ଛତ୍ରପୁର ବିଜେଡ଼ି କାଉନ୍‌ସିଲର ହତ୍ୟା ମାମଲା: ଅଡୁଆରେ ପଡ଼ିଲେ ବିଜେପି ନେତା ଗୋଲକ ମହାପାତ୍ର

୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ପୁଲିସ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ର ବିଜେଡି କାଉନ୍‌ସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟାକାଣ୍ଡ ମାମଲାରେ ବିଜେପି ନେତା ଗୋଲକ ମହାପାତ୍ର ଅଡୁଆରେ ପଡ଼ିଛନ୍ତି। ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ କୁହାଯାଉଥିବା ବିଜେପିର ସ୍ଥାନୀୟ ନେତା କୃଷ୍ଣଚନ୍ଦ୍ର ନାୟକ ଓ ଦୁର୍ଯ୍ୟୋଧନ ରେଡ୍ଡୀ ଶନିବାର ଗିରଫ ହେବା ପରେ ଗୋଲକଙ୍କ ନାମ ନେଇଛନ୍ତି ବୋଲି ପୁଲିସ୍‌ କହିଛି।

ଏହି ଘଟଣାରେ ଦଳ ବିରୋଧରେ ଏହା ଷଡ଼ଯନ୍ତ୍ର ବୋଲି ବିଜେପିର ମୁଖପାତ୍ର ସଜ୍ଜନ ଶର୍ମା ପ୍ରତିକ୍ରିୟା ଦେଇଥିବା ବେଳେ ବିଜେଡି ମୁଖପାତ୍ର ସୂର୍ଯ୍ୟ ପାତ୍ର କହିଛନ୍ତି ଯେ ଘଟଣା ସତ୍ୟ ହୋଇଥିଲେ ସାଂଘାତିକ ହେବ। ଘଟଣା ଯଦି ସତ ହୋଇଥିବ ତେବେ ବିଜେପି ଉପରୁ ଲୋକଙ୍କର ବିଶ୍ୱାସ ତୁଟିଯିବ।

ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବା ପାଇଁ ପୁଲିସ ଆବେଦନ କରିବ। ବିଜେପି ନେତା କୃଷ୍ଣଚନ୍ଦ୍ର ନାୟକଙ୍କୁ ପୁଲିସ କୋର୍ଟ ଚାଲାଣ କରିବ। ୭ ଦିନିଆ ରିମାଣ୍ଡ ପାଇଁ ପୁଲିସ ଆବେଦନ କରିବ ବୋଲି ଗଞ୍ଜାମ ଏସ୍‌ପି ଆଶିଷ ସିଂହ ସୂଚନା ଦେଇଛନ୍ତି। ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ କୃଷ୍ଣଚନ୍ଦ୍ର ଥିଲେ ବୋଲି ପୁଲିସ କହିଛି।

ସୂଚନା ଅନୁସାରେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ନାୟକ ଓ ଦୁର୍ଯ୍ୟୋଧନ ରେଡ୍ଡୀ ବିଜେପି ନେତା ଗୋଲକ ମହାପାତ୍ରଙ୍କୁ ଯୋଗାଯୋଗ କରିଥିଲେ ବୋଲି କହିଛନ୍ତି। ଘଟଣା ପରେ ଦୁର୍ଯ୍ୟୋଧନଙ୍କ ସହିତ କୃଷ୍ଣଚନ୍ଦ୍ର କଟକ ପଳାଇ ଯାଇ ସେଠାରୁ କୋଲକାତା ଯାଇଥିଲେ। କୋଲକାତାରେ ୧୦ରୁ ୧୨ ଦିନ ରହିବା ପରେ ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ରଙ୍କୁ ଫୋନ୍‌ କରି ସାହାଯ୍ୟ ମାଗିଥିଲେ। ଗୋଲାକ ଡେରାଡୁନ ଯିବାକୁ ପରାମର୍ଶ ଦେଇଥିଲେ ବୋଲି ଅଭିଯୁକ୍ତ କହିଛନ୍ତି। ଡେରାଡୁନରେ ପହଞ୍ଚିବା ପରେ ସେଠାରେ କୌଣସି ଜଣେ ବ୍ୟକ୍ତି ଲଜ୍‌ ଠିକ୍‌ କରି ଦେଇଥିଲେ।

ସୂଚନାଯୋଗ୍ୟ, ବିଜେଡି ଯୁବ ନେତା ତଥା ଗଞ୍ଜାମ ଜିଲ୍ଲା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ଦୁର୍ବୃତ୍ତମାନେ ସଙ୍ଘବଦ୍ଧ ହୋଇ ଗତ ସେପ୍ଟେମ୍ବର ୧୬ରେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ତାଙ୍କୁ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଲକ୍ଷ୍ମୀଦତ୍ତ ପ୍ରଧାନ ନିଜ ଘରେ ଥିବା ବେଳେ, ଅପରାହ୍ନ ଗୋଟାଏରେ ପ୍ରାୟ ୧୫ ଜଣ ଦୁର୍ବୃତ୍ତ ଅସ୍ତ୍ରଶସ୍ତ୍ର ଧରି ପହଞ୍ଚିଥିଲେ। ଲକ୍ଷ୍ମୀଧର କିଛି କହିବା ପୂର୍ବରୁ ସେମାନେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ବାଇକରେ ଆସିଥିଲେ। ଘରଠାରୁ ଅଳ୍ପ ଦୂରରେ ବାଇକ ରଖି କାଉନସିଲରଙ୍କ ଘରକୁ ପ୍ରବେଶ କରିଥିଲେ।

ସମ୍ବନ୍ଧିତ ଖବର