ବିଜେଡି ସାଂସଦ ପ୍ରାର୍ଥୀ ଚନ୍ଦ୍ରାଣୀ ଅଡୁଆରେ

ବାପାଙ୍କ ନାଁ ନେଇ ବିଜେପିର ଅଭିଯୋଗ

କେନ୍ଦୁଝର : କେନ୍ଦୁଝର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ହୋଇଥିବା ଚନ୍ଦ୍ରାଣୀ ମୁର୍ମୁ ସତ୍ୟପାଠରେ ଦର୍ଶାଇଥିବା ପିତାଙ୍କ ନାମକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ କମିସନଙ୍କ ନିକଟରେ ଫେରାଦ ହୋଇଛି ବିଜେପି। ସତ୍ୟପାଠରେ ବାପାଙ୍କ ନାଁ ତିନିଟି ଜାଗାରେ ଅଲଗା ଅଲଗା ରହି ଥିବାରୁ ବିଜେପି ପ୍ରଶ୍ନ ଉଠାଇଛି। ଏହାକୁ ନେଇ କେନ୍ଦୁଝର ଜିଲ୍ଲାରେ ବେଶ ଚର୍ଚ୍ଚା ଚାଲିଛି। ଏଥିନେଇ ଭୁବନେଶ୍ୱରରେ ବିଜେପିର ଏକ ପ୍ରତିନିଧିଦଳ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସୂଚନା ମିଳିଛି।

ବିଜେପି ପକ୍ଷରୁ ହୋଇଥିବା ଅଭିଯୋଗ ଅନୁସାରେ ଜିଲ୍ଲା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଦାଖଲ ହୋଇଥିବା ନିଜ ନାମାଙ୍କନପତ୍ରରେ ଚନ୍ଦ୍ରାଣୀଙ୍କ ବାପାଙ୍କ ନାଁ ରହିଛି ସଂଜୀବ ମୁର୍ମୁ। ଭୋଟର କାର୍ଡରେ ତାଙ୍କ ବାପାଙ୍କ ନାଁ ସଞ୍ଜୀବ ସିହ୍ନା ରହିଛି। ସେହିପରି ଆଇଟିଇଆର୍‌ କଲେଜରେ ବି.ଟେକ ପଢିବା ବେଳେ ତାଙ୍କ ବାପାଙ୍କ ନାଁ କାର୍ତ୍ତିକ ଚନ୍ଦ୍ର ସୋରେନ୍ ରହିଛି।

ତିନିଟି ଜାଗାରେ ବାପାଙ୍କ ନାଁ ତିନି ପ୍ରକାର ଥିବାରୁ ରିଟର୍ଣ୍ଣିଂ ଅଫିସର କିପରି ତାଙ୍କ ନାମାଙ୍କନପତ୍ରକୁ କାଏମ ରଖିଲେ, ତାକୁ ନେଇ ସନ୍ଦେହ ହେଉଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି।

ଏ ସମ୍ପର୍କରେ ଆମେ ଚନ୍ଦ୍ରାଣୀଙ୍କ ସହିତ ଯୋଗାଯୋଗ କରିଥିଲୁ। ଚନ୍ଦ୍ରାଣୀ କହିଛନ୍ତି, ‘ମୋ ବାପାଙ୍କ ନାଁ ସଂଜୀବ ମୁର୍ମୁ। ମୋ’ ବାପା ତାଙ୍କ କାଗଜପତ୍ରରେ ସିହ୍ନା ଟାଇଟଲ୍ ବ୍ୟବହାର କରୁଥିଲେ। ସେହିପରି ପାଠ ପଢ଼ିବା ବେଳେ କାର୍ତ୍ତିକ ଚନ୍ଦ୍ର ସୋରେନ୍ ମୋର ଲୋକାଲ୍ ଗାର୍ଡିଆନ୍ ଥିଲେ।’

ସମ୍ବନ୍ଧିତ ଖବର