ଜିଭିଭି ଶର୍ମା ରାଜସ୍ୱ ପର୍ଷଦ ସଭ୍ୟ ନିଯୁକ୍ତ

ଆଇଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍‌ ଅଫିସର ତଥା ଉଚ୍ଚଶିକ୍ଷା ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟଶାସନ ସଚିବ ଜି ଭି ଭି ଶର୍ମାଙ୍କୁ ରାଜ୍ୟ ସରକାର ରାଜସ୍ୱ ପର୍ଷଦ ସଭ୍ୟ ଭାବେ ନିଯୁକ୍ତି ଦେଇଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ବିଷ୍ଣୁପଦ ସେଠୀଙ୍କୁ ତାଙ୍କ ସ୍ଥାନରେ ଉଚ୍ଚଶିକ୍ଷା ସଚିବ ଭାବେ ନିଯୁକ୍ତି ଦିଆଯାଇଛି। କିନ୍ତୁ ଶ୍ରୀ ସେଠୀ ପୂର୍ବଭଳି ସ୍ୱତନ୍ତ୍ର ରିଲିଫ୍‌ କମିସନର ଓ ଓସ୍‌ଡମା ଏମ୍‌ଡି ଭାବେ କାର୍ଯ୍ୟ କରିବେ। ଏଥିସହିତ ରାଜ୍ୟ ସରକାର ଆଇଏଏସ୍‌ ଅଫିସରସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀଗସ୍ତରେ ଯିବା ପୂର୍ବରୁ ଏଥିରେ ମୋହର ଲଗାଇଥିଲେ ଓ ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ସରକାରୀ ସୂଚନା ଅନୁଯାୟୀ, ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ମୋନା ଶର୍ମାଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି। କ୍ରୀ଼ଡ଼ା ଓ ଯୁବ ସେବା ସଚିବ ବିଶାଳ କୁମାର ଦେବଙ୍କୁ ସରକାର ପୂର୍ବ ଦାୟିତ୍ୱ ସହିତ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ଦେଇଛନ୍ତି। ସେହିପରି ହସ୍ତତନ୍ତ ଓ ବୟନ ବିଭାଗର ଅତିରିକ୍ତ ସଚିବ ପୁରୁଷୋତ୍ତମ ସାହୁଙ୍କର ସ୍ୱାସ୍ଥ୍ୟ ବିଭାଗକୁ ବଦଳି କରାଯାଇଥିବା ବେଳେ ସେଠାରେ ଥିବା ଗୋସ୍ୱାମୀ ଗୋଲକ ଦେବତାଙ୍କୁ ଆଇଜିଆର୍‌ ସହିତ ରାଜସ୍ୱ ପର୍ଷଦ ସଭ୍ୟଙ୍କ ସଚିବ ଭାବେ ନିଯୁକ୍ତି ମିଳିଛି। ଜଳସଂପଦ ବିଭାଗର ଯୁଗ୍ମ ସଚିବ ଭି ଜୟ କୁମାରଙ୍କୁ ଯୋଜନା ଓ ସମନ୍ଵୟ ବିଭାଗକୁ ବଦଳି କରାଯାଇଛି। ଧର୍ମଗଡ ଉପଜିଲ୍ଲାପାଳ ଡ. ୟେଦୁଲ୍ଲା ବିଜୟଙ୍କୁ ଗୃହ ବିଭାଗର ଅନୁଶାସନ ସଚିବ, ଯୋଗାଣ ନିଗମ ଏମ୍‌ଡି ନିରଞ୍ଜନ ନାୟକଙ୍କୁ ଓଡ଼ିଶା ଉଠା ଜଳସେଚନ ନିଗମ ଏମ୍‌ଡି ଭାବେ ବଦଳି କରାଯାଇଛି। ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ଏମ୍‌ଡି ସରୋଜ ସାମଲଙ୍କୁ ଯୋଗାଣ ନିଗମ ଏମ୍‌ଡି ଭାବେ ନିଯୁକ୍ତି ଦିଆଯାଇଛି। ତେବେ ରାଜସ୍ୱ ପର୍ଷଦ ସଭ୍ୟ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାର ଅଧିକାରୀ ବିପିନ୍‌ କୁମାର ସାକ୍‌ସେନାଙ୍କୁ ନୂଆ ନିଯୁକ୍ତି ମିଳିନାହିଁ।

ସମ୍ବନ୍ଧିତ ଖବର