ଛତିଶଗଡ଼ର ପୁଣି ଏକ ଷଡ଼୍‍ଯନ୍ତ୍ର

ସୀମାନ୍ତରେ ନିର୍ମାଣ କରୁଛି ଡ୍ୟାମ୍‌

ଚନ୍ଦାହାଣ୍ଡି: ତେଲନଦୀ ପାଣିକୁ ନେଇ ଛତିଶଗଡ଼ ସରକାରଙ୍କ ପୁଣି ଏକ ଷଡ଼ଯନ୍ତ୍ର ପଦାକୁ ଆସିଛି। ତିନି ହଜାରରୁ ଊର୍ଧ୍ୱ ଏକର ଜମିକୁ ଜଳସେଚନ କରିବା ପାଇଁ ଏକ ମେଗା ପ୍ରକଳ୍ପ ହାତକୁ ନେଇଛନ୍ତି ଛତିଶଗଡ଼ ସରକାର। ଯାହାର ପ୍ରଭାବ ଆଗାମୀ ଦିନରେ ଛତିଶଗଡ଼ ସୀମାନ୍ତ ତଥା ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦାହାଣ୍ଡି ବ୍ଲକର ଶହ ଶହ ଏକର ଚାଷ ଜମି ଉପରେ ପଡ଼ିବାକୁ ଯାଉଛି। ଏପରିକି ସୀମାନ୍ତରେ ରହିଥିବା ଓଡ଼ିଶାର କେତେକ ଗାଁ ଜଳମଗ୍ନ ହେବ ବୋଲି କୁହାଯାଉଛି। ଦ୍ରୁତ ଗତିରେ ଏହି ପ୍ରକଳ୍ପ କାମ ଚାଲିଥିବା ବେଳେ ଆଶଙ୍କା ମଧ୍ୟରେ ରହିଛନ୍ତି ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଖପରାଡ଼ିହି ଅଞ୍ଚଳର ଲୋକ। ଅନ୍ୟପକ୍ଷରେ ରାଜ୍ୟ ସରକାର କିମ୍ବା ନବରଙ୍ଗପୁର ଜିଲ୍ଲା ତଥା ଚନ୍ଦାହାଣ୍ଡି ବ୍ଲକ ପ୍ରଶାସନ ନିକଟରେ ଏନେଇ କୌଣସି ସୂଚନା ନାହିଁ।ତେଲନଦୀ-ବରାହୀ ନଦୀର ସଂଗମ ସ୍ଥଳରେ ଏକ ମେଗା ଡ୍ୟାମ୍‌ ପ୍ରକଳ୍ପ କାମ ଆରମ୍ଭ କରିଛନ୍ତି ଛତିଶଗଡ଼ ସରକାର। ଏହି ପ୍ରକଳ୍ପ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଖପରାଡ଼ିହି ଗାଁର ସୀମା ଠାରୁ ମାତ୍ର ୫ଶହ ମିଟର ଦୂରରେ ନିର୍ମାଣ ଚାଲିଛି। ଆଡ଼ିବନ୍ଧ ନିର୍ମାଣ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ଛତିଶଗଡ଼ ସରକାର ୧୮କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଯାହାର ନିର୍ମାଣ ଦାୟିତ୍ୱ ଛତିଶଗଡ଼ର ଅମିତ କନ୍ସଷ୍ଟ୍ରକସନ ନାମକ ଏକ ଠିକା କମ୍ପାନି ନେଇଛି। ବର୍ତମାନ ମାଟି ଖୋଳି କଂକ୍ରିଟ କାନ୍ଥ ଉଠି ସାରିଲାଣି। ଆଧୁନିକ ଯନ୍ତ୍ରପାତି ସହ ଦକ୍ଷ ବୈଷୟିକ ଟିମ୍‌ ଏଥିରେ ନିୟୋଜିତ ହୋଇଛନ୍ତି। ତେଲ ଓ ବରାହୀ ନଦୀର ଜଳକୁ ଅଟକାଇ ତାହାକୁ ଜଳସେଚନ ପାଇଁ ବ୍ୟବହାର କରିବାକୁ ଏହି ପ୍ରକଳ୍ପକୁ ପଡୋଶୀ ରାଜ୍ୟର ସରକାର ନିର୍ମାଣ କରୁଥିବା ଠିକା ସଂସ୍ଥାର ଇନଚାର୍ଜ ଏଲ.ପି. ଚର୍ତୁବେଦୀ ପ୍ରକାଶ ପ୍ରକାଶ କରିଛନ୍ତି। ତେବେ ଗଚ୍ଛିତ ଜଳକୁ କେନାଲ କିମ୍ବା ପମ୍ପ ଲଗାଇ ସିଧାସଳଖ ଜଳସେଚନ କରାଯିବ ନାହିଁ। ମାଟି ତଳେ ପାଇପ ବିଛାଇ ପାଣିକୁ ଜମି ପର୍ଯ୍ୟନ୍ତ ନିଆଯିବ ବୋଲି ଜଣାପଡ଼ିଛି।

ଛତିଶଗଡ଼ର ଦେଓଭୋଗ ବ୍ଲକର ୩୦ ଖଣ୍ଡ ଗାଁକୁ ଜଳସେଚନ ପାଇଁ ଏହି ପ୍ରକଳ୍ପର ପରିକଳ୍ପନା ବହୁ ବର୍ଷ ତଳେ ଛତିଶଗଡ଼ ସରକାର କରିଥିଲେ। ଆଗକୁ ବାସ୍ତବ ରୂପ ନେବାକୁ ଯାଉଥିବା ବେଳେ ପଡୋଶୀ ରାଜ୍ୟର ୩ହଜାରରୁ ଊର୍ଧ୍ୱ ଏକର ଜମିକୁ ପାଣି ମାଡ଼ିବ ବୋଲି ଶୁଣିବାକୁ ମିଳିଛି। ଯାହାକି ଏବେ ଚନ୍ଦାହାଣ୍ଡି ବ୍ଲକ ଖପରାଡ଼ିହି ମୌଜାର ଅଞ୍ଚଳର ଲୋକଙ୍କୁ ଚିନ୍ତାରେ ପକାଇଛି। କାରଣ ଏହି ଅଞ୍ଚଳର ଶତାଧିକ ଚାଷୀ ତେଲନଦୀ ଜଳ ଉପରେ ଚାଷ ପାଇଁ ନିର୍ଭର କରୁଥିଲେ। ଛତିଶଗଡ଼ ଆଡ଼ି ବନ୍ଧ ନିର୍ମାଣ କରିବା ଦ୍ୱାରା ନଦୀର ପ୍ରବାହ କମିବା ସହ ଚାଷ ଜମି ପର୍ଯ୍ୟନ୍ତ ପାଣି ପହଞ୍ଚିବ ନାହିଁ। ସେହିପରି ଜଳ ଗଚ୍ଛିତ କରି ରଖାଗଲେ ଚନ୍ଦାହାଣ୍ଡି ବ୍ଲକର କେତେକ ସୀମାନ୍ତ ଗାଁ ବି ଜଳମଗ୍ନ ହେବ ବୋଲି ଅନୁମାନ କରାଯାଉଛି। ଏଭଳି ଭାବେ ଓଡ଼ିଶାର ଦୁଇ ପଟୁ କ୍ଷତି ହେବ ବୋଲି ସ୍ଥାନୀୟ ଲୋକ କହିଛନ୍ତି।

ସମ୍ବନ୍ଧିତ ଖବର