ଛତିଶଗଡ଼ର ପୁଣି ଦାଦାଗିରି : ଦାନୀ କର୍ଣ୍ଣଙ୍କ ଭଳି ଭୂମିହୀନଙ୍କୁ ଓଡ଼ିଶା ଜମି ବାଣ୍ଟିଲେ, ପ୍ରଶାସନ ଉଦାସୀନ, ସରକାରଙ୍କ ପାଖେ ଖବର ନାହିଁ

ଖଡ଼ିଆଳ/ସିନାପାଲି : ମହାନଦୀ ପାଣି ପରେ ଏବେ ଓଡ଼ିଶାର ଜମି ଉପରେ ଛତିଶଗଡ଼ର ଦାଦାଗିରି। ଏମିତି ଘଟଣା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅଞ୍ଚଳରେ। ନିଜ ରାଜ୍ୟର ଭୂମିହୀନ ହିତାଧିକାରୀଙ୍କୁ ଏହି ଅଞ୍ଚଳରେ ଜମି ବାଣ୍ଟୁଛି ଛତିଶଗଡ଼। କେବଳ କାଗଜପତ୍ରରେ ନୁହେଁ, କାହାକୁ କିଛି ନ ଜଣାଇ ସିନାପାଲି ବ୍ଲକ ନୂଆମାଳପଡ଼ା ଗାଁର ୩୦ ଏକର ସରକାରୀ ଏବଂ ରୟତି ଚାଷଜମିକୁ ଜବରଦସ୍ତି ମାପଚୁପ କରାଇଛି। ଏଠାରେ ପାଚେରି କରି ଏହାକୁ ଦଖଲକୁ ନେବାକୁ ଉଦ୍ୟମ କରୁଛି। ସ୍ଥାନୀୟ ଲୋକେ ଏ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ ବି ପ୍ରଶାସନ ଚୁପ୍‌ ବସିଥିବା ଅଭିଯୋଗ ହେଉଛି। ନେଡ଼ିଗୁଡ଼ କହୁଣୀକୁ ବୋହିଯିବା ପୂର୍ବରୁ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ଦାବି ହେଉଛି।

ସ୍ଥାନୀୟ ଲୋକଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଛତିଶଗଡ଼ ସରକାର ନିଜ ରାଜ୍ୟର ଗରିଆବନ୍ଧ ଜିଲ୍ଲା ଦେଭୋଗ ବ୍ଲକ ବୁର୍ଜାବାହାଲ ଗାଁର କିଛି ଭୂମିିହୀନଙ୍କୁ ଜମି ବଣ୍ଟନ କରିଛନ୍ତି। ତେବେ ହିତାଧିକାରୀମାନଙ୍କୁ ଦିଆଯାଇଥିବା

ଏହି ଜମି ଓଡ଼ିଶାର ନୂଆମାଳପଡ଼ା ଗାଁରେ ରହିଛି। ଏଠାରେ ନୂଆମାଳପଡ଼ା ଗାଁ ଲୋକେ ପୁରୁଷାନୁକ୍ରମିକ ଭାବେ ବର୍ଷ ବର୍ଷ ଧରି ଚାଷବାସ କରୁଛନ୍ତି। ଏବେ କିନ୍ତୁ ବୁର୍ଜାବାହାଲ ଗାଁ ଲୋକ ଏଠାରେ ଘରଦ୍ୱାର ନିର୍ମାଣ କରି ରହିବେ। ଇତିମଧ୍ୟରେ ଛତିଶଗଡ଼ର ଆର୍‌ଆଇ ଓ ଅମିନ ଏଠାରେ ଜୋରଜବରଦସ୍ତି ମାପଚୁପ୍‌ କରିଥିବା ମଧ୍ୟ ଜଣାଯାଇଛି। ଛତିଶଗଡ଼ ସରକାରଙ୍କ ଏଭଳି ଦାଦାଗିରିକୁ ଦେଖି ନୂଆମାଲପଡ଼ାବାସୀ ଆତଙ୍କିତ ଓ ଉତ୍ତ୍ୟକ୍ତ ହୋଇ ପଡ଼ିଛନ୍ତି। ଛତିଶଗଡ଼ର ଏପରି ସୀମା ଉଲ୍ଲଙ୍ଘନ କାର୍ଯ୍ୟକୁ ଓଡ଼ିଶା ସରକାର ପ୍ରତିରୋଧ କରିବା ସହ ନୂଆମାଲପଡ଼ା ଗ୍ରାମବାସୀଙ୍କୁ ସୁରକ୍ଷା ଯୋଗାଇବାକୁ ଦାବି ହେଉଛି। ନହେଲେ ବୁର୍ଜାବାହାଲ ଏବଂ ନୂଆମାଲପଡ଼ାବାସୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହେବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ।

ଛତିଶଗଡ଼ ସରକାରଙ୍କ ସୀମା ଜବରଦଖଲ କାର୍ଯ୍ୟକୁ ବିରୋଧ କରି ନୂଆମାଲପଡ଼ା ଗାଁ ଲୋକେ ସିନାପାଲି ବ୍ଲକ ଅଧ୍ୟକ୍ଷା ତପସ୍ୱନୀ ମାଝୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ତଦନ୍ତ କରିବା ପାଇଁ ଗତ ମଇ ୨୮ ତାରିଖ ଦିନ ସିନାପାଲି ତହସିଲଦାରଙ୍କୁ ସେ ଜଣାଇଛନ୍ତି। ହେଲେ ତହସିଲଦାର ଏଯାଏ କୌଣସି ଉତ୍ତର ଦେଇ ନଥିବା ଅଧ୍ୟକ୍ଷା କହିଛନ୍ତି। ଅପରପକ୍ଷେ ଅଧ୍ୟକ୍ଷାଙ୍କ ସୂଚନାକୁ ଭିତ୍ତିକରି ସିନାପାଲି ବ୍ଲକ କେନ୍ଦୁମୁଣ୍ଡା ଆର୍‌ଆଇ ଓ ଅମିନ ନୂଆମାଲପଡ଼ା ଗାଁକୁ ଯାଇ ତଦନ୍ତ କରିଛନ୍ତି। ଓଡ଼ିଶା ସୀମାନ୍ତ ନୂଆମାଲପଡ଼ା ଗାଁର ଚାଷଜମିକୁ ଛତିଶଗଡ଼ ସରକାର କବ୍‌ଜା କରି ପଥର ଚିହ୍ନ ଦେଇଛନ୍ତି। ଏ ବିଷୟରେ ତହସିଲଦାରଙ୍କୁ ରିପୋର୍ଟ ଦେଇଥିବା ଆରଆଇ କହିଛନ୍ତି। ତା’ ସତ୍ତ୍ୱେ ସରକାର ଓ ପ୍ରଶାସନ ଏ ନେଇ ଚୁପ୍‌ ବସିଛନ୍ତି। ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର