ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ଖର୍ଚ୍ଚ ଅନିୟମିତତା ମାମଲା: ନଭେମ୍ବର ୧୦ରେ ପରବର୍ତ୍ତୀ ଶୁଣାଣି

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ଖର୍ଚ୍ଚ ହିସାବରେ ଅନିୟମିତତା ଅଭିଯୋଗକୁ ନେଇ ବିଚାରାଧୀନ ମାମଲାର ପରବର୍ତ୍ତୀ ଶୁଣାଣି ହେବ ନଭେମ୍ବର ୧୦ ତାରିଖରେ। ଜଷ୍ଟିସ ବି.କେ.ନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ଶୁଣାଣି ପାଇଁ ଦେବାନନ୍ଦ ମହାପାତ୍ର ଓ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଭୋଟର ମାଧବ ଗୌଡଙ୍କ ପକ୍ଷରୁ ଦାୟର ମାମଲା ସହିତ ସୁବାସ ମହାପାତ୍ରଙ୍କ ଆବେଦନ ତାଲିକାଭୁକ୍ତ ହୋଇଥିଲା। ଶୁଣାଣି ସମୟରେ ସୁବାସ ମହାପାତ୍ରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାସ ଦର୍ଶାଇଥିଲେ ଯେ ୨୦୧୭, ଅକ୍ଟୋବର ୨୭ରେ ସୁବାସ ମହାପାତ୍ରଙ୍କ ଆବେଦନର ଶୁଣାଣି କରି ସୁପ୍ରିମ କୋର୍ଟ ପ୍ରଦାନ କରିଥିବା ରାୟର ସାର୍ଟିଫାଏଡ୍‌ କପି ଏଯାଏ ହସ୍ତଗତ ହୋଇ ପାରି ନାହିଁ। ଭାରତର ନିର୍ବାଚନ କମିସନଙ୍କ ପକ୍ଷରୁ ମଧ୍ୟ ସୁପ୍ରିମକୋର୍ଟଙ୍କ ରାୟର କପି ଆଜି ଦାଖଲ କରାଯାଇ ପାରି ନଥିଲା। ଏପରି ପରିସ୍ଥିତିରେ ଉଭୟ ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୦ ତାରିଖରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଥିଲା।

ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ଖର୍ଚ୍ଚ ଅନିୟମିତତା ସଂପର୍କିିତ ମାମଲାର ଶୁଣାଣି ଓଡିଶା ହାଇକୋର୍ଟରୁ ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ସୁବାସ ମହାପାତ୍ର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅକ୍ଟୋବର ୨୭ରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ଆବେଦନକାରୀଙ୍କ ଅଭିଯୋଗ ଉପରେ ଭାରତର ନିର୍ବାଚନ କମିସନ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଖର୍ଚ୍ଚ ହିସାବରେ ଅନିୟମିତତା ଅଭିଯୋଗକୁ ନେଇ ପ୍ରଥମ ମାମଲା ସୁବାସ ମହାପାତ୍ର ଦାୟର କରିଥିଲେ। ଏ ସଂକ୍ରାନ୍ତୀୟ ଦ୍ୱିତୀୟ ମାମଲା ୨୦୧୭, ଜୁଲାଇ ୨୬ରେ ରୁଜୁ ହୋଇଥିଲା। ହିଞ୍ଜିଳି ଆସନରୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ ଲଢି ପରାଜୟ ବରଣ କରିଥିବା ବିଜେପି ପ୍ରାର୍ଥୀ ଦେବାନନ୍ଦ ମହାପାତ୍ର ଓ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଭୋଟର ମାଧବ ଗୌଡ ଏ ସଂପର୍କିତ ଦ୍ୱିତୀୟ ମାମଲା ରୁଜୁ କରିଥିଲେ। ଦେବାନନ୍ଦ ମହାପାତ୍ରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର