ସଂରକ୍ଷିତ ହେବ ବେଜବରୁଆ ଘର, କାର୍ଯ୍ୟାଳୟ

ପରିବର୍ତ୍ତନ ହେବ କଚେରି ଛକ ସମ୍ପ୍ରସାରଣ ଲେଆଉଟ୍‌-ଡିଜାଇନ!

ସମ୍ବଲପୁର:ଅହମିୟା କବି ଲକ୍ଷ୍ମୀନାଥ ବେଜବରୁଆଙ୍କ ବାସଭବନ ଏବଂ କାର୍ଯ୍ୟାଳୟକୁ ସଂରକ୍ଷିତ କରିବା ପାଇଁ ନେଲସନ ମଣ୍ଡେଲା ଛକ ସମ୍ପ୍ରସାରଣର ଡିପିଆର ଏବଂ ଲେଆଉଟ ପରିବର୍ତ୍ତନ ପାଇଁ ପୂର୍ତ୍ତ ବିଭାଗକୁ କୁହାଯିବ। ଏଥିସହିତ ଓଡ଼ିଶା ଏବଂ ଆସାମ ସରକାରଙ୍କ ମିଳିତ ଉଦ୍ୟମରେ କଳା ଏବଂ ସଂସ୍କୃତି ରକ୍ଷା ପାଇଁ ଏହି କୋଠାର ବିକାଶ ହେବ। ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହିତ ଏହି ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି ଆସାମ ସଂସ୍କୃତି ମନ୍ତ୍ରୀ ନବ କୁମାର ଡୋଲେ ଏବଂ ଆସାମ ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତା ହୃଶୀକେଶ ଗୋସ୍ୱାମୀ। ଉଭୟ ମଙ୍ଗଳବାର ଏହି ଚୁକ୍ତିନାମା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସହିତ ଆଲୋଚନା କରିବେ। ସୋମବାର ସକାଳୁ ମନ୍ତ୍ରୀ ନବ କୁମାର ଡୋଲେ, ମିଡିଆ ପରାମର୍ଶଦାତା ହୃଶୀକେଶ ଗୋସ୍ୱାମୀ ସକାଳେ ପ୍ରଥମେ ମୁଣ୍ଡିଆ ମାରି ବେଜବରୁଆଙ୍କ ବାସଭବନ ଏବଂ ସାଧନ ଗୃହକୁ ପ୍ରବେଶ କରି ସ୍ଥିତି ଅନୁଧ୍ୟାନ କରିଥିଲେ।

ସମ୍ବଲପୁରର ନେଲ୍‌ସନ ମଣ୍ଡେଲା ଛକର ସଂପ୍ରସାରଣ ପାଇଁ ବେଜବରୁଆ ଭବନର ବଳି ପଡ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ଏହାର ସୁରକ୍ଷା ପାଇଁ ଚାରି ଜଣିଆ ଦଳ ସହିତ ରବିବାର ସମ୍ବଲପୁର ପହଞ୍ଚିଥିଲେ ଆସାମ ସଂସ୍କୃତି ମନ୍ତ୍ରୀ ନବ କୁମାର ଡୋଲେ ଏବଂ ଆସାମ ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତା ହୃଶିକେଶ ଗୋସ୍ୱାମୀ। ବେଜବରୁଆଙ୍କ ବାସଭବନକୁ ନ ଭାଙ୍ଗି ରଖିବା ଉପରେ କେତେକ ସମସ୍ୟା ରହିଛି। ମହାନଦୀର ଦ୍ୱିତୀୟ ପୋଲ ଠାରୁ କଚେରୀ ରାସ୍ତାକୁ ସଂଯୋଗ କରିବାକୁ ଥିବା ମାର୍ଗ ସିଧାସଳଖ ଏହି ଘର ପାଖରେ ଆସି ପହଞ୍ଚୁଛି। ମହାନଦୀ ପୋଲର ଉଚ୍ଚତା ରିଙ୍ଗରୋଡ଼ର ଠାରୁ ଉର୍ଦ୍ଧ୍ୱରେ ଥିବାଯୋଗୁଁ ଏକ ରାସ୍ତା ଗଡ଼ାଣିଆ ହୋଇ ରହିବ। ବେଜବରୁଆ ଭବନ ଏଥିପାଇଁ ବ୍ଲାଇଣ୍ଡ ଜୋନ ବା ଦୃଷ୍ଟିବାଧକ ରୂପେ ପ୍ରମାଣିତ ହେବ। ତେଣୁ ଏହା ଟ୍ରାଫିକ୍‌ ସମସ୍ୟା ଉତ୍ପନ୍ନ କରିବ। ତେବେ ଆସାମ ଓ ଓଡ଼ିଶାବାସୀଙ୍କ ଭାବାବେଗ ଜଡ଼ିତ ପ୍ରସଙ୍ଗ ହୋଇଥିବାରୁ ରୋଟାରୀ ପାଇଁ ପ୍ରସ୍ତୁତ ନକ୍ସାର ସମୀକ୍ଷା କରାଯାଇ ଆବଶ୍ୟକୀୟ ପରିବର୍ତ୍ତନ ଜରିଆରେ ଘରଟିକୁ ବଞ୍ଚାଇବା ସକାଶେ ଚେଷ୍ଟା କରାଯିବ। ଏଥିପାଇଁ ଯନ୍ତ୍ରୀମାନଙ୍କ ପରାମର୍ଶ ଲୋଡ଼ାଯିବ। ବେଜବରୁଆ ଭବନର ସଂରକ୍ଷଣ ଏବଂ ଏହାକୁ ସ୍ମୃତି ସଦନରେ ପରିଣତ କରିବା ବାବଦରେ ଓଡ଼ିଶା ଏବଂ ଆସାମ ସରକାର ମିଳିତ ଭାବରେ କାର୍ଯ୍ୟ କରିବେ। ଭବନର ଜୀର୍ଣ୍ଣୋଦ୍ଧାର କାର୍ଯ୍ୟ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଏବଂ ଏହାକୁ ବେଜବରୁଆ ସ୍ମୃତି ଭବନରେ ପରିଣତ କରିବାର ପଦକ୍ଷେପ ଆସାମ ସରକାରଙ୍କ ଦ୍ୱାରା କରାଯିବ। ଏଠାରେ ବେଜବରୁଆଙ୍କର ଫଟୋଚିତ୍ର, ତାଙ୍କର ପୁସ୍ତକରାଜି ଏବଂ ଆସାମର ସଂସ୍କୃତିର ଝଲକ ସାଙ୍ଗକୁ ଗଙ୍ଗାଧର ମେହେରଙ୍କ ଫଟୋଚିତ୍ର ଏବଂ ପୁସ୍ତକରାଜି ତଥା ସମ୍ବଲପୁରୀ ସଂସ୍କୃତିର ଝଲକ ସ୍ଥାନ ପାଇବ। ଏଠାରେ ସାହିତ୍ୟିକ କର୍ମଶାଳା ଏବଂ ଅନ୍ୟାନ୍ୟ ସାହିତ୍ୟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସୁବିଧା ରହିବ। ସୋମବାର ଜିଲ୍ଲାପାଳଙ୍କ ସହିତ ଆଲୋଚନା ପୂର୍ବରୁ ସକାଳ ପ୍ରାୟ ୯.୩୦ ମିନିଟରେ ଆସାମ ସଂସ୍କୃତି ମନ୍ତ୍ରୀ ଡୋଲେ ଏବଂ ଆସାମ ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ପରାମର୍ଶଦାତା ଗୋସ୍ୱାମୀ ପ୍ରଥମେ ବେଜବରୁଆଙ୍କ ସାଧନ ଗୃହ ଏହାପରେ ତାଙ୍କ ବାସଭବନ ଦେଖିଥିଲେ। ମହାନଦୀ ବ୍ରିଜ ପର୍ଯ୍ୟନ୍ତ ଯାଇ ଏହାର ସୁରକ୍ଷା ଏବଂ ବିକାଶ ନେଇ ଆଲୋଚନା କରିଥିଲେ। ଏହି ଅବସରରେ ସେମାନଙ୍କ ସହିତ ଥିଲେ କୋଲକାତାରେ କାର୍ଯ୍ୟରତ ରେସିଡେଣ୍ଟ କମିସନର ଅଫ ଆସାମ ଡି ଚକ୍ରବର୍ତ୍ତୀ, ଅହମିୟା ସାହିତ୍ୟ ସାଧକ ଏକେ ଭର୍ଲି, ସମ୍ବଲପୁର ଉପଜିଲ୍ଲାପାଳ ପ୍ରଦୀପ ସାହୁ, ତହସିଲଦାର ଦେବେନ୍ଦ୍ର ନନ୍ଦ, ବେଜବରୁଆ ସ୍ମୃତି କମିଟିର ଦୀପକ ପଣ୍ଡା। ଏହାପରେ ତିନୋଟି ପ୍ରମୁଖ ବିନ୍ଦୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିଲେ। ଏଥିଅନୁଯାୟୀ, ବର୍ତ୍ତମାନର ଡିପିଆର, ଲେଆଉଟ ପ୍ଲାନ ଅନୁଯାୟୀ ପ୍ରସ୍ତାବିତ ନେଲସନ ମଣ୍ଡେଲା କଚେରି ଛକ ସମ୍ପ୍ରସାରଣରେ ଅହମିୟା କବି ଲକ୍ଷ୍ମୀକାନ୍ତ ବେଜବରୁଆଙ୍କ ବାସଭବନ ଏବଂ କାର୍ଯ୍ୟାଳୟ ପ୍ରଭାବିତ ହେବାର ଆଶଙ୍କା ରହିଛି।

ଏହାର ସୁରକ୍ଷା ପାଇଁ ଜିଲ୍ଲାପାଳ ସମସ୍ତ ପ୍ରକାର ପଦକ୍ଷେପ ନେବା ସହିତ ଡିପିଆର ଏବଂ ଲେଆଉଟ ପ୍ଲାନରେ ପରିବର୍ତ୍ତନ ପାଇଁ ପଦକ୍ଷେପ ନିଆଯିବ। ବେଜବରୁଆଙ୍କ ଏହି ସ୍ମୃତି ପୀଠ ସଂରକ୍ଷଣ ନେଇ ଆସାମ ମୁଖ୍ୟମନ୍ତ୍ରୀ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଦେଇଛନ୍ତି। ଏହି ପତ୍ର ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଦେବା ସହିତ ବାସଭବନ ସଂରକ୍ଷଣ ଏବଂ ପୁନରୁଦ୍ଧାର ନେଇ ଅନ୍ତିମ ଆଲୋଚନା କରିବେ। ପିଡବ୍ଲୁଡି ଏସଇ ଭଟ୍ଟ ଭୋଇ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଗୌରାଙ୍ଗ ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ନାରାୟଣ ପଟେଲ, ଇନଟାକ ସମ୍ବଲପୁର ସଭାପତି ତାରିଣୀ ପଣ୍ଡା, ପ୍ରେସ କ୍ଲବ ସମ୍ପାଦକ ରାଜାରାମ ପାଢୀ, ଆଇନଜୀବୀ ସୂର୍ଯ୍ୟ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର