ମୁଖ୍ୟମନ୍ତ୍ରୀ କର୍ମ ନିୟୋଜନ କାର୍ଯ୍ୟକ୍ରମ : ଲକ୍ଷ୍ୟ ୧୧ ଲକ୍ଷ, ଚାରିବର୍ଷରେ ୮.୫୦ ଲକ୍ଷଙ୍କୁ ତାଲିମ

ବିପିୟୁଟିରେ ନିଯୁକ୍ତି ହାର ୪୫%, ଭିସୁଟ୍‌ରେ ୮୨%

ଭୁବନେଶ୍ୱର : ରାଜ୍ୟରେ ନିଯୁକ୍ତି ସୁଯୋଗ ବୃଦ୍ଧି ନିମନ୍ତେ ପ୍ରତ୍ୟେକ ଗ୍ରାମରୁ ୧୫୦ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ଭିତ୍ତିକ ଦକ୍ଷତା ତାଲିମ ପ୍ରଦାନ ଉଦ୍ଦେଶ୍ୟରେ ୨୦୧୪-୧୫ରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ(ସିଏମ୍‌ଇଜିପି) ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଚାରିବର୍ଷରେ ୧୧ ଲକ୍ଷ ଯୁବକ ଯୁବତୀଙ୍କୁ ତାଲିମ ପ୍ରଦାନ ଲକ୍ଷ୍ୟ ଥିଲା। ଏଥିମଧ୍ୟରୁ ଅଦ୍ୟାବଧି ପ୍ରାୟ ୮.୫୦ ଲକ୍ଷଙ୍କୁ ତାଲିମ ପ୍ରଦାନ କରାଯାଇଛି ଏବଂ ଚଳିତ ବର୍ଷ ଅବଶିଷ୍ଟ ୨.୫ ଲକ୍ଷଙ୍କୁ ଦକ୍ଷତା ତାଲିମ ଦିଆଯିବ ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଉଷା ଦେବୀ କହିଛନ୍ତି।

ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସମୀକ୍ଷା ପରେ ମନ୍ତ୍ରୀ ଉଷା ଦେବୀ ଗଣମାଧ୍ୟମକୁ ବିଭାଗର ସଫଳତା ସଂପର୍କରେ ବିବରଣୀ ଦେଇଥିଲେ। ସେ କହିଲେ, ଦକ୍ଷତା ବିକାଶର ମାନ, ଯୁବପିଢ଼ିଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ନିମନ୍ତେ ସ୍କିଲ୍‌ କାରାଭାନ୍‌, ଆଇଟିଆଇ ଛାତ୍ରଛାତ୍ରୀଙ୍କ ପାଇଁ ଡ୍ରେସ୍‌କୋଡ୍‌, ଆଇଟିଆଇଗୁଡ଼ିକରେ ଅତ୍ୟାଧୁନିକ ପଦ୍ଧତିରେ ଶିକ୍ଷାଦାନ, ସୁଦକ୍ଷା ଯୋଜନା, ଟାଟା ଷ୍ଟ୍ରାଇଭ୍‌-ବାଗଚୀ ସଫ୍ଟ ସ୍କିଲ୍‌ ବିକାଶ ଯୋଜନା, ତାଲିମଦାତାଙ୍କ ପାଇଁ ବିଶ୍ୱସ୍ତରୀୟ ବିଜୁ ପଟ୍ଟନାୟକ ତାଲିମ ପ୍ରତିଷ୍ଠାନ ଆଦି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବିଶେଷ କରି ୨୦୧୯ରେ ଋଷିଆରେ ହେବାକୁ ଥିବା ବିଶ୍ୱସ୍ତରୀୟ ଦକ୍ଷତା ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଓଡ଼ିଶାର ଯୁବକ ଯୁବତୀଙ୍କୁ ପ୍ରସ୍ତୁତ କରାଇବା ଉଦ୍ଦେଶ୍ୟରେ ଗତ ଏପ୍ରିଲ ମାସରେ ଓଡ଼ିଶା ଦକ୍ଷତା ଉତ୍ସବର ଆୟୋଜନ କରାଯାଇଥିଲା।

ମନ୍ତ୍ରୀଙ୍କ ସୂଚନା ମୁତାବକ ଗତ ଚାରିବର୍ଷରେ କ୍ୟାମ୍ପସ୍‌ ନିଯୁକ୍ତି ଜରିଆରେ ୧୧୦୧୬ଜଣ ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ମିଳିଛି। ଏହି ସମୟ ମଧ୍ୟରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନ ଯାନ୍ତ୍ରିକ କଲେଜଗୁଡ଼ିକର ଛାତ୍ରଛାତ୍ରୀଙ୍କ ନିଯୁକ୍ତି ହାର ୪୫ ପ୍ରତିଶତ ଥିବା ବେଳେ ବୁର୍ଲାର ଭିସୁଟ୍‌ରେ ନିଯୁକ୍ତି ହାର ୮୨ ପ୍ରତିଶତ। ରାଜ୍ୟରେ ୩୨ଟି ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ ଲକ୍ଷ୍ୟ ମଧ୍ୟରୁ ୧୯ଟିରେ ପ୍ରଶିକ୍ଷଣ ଆରମ୍ଭ ହୋଇଥିବା ମନ୍ତ୍ରୀ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର