ଓଡ଼ିଶା ଜମିରେ ଛତିଶଗଡ଼ର ମକାଚାଷକୁ ନେଇ ଉଭୟ ରାଜ୍ୟର ସୀମାନ୍ତରେ ଚାପା ଉତ୍ତେଜନା

ସିନାପାଲି : ନୂଆପଡା ଜିଲ୍ଲା ସିନାପାଲି ତହସିଲ ଅନ୍ତର୍ଗତ ଛତିଶଗଡ ସୀମାନ୍ତରେ ଥିବା ନୂଆମାଲପଡା ଗ୍ରାମର ଚାଷୀଙ୍କ ଜମିକୁ ଜବରଦସ୍ତ ଛତିଶଗଡ ରାଜ୍ୟର ଚାଷୀ ଛଡ଼ାଇ ନେଇ ଚାଷ କରୁଥିବା ଅଭିଯୋଗ ହୋଇଛି। ଓଡ଼ିଶା –ଛତିଶଗଡ ସୀମାନ୍ତରେ ପ୍ରାୟ ୨୫ ଏକର ଓଡିଶା ସରକାରଙ୍କ ଜମିରେ ନୂଆମାଲପଡାର ୧୨ ଜଣ ଭୂମିହୀନ ଚାଷୀ ବାପ ଅଜା ଅମଳରୁ ଚାଷ କରି ଆସୁଥିଲେ। କିନ୍ତୁ ଚଳିତ ଖରିଫ ଚାଷ ସମୟରେ ଛତିଶଗଡ ମେନପୁର ତହସିଲ ଅନ୍ତର୍ଗତ ବୁରଜାବାହାଲ ଗ୍ରାମର କିଛି ଚାଷୀ ଓଡିଶା ଚାଷୀଙ୍କଠାରୁ ଉକ୍ତ ଜମିକୁ ଛଡ଼ାଇ ନେଇ ସେଠାରେ ମକା ଚାଷ କରିଛନ୍ତି। ଏହାକୁ ନେଇ ଉଭୟ ରାଜ୍ୟର ସୀମାନ୍ତରେ ଚାପା ଉତ୍ତେଜନା ଦେଖା ଦେଇଛି।

ସୂଚନା ମୁତାବକ, ଗତ ୨୦୧୮ ମସିହା ଜୁନ ମାସରେ ଉକ୍ତ ଜମିକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଦେଖା ଦେଇଥିଲା। ନୂଆମାଲପଡ଼ାର ୧୨ ଜଣ ଚାଷୀ ବର୍ଷ ବର୍ଷ ଧରି ଚାଷ କରୁଥିବା ଏହି ଜମିକୁ ଛତିଶଗଡ ସରକାର ନିଜ ରାଜ୍ୟର ବୁରଜାବାହାଲ ଗ୍ରାମର ଚାଷୀ ମାନଙ୍କୁ ବାଣ୍ଟି ଦେଇଥିବା ଅଭିଯୋଗ ହୋଇଥିଲା। ସେ ସମୟରେ ଉକ୍ତ ଖବର ଗଣମାଧ୍ୟମରେ ପ୍ରକାଶ ପାଇଲାପରେ ଉଭୟ ରାଜ୍ୟର ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସୀମା ନିର୍ଦ୍ଧାରଣ କରିଥିଲେ। କିନ୍ତୁ ବିବାଦ ତୁଟି ନଥିଲା।

ଜଣାପଡ଼ିଥିଲା ଯେ ନୂଆମାଲପଡ଼ା ଗ୍ରାମର ୩ ନମ୍ବର ସିଟ୍‌, ଖାତା ନମ୍ବର ୨୧୨ ଅନ୍ତର୍ଗତ ପ୍ଲଟ ନମ୍ବର ୧୫୦୭ ,୧୪୬୫ ,୧୪୬୩,୧୪୦୮,୧୪୭୦ ଗୋଚର କିସମର ଜମିକୁ ସେହି ଗ୍ରାମର ହରିସିଂ ପରାଭୁ , ଜଗନ୍ନାଥ ପରାଭୁଏ, ପୀତାମ୍ବର ପରାଭୁଏ, ହଲଦୀଗୁଡ଼ି ଦେଇ, ଚନ୍ଦ୍ରଶେଖର ପାରଭୁଏ, ଅଶୋକରାମ ବାଗ, ହରିଶ ଜାଲ, ମକର ବନ୍ଦିଛୋର, ଦେବରାଜ ବାଗ, ମନମୋହନ ବାଗ, ପବନ ବେମାଲ, ଶୁକ୍ରୁ ଗହୀର ପ୍ରମୁଖ ବହୁ ବର୍ଷ ଧରି ଚାଷ କରି ଆସୁଥିଲେ। ସେହି ସମୟରେ ଏହି ବିବାଦ ତଦନ୍ତ ପାଇଁ ତତ୍କାଳୀନ ନୂଆପଡା ଜିଲ୍ଲାପାଳ ପୋମା ଟୁଡୁ ଓ ପରେ ଦକ୍ଷିଣାଞ୍ଚଳ ରାଜସ୍ବ କମିସନର ମଧ୍ୟ ସ୍ଥତି ଅନୁଧ୍ୟାନ କରିବା ସହିତ ସରଜମିନ ତଦନ୍ତ କରି ଫେରିଥିଲେ। ସେହି ସମୟରେ ସମସ୍ତ ଅଧିକାରୀ ବିବାଦୀୟ ଜମି ଓଡିଶାର ବୋଲି ଦାବି କରିଥିଲେ। କିନ୍ତୁ ଚଳିତ ବର୍ଷ ବୁରଜାବାହଲ ଗ୍ରାମର ଚାଷୀ ମାନେ ଛତିଶଗଡ଼ ସରକାରଙ୍କଠାରୁ ଉକ୍ତ ଜମିର ପଟ୍ଟା ପାଇଥିବା ଦାବି କରି ସେହି ଜମିରେ ମକା ଚାଷ କରିଛନ୍ତି। ଫଳରେ ନୂଆମାଲପଡା ଚାଷୀମାନେ ଏଥିରେ ଉତ୍‌କ୍ଷିପ୍ତ ହୋଇଛନ୍ତି। ଦୁଇ ଗ୍ରାମର ଲୋକଙ୍କ ମଧ୍ୟରେ କଥା କଟାକଟି ସହ ଉତ୍ତେଜନା ପ୍ରକାଶ ପାଇଛି।

ଏ ସଂକ୍ରାନ୍ତରେ ସିନାପାଲି ତହସିଲଦାର କପିଳଦେବ ସାହୁଙ୍କୁ ପଚାରିବାରୁ ‌ସେ ଆସନ୍ତାକାଲି ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ କହିଥିଲେ। ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର