ଓଡ଼ିଶା ଜମିରେ ଦାନୀ କର୍ଣ୍ଣ: ଦାବି ଜାହିର କଲା ଛତିଶଗଡ଼ ପ୍ରଶାସନ

ସିନାପାଲି: ଓଡ଼ିଶାର ଜମିକୁ ଦାନୀ କର୍ଣ୍ଣଙ୍କ ଭଳି ଛତିଶଗଡ଼ ସରକାର ନିଜ ରାଜ୍ୟର ଭୂମିହୀନଙ୍କୁ ବାଣ୍ଟିବା ଘଟଣା ଦୁଇ ରାଜ୍ୟ ମଧ୍ୟରେ ପୁଣି ଏକ ନୂଆ ବିବାଦ ସୃଷ୍ଟି କରିଛି। ଏହାକୁ ନେଇ ଦୁଇ ରାଜ୍ୟ ସୀମାରେ ଥିବା ଗ୍ରାମବାସୀ ମୁହାଁମୁହିଁ ଅବସ୍ଥାକୁ ଚାଲି ଆସିଛନ୍ତି। ବର୍ଷ ବର୍ଷ ଧରି ଚାଷ କରି ଆସୁଥିବା ଆମ ଜମିକୁ ଛତିଶଗଡ଼ରୁ ଆସି କେହି ଦଖଲ କଲେ ଆମେ କଦାପି ଛାଡ଼ିବୁ ନାହିଁ ବୋଲି ସ୍ଥାନୀୟ ଗ୍ରାମବାସୀ କହୁଛନ୍ତି। ଏପଟେ ଉକ୍ତ ଜମି ଓଡ଼ିଶାର ବୋଲି ସ୍ଥାନୀୟ ତହସିଲଦାର କହୁଥିବା ବେଳେ ଛତିଶଗଡ଼ ପ୍ରଶାସନ ମଧ୍ୟ ଏହି ଜମିକୁ ନିଜର ବୋଲି ଦାବି କରୁଛି। ଗତ କିଛି ଦିନ ହେଲାଣି ଏହି ଜମି ବିବାଦକୁ ନେଇ ଏଠାରେ ଉତ୍ତେଜନା କୁହୁଳୁଥିବା ବେଳେ ଦୁଇ ରାଜ୍ୟର ସରକାର ଏହାର ସମାଧାନ ଲାଗି କିଛି ବ୍ୟବସ୍ଥା କରୁନାହାନ୍ତି।

‘ସମ୍ବାଦ’ରେ ଦୁଇ ଦିନ ତଳେ ଏହି ସଂପର୍କିତ ଖବର ପ୍ରକାଶ ପାଇବା ପରେ ସୋମବାର ଜିଲ୍ଲା ପ୍ରଶାସନ ପକ୍ଷରୁ ସରଜମିନ ତଦନ୍ତ ଆରମ୍ଭ ହୋଇଛି। ସିନାପାଲି ତହସିଲଦାର ନୀଳାମ୍ବର ସୁନା ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରି ଫେରିଛନ୍ତି। ସେ ସ୍ଥିତି ସଂପର୍କରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଛନ୍ତି। ତାଙ୍କ ରିପୋର୍ଟ ଅନୁସାରେ, ଛତିଶଗଡ଼ ସରକାର ଦେଭୋଗ ତହସିଲ ଅନ୍ତର୍ଗତ ବୁର୍ଜାବାହାଲ ଗ୍ରାମର ଭୂମିହୀନଙ୍କୁ ଓଡ଼ିଶା ସୀମାନ୍ତ ନୂଆମାଲପଡ଼ା ଗାଁରେ ଜମି ବାଣ୍ଟିଛନ୍ତି। ଦେଭୋଗ ତହସିଲ ପକ୍ଷରୁ ଏହି ଜମି ମପାଯାଇ ଚିହ୍ନ ଦିଆଯାଇଛି। ତେବେ ଖାତା ନଂ ୨୧୨ ଅନ୍ତର୍ଗତ ପ୍ଲଟ ନଂ ୫୦୭,୧୪୬୫,୧୪୬୩,୧୪୬୮,୧୪୭୦ରେ ଥିବା ମୋଟ ୩୨ ଏକର ୧୦ ଡିସିମିଲ ମଧ୍ୟରୁ ୭ ଏକର ୪୫ ଡିସିମିଲ ଗୋଚର କିସମ ଜମିକୁ ନୂଆମାଲପଡା ଗ୍ରାମର ରୂପଧର ପରାଭୁଏ, ପୀତାମ୍ବର ପରାଭୁଏ, ଦେବରାମ ବାଗ, ସୁନାଧର ବେମାଲ, ହରିସିଂ ପରାଭୁଏ, ହଲଦୀମୁଣ୍ଡି ବେଓ୍ଵା, ଟୁକାରାମ ଭାଟି ପ୍ରମୁଖ ଜବରଦଖଲ କରି ଚାଷ କରୁଥିବା ଜଣାପଡ଼ିଛି। ଚଳିତ ବର୍ଷ ମଧ୍ୟ ସେମାନେ ଚାଷ କରିବା ପାଇଁ ହଳ କରି ସାରିଛନ୍ତି। ବର୍ତ୍ତମାନ ଯାଏଁ ବୁର୍ଜାବାହାଲ ଗ୍ରାମର କୌଣସି ବ୍ୟକ୍ତି ସେହି ଜମି ଉପରେ ଦାବି ଜାହିର କରିବାକୁ ଆସିନାହାନ୍ତି ବୋଲି ତହସିଲଦାର ରିପୋର୍ଟ ଦେଇଛନ୍ତି।

ଅନ୍ୟ ପକ୍ଷରେ ଛତିଶଗଡ଼ ସରକାର ବୁର୍ଜାବାହାଲ ଗ୍ରାମର ମୋହନ ମାଝୀ, ବାବୁଲାଲ ସାହୁ, ସନ୍ତରାମ ସାହୁ, ପୁନୀତରାମ ଯାଦବ, ଛତରସିଂ ମାଝୀ, କାର୍ତ୍ତିକ ପଟେଲ, ଡିଙ୍ଗର ଯାଦବ, ଗୋକୁଲ ଲୋହାର ପ୍ରମୁଖଙ୍କ ସହିତ ପ୍ରାୟ ୪୦ ଜଣଙ୍କୁ ସେହି ସ୍ଥାନରେ ୭୦ ଏକର ଜମି ପ୍ରଦାନ କରିଥିବା ମେନପୁର ତହସିଲ ଅଫିସରେ କାମ କରୁଥିବା ସୁନ୍ଦର ପଟେଲ ନାମକ ଜଣେ କର୍ମଚାରୀ କହିଛନ୍ତି। ଏ ସଂକ୍ରାନ୍ତରେ ଛତିଶଗଡ଼ ରାଜ୍ୟ ମେନପୁର ତହସିଲଦାର ସୁରେନ୍ଦ୍ର ସିଂ ଧ୍ରୁବଙ୍କୁ ପଚାରିବାରୁ ସେ କହିଛନ୍ତି, ଏହି ଜମି ଛତିଶଗଡ଼ର। ପୂର୍ବରୁ ଓଡ଼ିଶାର କିଛି ଲୋକ ବୁର୍ଜାବାହାଲ ଗ୍ରାମରେ ଆମ ଗୋଚର ଜମିକୁ ଜବରଦଖଲ କରିଥିବା ଅଭିଯୋଗ ହୋଇଥିଲା। ସୋମବାର ନୂଆପଡ଼ା ଜିଲ୍ଲାର କିଛି ଅଧିକାରୀ ଆସି ସେହି ସ୍ଥାନରେ ମାପଚୁପ କରିଥିବା ଖବର ଆମ କର୍ମଚାରୀଙ୍କ ଠାରୁ ସୂଚନା ପାଇଛି। ୧୯୭୯-୮୦ରେ ପ୍ରାଦେଶିକ ସ୍ତରରେ ସେଟଲମେଣ୍ଟ ହୋଇଥିଲା। ହେଲେ ଉଭୟ ସରକାରଙ୍କ ମିଳିତ ତଦନ୍ତ ନହେବା ଯାଏଁ ଘଟଣାର ସମସ୍ତ ତଥ୍ୟ ଜଣାପଡ଼ିବ ନାହିଁ ବୋଲି ସେ କହିଥିଲେ। ସବୁଠାରୁ ବଡ଼ କଥା ହେଉଛି, ବର୍ତ୍ତମାନ ଏହି ଘଟଣା ରାଜନୈତିକ ମୋଡ଼ ନେବାରେ ଲାଗିଛି। ଛତିଶଗଡ଼-ଓଡ଼ିଶା ମହାନଦୀ ଜଳ ବିବାଦ ଭଳି ଏହି ଘଟଣାକୁ ମଧ୍ୟ ରାଜନୀତି କରଣ କରିବାକୁ କିଛି ରାଜନୈତିକ ନେତା ମସୁଧା କରୁଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର