଼ିଆ ଶ୍ଳୋକକୁ ଛପାଇଥିଲେ। ପକେଟ୍‌ରେ ରହିବା ଭଳି ଛାପା କାର୍ଡରେ ଗୋଟିଏ ପଟେ ଥିଲା ଓଡ଼ିଆରେ ଲେଖା ସଂସ୍କୃତ ଶ୍ଳୋକ। ଅନ୍ୟପଟେ ସଂସ୍କୃତ ଶ୍ଳୋକ ସହ ଇଂରାଜୀ ଅନୁବାଦ ଛପା ଯାଇଥିଲା। ଏହାର ପ୍ରଥମ କପି ଶ୍ରୀଜଗନ୍ନାଥଙ୍କୁ ସମର୍ପଣ କରିବାକୁ ସେ ମତେ ଦେଇଥିଲେ। ଦ୍ୱିତୀୟ କପି ଗଜପତି ମହାରାଜା ଦିବ୍ୟସିଂହଙ୍କୁ ଦେବା ପାଇଁ କହିଥିଲେ। ଏହା ପରେ ସେ କ୍ରମାଗତ ସଂସ୍କୃତ ଶ୍ଳୋକ ଲେଖି ଚାଲିଲେ। ପରେ ୨୦୧୫ରେ ସଂସ୍କୃତରେ ‘ଋତୁ ଚିତ୍ରଶାଳା’ ପ୍ରକାଶ ପାଇଥିଲା। ଜଗନ୍ନାଥଙ୍କ ପ୍ରତି ତାଙ୍କର ଅସୀମ ଭକ୍ତିର ଏ ଥିଲା ଅନ୍ୟ ଏକ ଉଦାହରଣ।

ମୃତ୍ୟୁ ପୂର୍ବରୁ ଲୋଡ଼ିଥିଲେ ମହାପ୍ରସାଦ

ମୃତ୍ୟୁ ଡାକରା ଦେଇ ସାରିଥିଲା। କଣ୍ଠରୁ କଥା ବାହାରୁ ନଥିଲା। କିନ୍ତୁ ଅସ୍ପଷ୍ଟ ଭାଷାରେ ନିଜର ଶେଷ ଇଚ୍ଛା ବ୍ୟକ୍ତ କରିଥିଲେ। ପଅର ଦିନ ମେଡିକାଲ୍‌ରେ ଆଇସିୟୁରେ ଥାଇ କହିଥିଲେ, ମୋ ପାଇଁ ମହାପ୍ରସାଦ ଆଣ, ମୁଁ ଖାଇବି। ପୁତ୍ର ଶଶିଭୂଷଣ ଏହା ଶୁଣିବା କ୍ଷଣି ପୀତବାସ ରାଉତରାୟଙ୍କୁ ଯୋଗାଯୋଗ କରିଥିଲେ। ଶ୍ରୀ ରାଉତରାୟ ବି ତତ୍‌କ୍ଷଣାତ ପ୍ରଭୁଙ୍କ ଫେଣି ଖଜା ନେଇ ପହଞ୍ଚିଥିଲେ ଶ୍ରୀ ରଥଙ୍କ ଘରେ। ଶଶିଭୂଷଣ ମହାପ୍ରସାଦ ନେଇ ମେଡିକାଲ୍‌ରେ ବାପାଙ୍କୁ ଖୁଆଇଥିଲେ। ଅଙ୍ଗପ୍ରତ୍ୟଙ୍ଗ ନିଶ୍ଚଳ ହୋଇଯାଇଥିଲେ ମଧ୍ୟ ମହାପ୍ରସାଦ ପାଇବାକୁ ସେ ବ୍ୟାକୁଳ ହୋଇଥିଲେ।

ସମ୍ବନ୍ଧିତ ଖବର