କରୋନା ସଂକ୍ରମଣର ଭୟକୁ ଖାତିର ନକରି ଅମ୍ଫାନ ବାତ୍ୟା ସମୟରେ କାମ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ନବୀନ

ଭୁବନେଶ୍ବର : କରୋନା ମୁକାବିଲା ଓ ତତସହିତ ଅମ୍ଫାନ ବାତ୍ୟା ମୁକାବିଲା ସମୟରେ ସାହସିକତାର ସହ କାମ କରିଥିବା ସରକାରୀ କର୍ମଚାରୀ, ପୁଲିସ କର୍ମଚାରୀ ଓ ବିପର୍ଯ୍ୟୟ ପ୍ରଶମନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀ, ଓ ଜନପ୍ରତିନିଧିଙ୍କୁ  ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କରୋନା ସଂକ୍ରମଣର ଭୟକୁ ଖାତିର ନକରି ଅମ୍ଫାନ ବାତ୍ୟା ସମୟରେ ଆମର ସରକାରୀ କର୍ମଚାରୀମାନେ, ଜନପ୍ରତିନିଧିମାନେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଯେଭଳି ସାହାସିକତା ଓ ନିଷ୍ଠାର ସହିତ କାମ କଲେ ଓ ଜିରୋ କାଜୁଆଲିଟି ଲକ୍ଷ୍ୟ ହାସଲ କରି ପାରିଲେ, ସେଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବାତ୍ୟାର ୨୪ଘଣ୍ଟା ମଧ୍ୟରେ କ୍ଷତିଗ୍ରସ୍ତ ରାସ୍ତାର ପୁନଃରୁଦ୍ଧାର ଏବଂ ୪୮ଘଣ୍ଟା ମଧ୍ୟରେ ବିଦ୍ୟୁ ଯୋଗାଣ ସ୍ୱାଭାବିକ କରି ଆମର କର୍ମଚାରୀମାନେ ଯେଭଳି ଦକ୍ଷଥା ପ୍ରଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ତାର ଉଚ୍ଚ ପ୍ରଶଂସା କରିଛନ୍ତି । ଓଡ଼ିଶାବାସୀ ଏଭଳି ବିପତ୍ତି ସମୟରେ ଅନେକ ତ୍ୟାଗ ସ୍ୱୀକାର କରିଛନ୍ତି ଏବଂ ସରକାରଙ୍କୁ ସବୁବେଳେ ସମ୍ପୂର୍ଣ୍ଣ ଭାବରେ ସହଯୋଗ ଦେଇଛନ୍ତି। ଓଡ଼ିଶାବାସୀଙ୍କର ଏହି ତ୍ୟାଗ ହିଁ ଆଗକୁ ବଢ଼ିବା ପାଇଁ ଆମକୁ ପ୍ରେରଣା ଦେବା ସହିତ ଅଧିକ କଠିନ ପରିଶ୍ରମ କରିବା ପାଇଁ ଆମକୁ ଶକ୍ତି ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହା ଆମର ବ୍ୟବସ୍ଥାକୁ ସୁଦୃଢ଼ଭାବେ ପ୍ରତିପାଦନ କରିବା ସହିତ ସରପଞ୍ଚ, ଲୋକ ପ୍ରତିନିଧି ଏବଂ ସରକାରଙ୍କ ବିଭିନ୍ନ ବିଭାଗର ତଳସ୍ତରରୁ ଉପରସ୍ତର ପର୍ଯ୍ୟନ୍ତ ସବୁ କର୍ମଚାରୀଙ୍କ ନିଷ୍ଠା ଯୋଗୁଁ ସମ୍ଭବ ହୋଇପାରିଛି। କରୋନା ଯୁଦ୍ଧରେ ନିଜର ସବୁକିଛି ତ୍ୟାଗ କରି ଦିନରାତି କାମ କରୁଥିବା ବ୍ୟକ୍ତିମାନଙ୍କ ପ୍ରତିବଦ୍ଧତାର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଂଶସା କରିଥିଲେ।

ରାଜ୍ୟ ଭିତରେ ଅନ୍ୟ ରାଜ୍ୟର ପ୍ରବାସୀମାନଙ୍କୁ ସାହାଯ୍ୟ କରିବା ପାଇଁ ଆମେ ଜିଓ ଓ୍ଵାର୍କିଂ ଇନ୍‌ସାଇଡ୍‌ ଓଡ଼ିଶା ନୀତି କାର୍ଯ୍ୟକାରୀ କରିଛୁ। ଏହାକୁ ସଫଳତାର ସହିତ କାର୍ଯ୍ୟକାରୀ କରିବାରେ ରାଜ୍ୟ ପୁଲିସର କାର୍ଯ୍ୟଦକ୍ଷତା ପ୍ରଶଂସାଯୋଗ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଏବଂ ସେମାନଙ୍କ ଏହି ଭଲ କାମ ପାଇଁ ଅଭିନନ୍ଦନ ଜଣାଇଥିଲେ। ସୂଚନାଯୋଗ୍ୟ, ଯେ ବର୍ତ୍ତମାନ ସୁଦ୍ଧା ୧୪,୬୬୯ ଜଣ ଅନ୍ୟ ରାଜ୍ୟର ବ୍ୟକ୍ତିଙ୍କୁ ବସ୍‌ ଯୋଗେ ବର୍ଡର ଚେକ୍‌ପୋଷ୍ଟରେ ପହଞ୍ଚାଇ ଦିଆଯାଇଛି।

ସମ୍ବନ୍ଧିତ ଖବର