୩୫,୪୪୦ ପିଲାଙ୍କୁ ମୁଖ୍ୟମନ୍ତ୍ରୀ ମେଧାବୃତ୍ତି : ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ୫ ହଜାର

ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ବଣ୍ଟନ ହେବ, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହେବ କମିଟି

ଭୁବନେଶ୍ୱର : ମାଟ୍ରିକ୍‌ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ଯୋଜନା ଚଳିତବର୍ଷ ଠାରୁ ଆରମ୍ଭ ହେବାକୁ ଯାଉଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଛି ଗାଇଡ୍‌ଲାଇନ୍‌। କେଉଁମାନଙ୍କୁ ବୃତ୍ତି ମିଳିବ? କିଭଳି ଚୟନ ହେବେ ଛାତ୍ରଛାତ୍ରୀ? କେମିତି ବଣ୍ଟନ ହେବ ବୃତ୍ତି? ଏଭଳି ବିଭିନ୍ନ ବିଷୟକୁ ଗାଇଡ୍‌ଲାନ୍‌ରେ ଉଲ୍ଲେଖ କରାଯାଇଛି।

ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ ତଥା ସ୍ୱୀକୃତିପ୍ରାପ୍ତ ଓଡ଼ିଆ ମାଧ୍ୟମ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ‘ମୁଖ୍ୟମନ୍ତ୍ରୀ ମେଧା ବୃତ୍ତି’ରେ ସାମିଲ ହେବେ। ମାଟ୍ରିକ୍‌ ପରୀକ୍ଷାରେ ଅଧିକ ନମ୍ବର ରଖିଥିବା ଛାତ୍ର/ଛାତ୍ରୀ ଏହି ବୃତ୍ତି ପରିସରଭୁକ୍ତ ହେବେ। ପ୍ର୍ରତ୍ୟେକ ବର୍ଷ ରାଜ୍ୟର ୩୫,୪୪୦ ଛାତ୍ରଛାତ୍ରୀ ଏହି ବୃତ୍ତି ପାଇବେ। ପ୍ରତି ବ୍ଲକ୍‌ର ୧୦୦ ଜଣ, ପ୍ରତି ନିଗମ ଅଞ୍ଚଳରୁ ୧୦୦ ଜଣ, ପ୍ରତି ମ୍ୟୁନିସପାଲିଟିରୁ ୫୦ ଓ ପ୍ରତି ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ରୁ ୨୦ ଜଣ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ମିଳିବ। ଅଣ-ଅନୁଦାନ ଓ ସ୍ୱୀକୃତି ପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ମୋଟ ବୃତ୍ତି ସଂଖ୍ୟାର ସର୍ବାଧିକ ୨୦ ଭାଗ ବୃତ୍ତି ପାଇପାରିବେ। ଯୋଗ୍ୟ ତାଲିକାରେ ଶେଷ ସ୍ଥାନରେ ଯଦି ଏକାଧିକ ଛାତ୍ରଛାତ୍ରୀ ରହିବେ ତେବେ ସେଭଳି କ୍ଷେତ୍ରରେ ସଂପୃକ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବିଜ୍ଞାନରେ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ବୃତ୍ତି ରାଶି ପ୍ରଦାନ କରାଯିବ। ଯଦି ବିଜ୍ଞାନରେ ସମାନ ନମ୍ବର ଥାଏ ତେବେ ଗଣିତ ବିଷୟକୁ ଧରାଯିବ। ଆଉ ଯଦି ଗଣିତରେ ସମାନ ନମ୍ବର ରହିଥିବ ତେବେ ସାମାଜିକ ବିଜ୍ଞାନ ନମ୍ବରକୁ ନିଆଯାଇ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯିବ। ଏହା ଏକକାଳୀନ ବୃତ୍ତି। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ୫ ହଜାର ଟଙ୍କା ମିଳିବ। କୌଣସି ପରିସ୍ଥିତିରେ ବୃତ୍ତି ରାଶି ବଢ଼ିବ ନାହିଁ।

ମାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶର ଏକ ମାସ ମଧ୍ୟରେ ଛାତ୍ରଛାତ୍ରୀ ଚିହ୍ନଟ କରାଯିବ। ଏଥିପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ ହେବ। ଜିଲ୍ଲା ଶିକ୍ଷା ଅଧିକାରୀ ଏହାର ଆବାହକ ଓ ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ସଭ୍ୟ ରହିବେ। ଜିଲ୍ଲା ଶିକ୍ଷା ଅଧିକାରୀ, ମାଧ୍ୟମିକ ଶିକ୍ଷା ପରିଷଦଙ୍କଠାରୁ ପ୍ରାପ୍ତ ଛାତ୍ରଛାତ୍ରୀଙ୍କ ତାଲିକାକୁ ତର୍ଜମା କରି ବୃତ୍ତି ପାଇଁ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରି ଏକ ମାସ ମଧ୍ୟରେ ଜିଲ୍ଲାସ୍ତରୀୟ କମିଟି ନିକଟରେ ଉପସ୍ଥାପନ କରାଯିବ। କମିଟି ଏହାକୁ ଯାଞ୍ଚ କରି ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ଓ ଅନୁମୋଦନ କରିବେ।

ବୃତ୍ତି ବାବଦକୁ ଗଣଶିକ୍ଷା ବିଭାଗ ପ୍ରତିବର୍ଷ ବଜେଟ୍‌ରେ ବ୍ୟୟ ଅଟକଳ କରିବ। ପ୍ରତିବର୍ଷ ଜୁନ୍‌ ମାସ ସୁଦ୍ଧା ପାଣ୍ଠି ଯୋଗାଇବା ସହ ଅର୍ଥ ମଞ୍ଜୁର କରାଯିବ। ମାଧ୍ୟମିକ ଶିକ୍ଷା ନିର୍ଦେଶକ ଜୁଲାଇ ୧୫ ସୁଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପାଣ୍ଠି ଯୋଗାଇବେ। ଜିଲ୍ଲା ଶିକ୍ଷା ଅଧିକାରୀ ବୃତ୍ତି ନିମନ୍ତେ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବୃତ୍ତି ରାଶି ସ୍ଥାନାନ୍ତର କରିବେ। କୌଣସି ପରିସ୍ଥିତିରେ ବୃତ୍ତି ରାଶି ନଗଦ ଆକାରରେ ଦିଆଯିବ ନାହିଁ। ବୃତ୍ତି ରାଶି ଅଗଷ୍ଟ ଓ ସେପ୍ଟେମ୍ବର ମାସ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ। ବୃତ୍ତି ରାଶି ବଣ୍ଟନ ପରେ ଜିଲ୍ଲା ଶିକ୍ଷା ଅଧିକାରୀ ବୃତ୍ତିରାଶି ବଣ୍ଟନ ସମ୍ପର୍କିତ ପ୍ରମାଣପତ୍ର ଏକ ମାସ ମଧ୍ୟରେ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କ ନିକଟକୁ ପ୍ରେରଣ କରିବେ। ଉକ୍ତ ପ୍ରମାଣପତ୍ରକୁ ତର୍ଜମା କରିବା ପରେ ନିର୍ଦେଶକ ମୋହର ମାରିବା ସହ ସରକାରଙ୍କ ନିକଟକୁ ପଠାଇବେ।

ସମ୍ବନ୍ଧିତ ଖବର