ମହେନ୍ଦ୍ରଗିରି ଓ ମଣ୍ଡାସାରୁ ଉପରେ ହେବ ଅନୁଧ୍ୟାନ

ଓଡ଼ିଶାରେ ଜୈବ ବିବିଧତା ଐତିହ୍ୟସ୍ଥଳ

0 10

ଭୁବନେଶ୍ୱର: ଜୈବ ବିବିଧତାରେ ଓଡ଼ିଶାରେ ପରିପୂର୍ଣ୍ଣ। କଳାହାଣ୍ଡି ଜିଲ୍ଲାରୁ ଆରମ୍ଭ କରତି ପ୍ରଧାନପାଟ ପର୍ଯ୍ୟନ୍ତି ସବୁଠି ଭରି ରହିଛି ବିରଳ ତଥା ବିଲୁପ୍ତପ୍ରାୟ ବୃକ୍ଷଲତା, ପଶୁପକ୍ଷୀ। ସେଗୁଡ଼ିକୁ ଚିହ୍ନଟ କରି ଜୈବ ବିବିଧତା ଐତିହ୍ୟସ୍ଥଳରେ ପରିଣତ କରିବା ଦିଗରେ ସରକାର ପଦକ୍ଷେପ ନେଇଛନ୍ତି। କେଉଁ ଆଧାରରେ ଜୈବ ବିବିଧତା ଐତିହ୍ୟସ୍ଥଳୀ ଚିହ୍ନଟ କରାଯିବ, ସେ ନେଇ ଏକ ନିର୍ଦେଶାବଳୀ ଜାରି କରାଯାଇଛି। ଯଦି କୌଣସି ସ୍ଥାନ ନିର୍ଦେଶାବଳୀରେ ଥିବା ନିୟମଗୁଡ଼ିକୁ ପୂରଣ କରୁଥିବ, ତାହାକୁ ଅନୁଧ୍ୟାନ କରାଯାଇ ଜୈବ ବିବିଧତା ଐତିହ୍ୟସ୍ଥଳୀର ମାନ୍ୟତା ପ୍ରଦାନ କରାଯିବ। ଏହି କ୍ରମରେ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପର୍ବତ ଓ ଫୁଲବାଣୀ ଜିଲ୍ଲାର ମାଣ୍ଡାସୁର ଜୈବ ବିବିଧତା ଏତିହ୍ୟସ୍ଥଳୀ ମାନ୍ୟତା ଦେବା ଲାଗି ସ୍ଥାନୀୟ ଲୋକେ ଆବେଦନ କରିଛନ୍ତି। ଓଡ଼ିଶା ଜୈବବିବିଧତା ପରିଷଦ (ଓବିବି) ନିକଟରେ ଏ ସମ୍ପର୍କିତ ଆବେଦନ ପହଞ୍ଚିବା ପରେ ଏହା ଉପରେ ଅନୁଧ୍ୟାନ କରାଯାଇଛି। ଜୈବ ବିବିଧତା ଦୃଷ୍ଟିରୁ ଉକ୍ତ ଦୁଇ ସ୍ଥାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ଖୁବ୍‌ଶୀଘ୍ର ଓବିବିର ଏକ ପ୍ରତିନିଧିଦଳ ଉକ୍ତ ଦୁଇଟି ସ୍ଥାନକୁ ଗସ୍ତ କରିବେ। ଜୈବ ବିବିଧତାର ସ୍ଥିତି ଅନୁଧ୍ୟାନ କରିବା ପରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ। ଏହାପରେ ଉକ୍ତ ଦୁଇ ସ୍ଥାନକୁ ଜୈବ ବିବିଧତା ଐତିହ୍ୟସ୍ଥଳୀର ମାନ୍ୟତା ପ୍ରଦାନ କରାଯାଇପାରେ ବୋଲି ଓବିବି ପକ୍ଷରୁ କୁହାଯାଇଛି।କେବଳ ଏହି ଦୁଇ ସ୍ଥାନ ନୁହେଁ। ଏହାବ୍ୟତୀତ ମାଲ୍ୟଗିରି, ପ୍ରଧାନପାଟ, ଗୁପ୍ତେଶ୍ୱର, ଦେଓମାଳି, କେନ୍ଦୁଝରର ଗୋନାସିକା ପରି ୩୦ଟି ସ୍ଥାନ ଜୈବବିବିଧତା ଐତିହ୍ୟସ୍ଥଳ ମାନ୍ୟତା ପାଇବାକୁ ଯୋଗ୍ୟତା ଥିବା ଜଣାପଡ଼ିଛି। ନିର୍ଦେଶାବଳୀ ଅନୁଯାୟୀ, ସ୍ଥାନୀୟ ଲୋକେ ଆବେଦନ କରିବା ପରେ ଅନୁଧ୍ୟାନ କରାଯିବ।

ଓବିବି ପକ୍ଷରୁ ଜାରି ହୋଇଥିବା ନିର୍ଦେଶାବଳୀ ଅନୁଯାୟୀ, ଯେଉଁ ସ୍ଥାନକୁ ଜୈବ ବିବିଧତା ଐତିହ୍ୟସ୍ଥଳ ଭାବେ ଘୋଷଣା କରାଯିବ, ତାହା ସଂରକ୍ଷିତ ଜଙ୍ଗଲ କିମ୍ବା ଅଭୟାରଣ୍ୟ ହେଇ ନ ଥିବ, ସେଠାରେ ବିରଳ ତଥା ବିଲୁପ୍ତପ୍ରାୟ ବୃକ୍ଷଲତା ଥିବ। ପଶୁପକ୍ଷୀ ବାସ କରୁଥିବେ ଓ ସଂସ୍କୃତି ଦୃଷ୍ଟିରୁ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବ। ଲୋକେ ମଧ୍ୟ ସେଠାରେ ପୂଜାର୍ଚ୍ଚନା କରୁଥିବା ଆବଶ୍ୟକ। ଏଥିପାଇଁ ପ୍ରଥମେ ସ୍ଥାନୀୟ ଅଞ୍ଚଳବାସୀ ପ୍ରସ୍ତାବ ଦେବା ଅବଶ୍ୟକ। ଏହାପରେ ଓବିବିର ପ୍ରତିନିଧିଦଳ ଅନୁଧ୍ୟାନ କରି ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ। ମାନ୍ୟତା ମିଳିବା ପରେ ଉକ୍ତ ସ୍ଥାନର ଉପଯୁକ୍ତ ପରିଚାଳନା, ବିରଳ ବୃକ୍ଷର ସଂରକ୍ଷଣ, ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ ହୋଇପାରିବ। ଫୁଲବାଣୀ ଜିଲ୍ଲା ମାଣ୍ଡାସରେ ବିରଳ ପ୍ରଜାତିର କଦଳୀ ଗଛ ଓ ଅର୍କିଡ୍‌ ଚିହ୍ନଟ ହୋଇଛି। ୨୦ରୁ ୩୦ଟି ଅର୍କିଡ୍‌, ବିଶ୍ୱରେ ଅଳ୍ପ ସ୍ଥାନରେ ଦେଖା ଯାଉଥିବା ଅରୁଗୁଣା ଗଛ ଏଠାରେ ରହିଛି। ୧୩୫ ପ୍ରକାରର ଛତୁ ମଧ୍ୟ ଏହା ଭିତରେ ଚିହ୍ନଟ ହୋଇଛି। ସେଥିରୁ ୩୨ଟି ପ୍ରକାର ଛତୁକୁ ଲୋକ ଖାଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.