ଆଡ଼ିବନ୍ଧ କେଳେଙ୍କାରୀ : ୮୬ କୋଟି ଖର୍ଚ୍ଚ, ପାଣି ଝରୁନି

ଯନ୍ତ୍ରୀ-ଠିକାଦାର ମାଲାମାଲ

ଯାଜପୁରରୋଡ୍ : ଚାଷୀ ଏବଂ ଚାଷର ଉନ୍ନତି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପାଣି ଭଳି ଅର୍ଥ ବ୍ୟୟ କରୁଛନ୍ତି। ଯୋଜନା ପରେ ଯୋଜନା ହେଉଛି। ହେଲେ ଅସାଧୁ ମେଣ୍ଟର କେଳେଙ୍କାରୀ ଯୋଗୁଁ ଯୋଜନା ଦିଗହରା ହେବା ସହ ପାଣିରେ ପଡୁଛି ଅନୁଦାନ। ଯାହାର ନମୁନା କ୍ଷୁଦ୍ର ଜ‌ଳସେଚନ ବିଭାଗ ଯାଜପୁର ଡିଭିଜନରେ ଦେଖିବାକୁ ମିଳିଛି।

ଗତ ୫ବର୍ଷ ମଧ୍ୟରେ ଏହି ଡିଭିଜନ୍‌ରେ ଅଣଜଳ‌ସେଚିତ ଜମିକୁ ଜଳସେଚନ ବ୍ୟବସ୍ଥା ପାଇଁ ଚେକ୍ ଡ୍ୟାମ୍(ଆଡ଼ିବନ୍ଧ) ନିର୍ମାଣ ସହ ମରାମତି ଏବଂ ପୁନଃଉଦ୍ଧାର ବାବଦରେ ବିଭିନ୍ନ ଯୋଜନାରୁ ୮୫କୋଟି ୯୬ଲକ୍ଷ ୭୫ହଜାର ଟଙ୍କା ବ୍ୟୟ କରାଯାଇଛି। ହେଲେ ଚାଷୀଙ୍କ ଜମିକୁ ପାଣି ମାଡିପାରୁନି। କେବଳ କାଗଜକଲରେ ଜଳସେଚିତ ଜମି ବୋଲି ଦର୍ଶାଯାଉଛି। ବିଭାଗୀୟ ଅଧିକାରୀ ବିଭ୍ରାନ୍ତିକର ତଥ୍ୟ ଦେଇ ଗୋଲାପୀ ଚିତ୍ର ପ୍ରଦର୍ଶନ କରୁଥିବା ବେଳେ କୃଷକ କଲ୍ୟାଣ ପାଇଁ ସରକାର କରିଥିବା ମହତ ଯୋଜନା ପ୍ରହସନରେ ପାଲଟୁଛି। ଏ ନେଇ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ‘ସମ୍ବାଦ’ ଅନୁସନ୍ଧାନ ଟିମ୍ ହାତରେ ଲାଗିଛି।

ଉଲ୍ଲେଖଯୋଗ୍ୟ ଯେ, ଯାଜପୁର ଜିଲ୍ଲା ସଦର ମହକୁମାରେ ଥିବା ଜଳସଂପଦ ବିଭାଗର କ୍ଷୁଦ୍ର ଜଳସେଚନ ଡିଭିଜନ୍ ଅଧୀନରେ ଯାଜପୁର ଜିଲ୍ଲା ସମେତ କେନ୍ଦ୍ରାପଡ଼ା ଜିଲ୍ଲାର ‌କେତେକ ଅଞ୍ଚଳର ହଜାର ହଜାର ଚାଷୀଙ୍କ ଜମିକୁ ଜଳ‌ସେଚନ ପାଇଁ ନିୟମିତ ସରକାର କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଆସିଛନ୍ତି।

ସରକାରୀ ତଥ୍ୟ ମୁତାବକ ୨୦୧୮-୧୯ ଆର୍ଥିକ ବର୍ଷରେ ୩୦କୋଟି ୮୬ଲକ୍ଷ ୨୩ହଜାରରୁ ଅଧିକ ଟଙ୍କା ବ୍ୟୟ ହୋଇଛି। ସେହିପରି ୨୦୧୭-୧୮ ବର୍ଷରେ ୨୫କୋଟି ୨୭ଲକ୍ଷ ୯୯ହଜାର, ୨୦୧୬-୧୭ରେ ୨୦କୋଟି ୭ଲକ୍ଷ ୩୧ହଜାର, ୨୦୧୫-୧୬ରେ ୮କୋଟି ୬୬ଲକ୍ଷ ୧୫ହଜାର ଓ ୨୦୧୪-୧୫ରେ ୧କୋଟି ୯ଲକ୍ଷ ୫ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ଯାଜପୁର କ୍ଷୁଦ୍ର ଜଳସେଚନ ଡିଭିଜନର ୩ଟି ସବଡ଼ିଭିଜନ୍ ୭ଟି ସେକ୍ସନ୍ ଜରିଆରେ ଏହି କୋଟି କୋଟି ଟଙ୍କା ବ୍ୟୟ କରାଯାଇଛି। ନଦୀନାଳରେ ବହିଯାଉଥିବା ଜଳକୁ ଚେକ୍ ଡ୍ୟାମ୍ ଜରିଆରେ ଅଟକ ରଖି ଚାଷର ବିକାଶ ପାଇଁ ହୋଇଥିବା ମହତ ଯୋଜନାକୁ ଅସାଧୁମେଣ୍ଟ ଦିଗହରା କରିଦେଇଛନ୍ତି। ପ୍ରକଳ୍ପରୁ ଚାଷୀଙ୍କୁ କୌଣସି ସୁଫଳ ମିଳୁ ନଥିବା ବେଳେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ମାଲାମାଲ ହୋଇଛନ୍ତି। ଠିକାଦାରକୁ ସୁହାଇବା ଭଳି ‌ଚେକ୍ ଡ୍ୟାମ୍ କରାଯାଇଥିବା ବେଳେ ନିର୍ମାଣରେ ନିମ୍ନମାନର କାମ ପାଇଁ ଡ୍ୟାମ ବ୍ୟବହାର ପୂର୍ବରୁ ଭୁଶୁଡ଼ି ପଡୁଛି। ଆଡିବନ୍ଧରେ ପାଣି ରହୁନଥିବା ବେଳେ ଜଳସେଚନ ହେବ କିପରି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର