ଛତିଶା ନିଯୋଗ ବୈଠକ : ନୀତି ସହ ସଂପୃକ୍ତ ପାଳିଆ ସେବକ ଗର୍ଭଗୃହକୁ ଯିବେ

ପୁରୀ : ଛତିଶା ନିଯୋଗ ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ନେଇ ବହୁ ପର୍ଯ୍ୟାଲୋଚନା ହେଉଥିଲା। କିନ୍ତୁ ଆଜିର ବୈଠକରେ କୌଣସି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇ ପାରିନି। କେବଳ ହାଇକୋର୍ଟଙ୍କ ନିର୍ଦେଶର କାର୍ଯ୍ୟକାରିତା ଓ ଚନ୍ଦନଯାତ୍ରା ଉପରେ ବୈଠକ ସୀମିତ ରହିଛି। ସେପଟେ ହାଇକୋର୍ଟଙ୍କ ନିର୍ଦେଶ ପରେ ନୀତି ସହ ସଂପୃକ୍ତ ପାଳିଆ ସେବକମାନେ ହିଁ ଗର୍ଭଗୃହକୁ ଯିବେ ବୋଲି ଆଜିର ବୈଠକରେ ନିଷ୍ପତ୍ତି ହୋଇଛି। ହାଇକୋର୍ଟଙ୍କ ନିର୍ଦେଶ ଉପରେ ଅନେକ ସେବାୟତ ଅସନ୍ତୁଷ୍ଟ ଥିବାବେଳେ ସେମାନେ କୋର୍ଟରେ ନିଜ ନିଜ ପକ୍ଷ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ପରାମର୍ଶ ଦେଇଛି। ଜଗମୋହନ ଖୋଲିବା ନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇ ନଥିଲେ ବି ୧୬ ତାରିଖ ଭିତରେ ଏହି କାର୍ଯ୍ୟ ସଂପନ୍ନ ହେବ ବୋଲି ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ଅରବିନ୍ଦ ଅଗ୍ରୱାଲ୍‌ କହିଛନ୍ତି।

‘ସୁନା ଚୋର’ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ

ପୁରୀ : ସୁନା ଚୋର ଘଟଣାକୁ ନେଇ ଛତିଶା ନିଯୋଗ ବୈଠକରେ ପ୍ରବଳ ହଟ୍ଟଗୋଳ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତମାନେ ବୈଠକ ଆରମ୍ଭରୁ ଏହି କଥାକୁ ନେଇ ମୁହାଁମୁହିଁ ହୋଇଥିଲେ। ଗତ ୪ ତାରିଖରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯେଉଁ କମିଟି ଶ୍ରୀମନ୍ଦିର ଭିତରକୁ ଯାଇଥିଲେ ଯାଞ୍ଚ ସାରି ଫେରିବା ସମୟରେ ପ୍ରବଳ ବିରୋଧର ଶିକାର ହୋଇଥିଲେ। ଆଜି ଛତିଶା ନିଯୋଗ ବୈଠକ ଆରମ୍ଭରୁ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍‌ ଏହି ପ୍ରସଙ୍ଗକୁ ଉଠାଇଥିଲେ। ସିଧାସଳଖ ଦାମୋଦର ମହାସୁଆରଙ୍କୁ ଏ ନେଇ ପ୍ରଶ୍ନ କରିଥିଲେ। ପ୍ରଥମେ ଦାମୋଦର ମହାସୁଆର ଏହାର ପ୍ରବଳ ବିରୋଧ କରିଥିଲେ। ଜିଲ୍ଲାପାଳଙ୍କ ସହ ଦାମୋଦରଙ୍କ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ସେବାୟତମାନେ ବୈଠକ ଛାଡ଼ି ଚାଲିଯିବାକୁ ବାହାରୁଥିବାବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଅନ୍ୟମାନେ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧିତ ଖବର