ବର୍ଣ୍ଣବୋଧ ପୋଡ଼ିକୁ ନିନ୍ଦା କଲେ ହଳଧର

ବରଗଡ଼ : କୋଶଲି ସାହିତ୍ୟ ଡଟ୍‌ ଇନ୍‌ ନାମକ ଫେସ୍‌ବୁୁକ୍‌ ପେଜ୍‌ରେ ଛବିଳ ମଧୁ ବର୍ଣ୍ଣବୋଧ ପୋଡ଼ି ଦୃଶ୍ୟ ଅପ୍‌ଲୋଡ୍‌ କରାଯିବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ପଦ୍ମଶ୍ରୀ ହଳଧର ନାଗ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ତାଙ୍କ ପାଖରେ ଏକ ପୁରୁଣାକାଳିଆ ମୋବାଇଲ୍‌ ଅଛି। ସେଥିରେ ଇଣ୍ଟରନେଟ୍‌ ସୁବିଧା ନାହିଁ। ସେ ଫେସ୍‌ବୁକ୍‌ କିମ୍ବା କୌଣସି ସୋସିଆଲ୍‌ ମିଡିଆ ସହ ଅବଗତ ନାହାନ୍ତି। କେଉଁ ଫେସ୍‌ବୁକ୍‌ ପେଜ୍‌ରେ ତାଙ୍କ ଫଟୋ ରହିବା କଥା ବି ସେ ଆଦୌ ଜାଣି ନାହାନ୍ତି। ସବୁ ଭାଷା ସମାନ। ସବୁ ଭାଷାର ମର୍ଯ୍ୟାଦା ରହିଛି। ଛବିଳ ବର୍ଣ୍ଣ‌େବାଧ ପଢ଼ି ହିଁ ସେ ଭାଷା ଶିଖିଛନ୍ତି। ବର୍ଣ୍ଣବୋଧ ପୋଡ଼ିବା ତ ଅପରାଧ, ତାହାର ଭିଡିଓ ଅପ୍‌ଲୋଡ୍‌ କରିବା ଆହୁତି ବଡ଼ ଅପରାଧ। ଏନେଇ ସେ ମେଲ୍‌ଛାମୁଣ୍ଡା ଥାନାରେ ଏତଲା ଦେଇଛନ୍ତି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁରୀ ସାହିତ୍ୟ ପରିଷଦର ଉତ୍ପନ୍ନ ଭୋଇ, ଧନପତି ମହାପାତ୍ର, ଡ. ସୁବାସ ମେହେର, ମୋହନ ସିଂ କହ୍ନେଇ, ଦ୍ୟୁତୀଶ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ହଳଧର ନାଗଙ୍କ ଏତଲା ଆଧାରରେ ମେଲ୍‌ଛାମୁଣ୍ଡା ପୁଲିସ୍‌ ଗାଇସିଲାଟ୍‌ ବ୍ଲକ ତାଲପଦର ଗାଁର ସାକେତ ଶ୍ରୀଭୂଷଣ ସାହୁଙ୍କୁ ଶୁକ୍ରବାର ଜେରା କରିଥିଲା। ପରେ ତାଙ୍କୁ ପୁଲିସ୍‌ ଛାଡ଼ି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର