ପୁରୀ : ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ନୂଆ କରି ମୁଖ୍ୟ ପ୍ରଶାସକ ଦାୟିତ୍ଵ ନେଇଥିବା ପ୍ରଦୀପ୍ତ କୁମାର ମହାପାତ୍ର ଆଜିର ବୈଠକରେ ଅଧ୍ୟକ୍ଷତା କରି ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ନିମନ୍ତେ ଛତିଶା ନିଯୋଗ କର୍ମକର୍ତାଙ୍କ ସହ ଆଲୋଚନା କରିଥିଲେ। ଅନ୍ୟପଟେ ରଥଯାତ୍ରା ପାଇଁ ଚୂଡ଼ାନ୍ତ ନୀତି ନିର୍ଘଣ୍ଟ ଉପରେ ଛତିଶା ନିଯୋଗ ମୋହର ମାରିଛି। ସକାଳ ସାଢ଼େ ୯ଟାରେ ପହଣ୍ଡି ବିଜେ ଓ ଅପରାହ୍ଣ ୪ଟାରେ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବୈଠକରେ ସ୍ଥିର ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ତିନୋଟି ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ନୀତି ସବ୍କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରଥଯାତ୍ରା ନୀତି ଉପରେ ବିସ୍ତୃତ ଆଲୋଚନା ପରେ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଥିଲା। ଆସନ୍ତା ଜୁଲାଇ ୧୪ରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଚୂଡ଼ାନ୍ତ ନୀତି ଅନୁସାରେ ଏହି ଦିନ ସକାଳ ୬ଟାରେ ମଙ୍ଗଳ ଆଳତି କରାଯିବ। ସକାଳ ୬ଟା୧୦ରେ ମହାପ୍ରଭୁଙ୍କ ମଇଲମ ପରେ ସାଢ଼େ ୬ଟାରେ ତଡ଼ପଲାଗି ଓ ରୋଷହୋମ ନୀତି ଅନୁଷ୍ଠିତ ହେବ। ସକାଳ ୭ଟାରେ ଅବକାଶ ନୀତି, ୭ଟା୧୦ରେ ସୂର୍ଯ୍ୟପୂଜା, ୭ଟା୩୦ରେ ଦ୍ଵାରପାଳ ପୂଜା ଓ ବେଶ ଶେଷ ହେବ। ସକାଳ ୮ରୁ ୯ଟା ଭିତରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ (ଖେଚୁଡ଼ି ଭୋଗ) ନୀତି ଅନୁଷ୍ଠିତ ହେବ। ସକାଳ ୯ଟାରେ ରଥ ପ୍ରତିଷ୍ଠା କରାଯିବ। ୯ଟା୧୫ରେ ମଙ୍ଗଳାର୍ପଣ ପରେ ସାଢ଼େ ୯ଟାରେ ତିନି ଠାକୁର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଶ୍ରୀମନ୍ଦିରରୁ ରଥ ଉପରକୁ ପହଣ୍ଡି ବିଜେ କରିବେ। ମଧ୍ୟାହ୍ନ ୧୨ଟା ୩୦ରେ ପହଣ୍ଡି ଶେଷ ପରେ ସାଢ଼େ ୧୨ଟାରୁ ଗୋଟାଏ ଭିତରେ ମଦନ ମୋହନ ରଥ ଉପରକୁ ବିଜେ କରିବେ।
ଅପରାହ୍ଣ ସାଢ଼େ ଗୋଟାଏରୁ ୨ଟା ପର୍ଯ୍ୟନ୍ତ ଚିତାଲାଗି ନୀତି ଅନୁଷ୍ଠିତ ହେବ। ସାଢ଼େ ଗୋଟାଏରୁ ସାଢ଼େ ୨ଟା ଭିତରେ ବେଶ ଶେଷ ପରେ ଛେରାପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ଣ ୨ରୁ ୩ଟା ମଧ୍ୟରେ ଗଜପତି ମହାରାଜ ତିନି ରଥରେ ଛେରାପହଁରା କରିବେ। ଅପରାହ୍ଣ ୩ରୁ ୪ଟା ପର୍ଯ୍ୟନ୍ତ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗି ନୀତି ଅନୁଷ୍ଠିତ ହେବ। ଠାକୁରଙ୍କ ସବୁ ନୀତି ଶେଷ ହେବା ପରେ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ। ତିନି ଠାକୁର ତିନି ରଥରେ ବଡ଼ଦାଣ୍ଡରେ ଶ୍ରୀଗୁଣ୍ଡିଚା ଯାତ୍ରା ଆରମ୍ଭ କରିବେ। ଏଥି ସହ ଚକା ବିଜେ, ଖଳିଲାଗି ଏକାଦଶୀ, ରାଜପ୍ରସାଦ ବିଜେ, ଘଣାଲାଗି ତ୍ରୟୋଦଶୀ, ବନକଲାଗି ଚତୁର୍ଦ୍ଦଶୀ, ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ, ହେରାପଞ୍ଚମୀ, ରଥ ଦକ୍ଷିଣ ମୋଡ଼, ସଂଧ୍ୟା ଦର୍ଶନ, ବାହୁଡ଼ା ଯାତ୍ରା, ସୁନାବେଶ ନୀତି ନିର୍ଘଣ୍ଟ ହୋଇଥିଲା। ନୀତି ସବ୍ କମିଟିରେ ରଥଯାତ୍ରା ନୀତି ଚୂଡ଼ାନ୍ତ ପରେ ଦଇତା ନିଯୋଗ ବୈଠକରେ ଏହା ଉପରେ ଆଲୋଚନା ହୋଇଥିଲା। ଦଇତା ନିଯୋଗ ବୈଠକ ପରେ ଛତିଶା ନିଯୋଗ ବୈଠକରେ ଚୂଡ଼ାନ୍ତ ନୀତି ଉପରେ ଆଲୋଚନା ହୋଇଥିଲା। ଆଜି ଛତିଶା ନିଯୋଗ ବୈଠକରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍, ଆରକ୍ଷୀ ଅଧିକ୍ଷକ ସାର୍ଥକ ଷଡ଼ଙ୍ଗୀ, ନୀତି ପ୍ରଶାସକ ପ୍ରଦୀପ କୁମାର ଦାଶଙ୍କ ସମେତ ବିଭିନ୍ନ ନିଯୋଗର କର୍ମକର୍ତା ଉପସ୍ଥିତ ଥିଲେ।