ଛତିଶା ନିଯୋଗ ବୈଠକ : ୨୦ ସୁଦ୍ଧା ସତ୍ୟପାଠ ଦାଖଲ କରିବେ ସେବାୟତ

ପୁରୀ : ଶ୍ରୀମନ୍ଦିର ଦାନ ଅର୍ଥ ଉପରେ ସେବାୟତଙ୍କ ଅଧିକାର ନେଇ ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ରାୟ ପରେ ଆଜି ତରବରିଆ ଭାବେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୁପ୍ରିମ୍‌କୋର୍ଟଙ୍କ ରାୟ ଉପରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ରାୟ ସଂପର୍କରେ ବୈଠକରେ ସେବାୟତମାନଙ୍କୁ ଅବଗତ କରାଯିବା ସହ ଯାହାର କିଛି କହିବାର ଅଛି, ସତ୍ୟପାଠ ଜରିଆରେ ଆସନ୍ତା ୨୦ ତାରିଖ ସୁଦ୍ଧା ଜଣାଇବାକୁ କୁହାଯାଇଛି। ତଥାପି ଏହି ନିଷ୍ପତ୍ତି ଦ୍ଵାରା ଯେଉଁମାନେ ପ୍ରଭାବିତ ହେଉଛନ୍ତି ସେମାନେ ଜୁଲାଇ ୫ରେ ସେମାନଙ୍କ ପକ୍ଷ ରଖିବାକୁ କୁହାଯାଇଛି।

ଆଜି ସଂଧ୍ୟା ୬ଟାରୁ ୮ଟା ପର୍ଯ୍ୟନ୍ତ ଜିଲ୍ଲା ଓ ଦୌରାଜଜ୍‌ ଅମ୍ବୁଜ ମୋହନ ଦାସଙ୍କ ଆଲୋଚନା ଶେଷ ହେବା ପରେ ରାତି ପ୍ରାୟ ୮ଟାରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲା ଓ ଦୌରାଜଜ୍‌ ଶ୍ରୀ ଦାସଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍‌, ଆରକ୍ଷୀ ଅଧୀକ୍ଷକ ସାର୍ଥକ ଷଡ଼ଙ୍ଗୀ, ନୀତି ପ୍ରଶାସକ ପ୍ରଦୀପ କୁମାର ଦାଶଙ୍କ ସମେତ ଛତିଶା ନିଯୋଗର କର୍ମକର୍ତା ଉପସ୍ଥିତ ଥିଲେ।

ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଜେନା କହିଛନ୍ତି ଯେ ଆଜି ଦୁଇଟି ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଜୁନ୍‌ ୩୦ ସୁଦ୍ଧା ସୁପ୍ରିମ୍‌କୋର୍ଟ ଶ୍ରୀମନ୍ଦିର ଉପରେ ବିସ୍ତୃତ ରିପୋର୍ଟ ଦେବାକୁ ଜିଲ୍ଲା ଓ ଦୌରାଜଜ୍‌ଙ୍କୁ ନିର୍ଦେଶ ଦେଇଥିବାବେଳେ ଏହା ଉପରେ ଆଜି ପ୍ରଥମ ବୈଠକ ଜିଲ୍ଲା ଓ ଦୌରାଜଜ୍‌ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଓ ଦୌରାଜଜ୍‌ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଅନ୍ୟ ଅଧିକାରୀଙ୍କ ସହ ଏ ସଂପର୍କରେ ଆଲୋଚନା କରିବା ସହ ଶ୍ରୀମନ୍ଦିର ବିଧିବ୍ୟବସ୍ଥା ଉପରେ ପଚାରି ବୁଝିଛନ୍ତି। ପରେ ଛତିଶା ନିଯୋଗ ବୈଠକରେ ଜିଲ୍ଲା ଜଜ୍‌ ଯୋଗ ଦେଇଥିଲେ। ବୈଠକରେ ସମସ୍ତ ନିଯୋଗଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଆଦେଶ ଉପରେ ଅବଗତ କରାଯାଇଥିଲା। ଆଦେଶର ପରିପାଳନ ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା। କିପରି ଆଦେଶ ସୂଚାରୁରୂପେ ପାଳନ ହୋଇପାରିବ ସେ ଉପରେ ଗୁରୁତ୍ଵାରୋପ କରାଯାଇଥିଲା। ରାୟ ଉପରେ ଛତିଶା ନିଯୋଗଙ୍କ ମତାମତ ଲୋଡ଼ା ଯାଇଥିଲା। ଛତିଶା ନିଯୋଗ ଯଦି ଏହି ଆଦେଶ ଉପରେ କିଛି ମତାମତ ଦେବାକୁ ଚାହାଁନ୍ତି, ତେବେ ଜୁନ୍‌ ୨୦ ସୁଦ୍ଧା ସତ୍ୟପାଠ ଜରିଆରେ ସେମାନଙ୍କ ମତାମତ ରଖିବାକୁ ଜିଲ୍ଲା ଓ ଦୌରାଜଜ୍‌ ପରାମର୍ଶ ଦେଇଥିଲେ। ତଥାପି ଯଦି କେହି ଏହାଦ୍ଵାରା ପ୍ରଭାବିତ ହେଉଛନ୍ତି, ସେମାନେ ଜୁଲାଇ ୫ ତାରିଖରେ ସୁପ୍ରିମ୍‌କୋର୍ଟଙ୍କ ନିକଟରେ ପକ୍ଷଭୁକ୍ତ ହୋଇ ପକ୍ଷ ରଖିବାକୁ ପରାମର୍ଶ ଦିଆଯାଇଥିଲା।

ସମ୍ବନ୍ଧିତ ଖବର