ଚନ୍ଦ୍ରଯାନ-୨ ଅଭିଯାନ ୯୮ ପ୍ରତିଶତ ସଫଳ ହୋଇଛି, ଗଗନଯାନ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ: ଶିବନ୍‌

ଚନ୍ଦ୍ରଯାନ-୨ର ପ୍ରଭାବ ଗଗନଯାନ ଉପରେ ପଡ଼ିବନି, ୨୦୨୧ ସୁଦ୍ଧା ନିଜ ରକେଟ୍‌ରେ ମହାକାଶକୁ ମାନବ ପଠାଇବ ଭାରତ, ମହାକାଶ ଜ୍ଞାନ ବିକାଶ ହିଁ ଫାଷ୍ଟ ଟ୍ରାକ୍ ବିକାଶ

ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ। ବିକ୍ରମର ସଫ୍ଟ ଲ୍ୟାଣ୍ଡିଂକୁ ଛାଡ଼ିଦେଲେ ଚନ୍ଦ୍ରଯାନ-୨ର ଅନ୍ୟ ସବୁ କାର୍ଯ୍ୟ ସଫଳ ହୋଇଛି। ଚନ୍ଦ୍ରଯାନ-୨ର ଅର୍ବିଟର ଏବେ ଆଶାଠାରୁ ଅଧିକ କାମ କରୁଛି। ଆସନ୍ତା ସାଢ଼େ ୭ବର୍ଷ ଯାଏ ଅର୍ବିଟର ଆମକୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେବ। ଚନ୍ଦ୍ରଯାନ-୨ର ଦୁଇଟି ଉଦ୍ଦେଶ୍ୟ ଥିଲା। ଏହାଦ୍ବାରା ଆମେ ଆମର ବିଜ୍ଞାନ ଓ ବୈଷୟିକ ଜ୍ଞାନର ପ୍ରଦର୍ଶନ କରିଥିଲୁ। ବିଜ୍ଞାନ ପ୍ରଦର୍ଶନ କ୍ଷେତ୍ରରେ ଆମେ ଶତ ପ୍ରତିଶତ ସଫଳ ହୋଇଛୁ। ବୈଷୟିକ ଜ୍ଞାନ ପ୍ରଦର୍ଶନ କ୍ଷେତ୍ରରେ ବି ପ୍ରାୟତଃ ସଂପୂର୍ଣ୍ଣ ସଫଳ ହୋଇଛୁ। ତେଣୁ ଚନ୍ଦ୍ରଯାନ-୨ ଅଭିଯାନ ୯୮ ପ୍ରତିଶତ ସଫଳ ହୋଇଛି ବୋଲି କୁହାଯିବ। ବିକ୍ରମ କାହିଁକି ସଫ୍ଟ ଲ୍ୟାଣ୍ଡିଂ କରି ପାରିଲାନି ସେ ନେଇ ଅଧିକ ଗବେଷଣା ଚାଲିଛି। ହେଲେ ଇସ୍ରୋର ଆ‌ଗାମୀ ଲକ୍ଷ୍ୟ ଗଗନଯାନ। ଚନ୍ଦ୍ରଯାନ-୨ର ପ୍ରଭାବ ଗଗନଯାନ ଉପରେ ପଡ଼ିବନି। ଗଗନଯାନ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ‌େବାଲି କହିଛନ୍ତି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ‘ଇସ୍ରୋ’ର ଅଧ୍ୟକ୍ଷ କେ.ଶିବନ୍।

ଆଜି ଆଇଆଇଟି, ଭୁବନେଶ୍ବରର ଅଷ୍ଟମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ଓଡ଼ିଶା ଆସିଥିବା ଅବସରରେ ଶ୍ରୀ ଶିବନ୍ କହିଛନ୍ତି ଯେ, ଇସ୍ରୋର ଆଗାମୀ ଲକ୍ଷ୍ୟ କେବଳ ଗଗନଯାନ। ୨୦୨୧, ଡିସେମ୍ବର ସୁଦ୍ଧା ମହାକାଶକୁ ମାନବ ପଠାଇବା ଆମର ଟାର୍ଗେଟ୍‌। ତାହା ପୁଣି ନିଜସ୍ବ ରକେଟ୍‌ରେ। ଏହାପୂର୍ବରୁ ୨୦୨୦, ଡିସେମ୍ବର ସୁଦ୍ଧା ଆମେ ମାନବବିହୀନ ମହାକାଶ ଯାନ ପଠାଇବୁ। ଜୁଲାଇ, ୨୦୨୧ରେ ଦ୍ବିତୀୟ ମାନବବିହୀନ ମହାକାଶ ଯାନ ପଠାଇବୁ। ଦୁଇଟିଯାକ ପ୍ରୟାସକୁ ସଫଳ କରି ଡିସେମ୍ବର, ୨୦୨୧ରେ ଆମେ ମହାକାଶକୁ ମାନବ ପଠାଇବାର ଲକ୍ଷ୍ୟ ହାସଲ କରିବୁ। ଏଥିପାଇଁ ଜୋରଦାର୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଏହି ଅବସରରେ ଶିବନ୍ କହିଥିଲେ ଯେ, ଏବେ ବହୁ ଲୋକ କହୁଛନ୍ତି ଭାରତ ଭଳି ଗରିବ ଦେଶ କାହିଁକି ମହାକାଶ ଗବେଷଣାରେ ଅଧିକ ଅର୍ଥ ଖର୍ଚ୍ଚ କରୁଛି। ସମସ୍ତେ ଜାଣିବା ଦରକାର ଯେ, ମହାକାଶ ଜ୍ଞାନ ବିକାଶ ହିଁ ଫାଷ୍ଟ ଟ୍ରାକ୍ ବିକାଶ। ଏବେ ଆମେ ଯାହା ବ୍ୟବହାର କରୁଛୁ ତାହା ମହାକାଶ ସହ ସଂପୃକ୍ତ। ଭାରତ ଗରିବ ବୋଲି ସମସ୍ତେ କହୁଛନ୍ତି; କିନ୍ତୁ ପ୍ରକୃତରେ ଭାରତ ଗରିବ ନୁହେଁ। ସବୁଠୁ ଅଧିକ ରିମୋଟ୍‌ ସେନ୍‌ସିଂ ସାଟେଲାଇଟ୍‌ ପଠାଇବାରେ ଭାରତ ବିଶ୍ବରେ ପ୍ରଥମ। କ୍ରୟଶକ୍ତି ସମତା ଆଧାରରେ ଭାରତ ବିଶ୍ବର ତୃତୀୟ ବୃହତ ଅର୍ଥନୀତି। ‌େନାମିନାଲ ଜିଡିପି (ବର୍ତ୍ତମାନ ବଜାର ଦର ଆଧାରିତ ମୋଟ ଜାତୀୟ ଉତ୍ପାଦ) ହିସାବରେ ଭାରତ ବିଶ୍ବର ପଞ୍ଚମ ବୃହତ ଅର୍ଥନୀତି। ତେଣୁ ଭାରତ ବିଶ୍ବରେ ନିଜର ଗୁରୁତ୍ବ ବଢ଼ାଇବା ପାଇଁ ମହାକାଶ ଜ୍ଞାନକୁ ଗୁରୁତ୍ବ ଦେବା ଦରକାର। ସମସ୍ତେ ଜାଣିବା ଦରକାର ଯେ, ଲୋକଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଇସ୍ରୋ ମହାକାଶ ଗବେଷଣା କରୁଛି।

ଏହି ଅବସରରେ ଶ୍ରୀ ଶିବନ୍ ଆଇଆଇଟିର ଡିଗ୍ରିଧାରୀମାନଙ୍କୁ ଦୀକ୍ଷାନ୍ତ ଭାଷଣ ଦେବା ସହ ସେମାନଙ୍କୁ ଡିଗ୍ରି ପ୍ରମାଣପତ୍ର ଓ ପଦକ ଆଦି ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର