ସମ୍ବଲପୁରୀ ଇକ୍କତ ଢାଞ୍ଚାରେ କୃଷି ଭବନ: ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

କାମ ସରିବାକୁ ଅଢ଼େଇ ମାସ ଲାଗିବ, ଖୋଲିବ ଏଗ୍ରି ବିଜିନେସ୍‌ ସେଣ୍ଟର

ଭୁବନେଶ୍ୱର: କୃଷିଭିତ୍ତିକ ପରମ୍ପରା ଏବଂ କଳା ଗାରିମାର ପରିଚୟ ବହନ କରିବ ନୂତନ କୃଷି ଭବନ। ରବୀନ୍ଦ୍ର ମଣ୍ଡପରୁ କମିସନରେଟ୍‌ କାର୍ଯ୍ୟାଳୟ ଆଡ଼କୁ ଗଲେ କେହି ଜଣେ ତରୁଣୀ ସମ୍ବଲପୁରୀ ଶାଢ଼ିଟିଏ ପରିଧାନ କରି ମୂର୍ତିମନ୍ତ ଅବସ୍ଥାରେ ଦଣ୍ଡାୟମାନ ହୋଇଥିବାର ଅନୁଭବ ମିଳିବ। ସମ୍ବଲପୁରୀ ଇକ୍କତ ଢାଞ୍ଚାରେ ନିର୍ମିତ କୃଷି ଭବନର ନୂତନ ବିଲ୍‌ଡିଂ ଏହିଭଳି ଏକ ନିଆରା ଅନୁଭବ ଦେବ। ଅଟ୍ଟାଳିକାରେ ୪୦ରୁ ଊର୍ଧ୍ୱ ସ୍ଥପତି ଶିଳ୍ପୀଙ୍କ କାରିଗରୀ ସ୍ପର୍ଶ ରହିଥିବା ବେଳେ ୬ ମାସ ଧରି କାମ ଚାଲୁ ରହିଛି। ଖୁବ୍‌ଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ଇଡ୍‌କୋ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଉକ୍ତ ଅଟ୍ଟାଳିକାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ନିର୍ମିତ ବିଲ୍‌ଡିଂର ସ୍ଥାପତ୍ୟ ବୁଲି ଦେଖିଥିବା ବେଳେ ଡିଜାଇନର୍‌ ଶିବାନନ୍ଦ ଭୋଳ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ବିଷୟରେ ଅବଗତ କରାଇଥିଲେ।

ଆମ ରାଜ୍ୟ ଅଟ୍ଟାଳିକା ନିର୍ମାଣରେ ଅନ୍ୟ ବଡ଼ ବଡ଼ ରାଜ୍ୟର କୋଠାର ନିର୍ମାଣଶୈଳୀକୁ ଅନୁକରଣ କରୁଥିବା ବେଳେ ଏହି ନୂତନ କୃଷି ଭବନର ନିର୍ମାଣ ଢାଞ୍ଚା ନିଶ୍ଚିତ ସବୁ ଦୃଷ୍ଟିରୁ ନିଆରା। ଏହାର ସମ୍ମୁଖ ଭାଗ ସମ୍ବଲପୁରୀ ଇକ୍କତ ଶାଢ଼ି ଶୈଳୀରେ ନିର୍ମିତ ହୋଇଥିବା ବେଳେ ବିଭିନ୍ନ ରଙ୍ଗର ଇଟା ଖଞ୍ଜାଯାଇଛି। ଗତିଶୀଳ ଅବସ୍ଥାରେ ଏହା ନିଶ୍ଚେ ରାସ୍ତାରେ ଯାଉଥିବା ଲୋକଙ୍କ ଧ୍ୟାନ ଆକର୍ଷଣ କରିବ। ସେହିପରି ଅଟ୍ଟାଳିକା ମଧ୍ୟରେ ଚାଷୀମାନଙ୍କ ବିଭିନ୍ନ କାର୍ଯ୍ୟକଳାପ ଓ ଚାଷ ସମ୍ପର୍କିତ ଜୀବନୀ ବି ବିଲ୍‌ଡିଂ କାନ୍ଥରେ ଖୋଦିତ ହୋଇଛି। ବିଶେଷକରି ମାଙ୍କଡ଼ା ପଥରରେ ବିଲ୍‌ଡିଂ କାମ ହୋଇଥିବା ବେଳେ କାରୁକାର୍ଯ୍ୟପୂର୍ଣ୍ଣ କାମ ଖଣ୍ଡୋଲାଇଟ୍‌ ପଥରରେ କରାଯାଇଛି ବୋଲି କହିଛନ୍ତି ଡିଜାଇନର ଶିବାନନ୍ଦ ଭୋଳ। ଓଡ଼ିଶାର ନୟାଗଡ଼, ବାଳକାଟି ସମେତ ଅନ୍ୟ ଅଞ୍ଚଳରୁ କାରିଗରମାନେ ଏହି କାରିଗରୀ କାମ କରିଥିବା ବେଳେ ଛତିଶଗଡ଼ରୁ କିଛି କାରିଗର ଲୁହା କାରିଗରୀ ପାଇଁ ସାମିଲ୍‌ ହୋଇଥିଲେ। କାର୍ଯ୍ୟାଳୟ ଓ ଘରକୁ ଏଣିକି ଓଡ଼ିଆ ବାସ୍ନା ଦେଇ ନିର୍ମାଣ କରିବାରେ ଏହି ବିଲ୍‌ଡିଂ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି। କାମ ସମ୍ପୂର୍ଣ୍ଣ ହେବା ପାଇଁ ଆଉ ୨ ରୁ ଅଢ଼େଇ ମାସ ଲାଗିବ ବୋଲି ସେ କହିଛନ୍ତି। ଏହି ବିଲ୍‌ଡିଂରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସମେତ କୃଷି ନିର୍ଦେଶାଳୟ ଏବଂ ଉଦ୍ୟାନକୃଷି ନିର୍ଦେଶାଳୟ ରହିବ। କୃଷକମାନଙ୍କୁ ଶିକ୍ଷା, ସୂଚନା ଓ ତାଲିମ୍‌ ଦେବା ପାଇଁ ଏହି ବିଲ୍‌ଡିଂରେ ସମସ୍ତ ସୁବିଧା ରହିବ। ବୈଠକ ଗୃହ ସମେତ ସମ୍ମିଳନୀ କକ୍ଷ ରହିଛି। କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ସଚିବ ସୌରଭ ଗର୍ଗ କହିଛନ୍ତି ଯେ ଏଠାରେ ଏକ ଏଗ୍ରି-ବିଜ୍‌ନେସ୍‌ ସେଣ୍ଟର ତଥା କୃଷି ବ୍ୟବସାୟିକ କେନ୍ଦ୍ର ରହିବ। ଯାହା ଚାଷୀ ବ୍ୟବସାୟୀଙ୍କୁ ସମସ୍ତ ପ୍ରକାର ସହଯୋଗ ସହ ସୂଚନା ପ୍ରଦାନ କରିବ। ଇଡ୍‌କୋର ସିଏମ୍‌ଡି ସଂଜୟ ସିଂହ କହିଛନ୍ତି ଯେ ସମ୍ପୂର୍ଣ୍ଣ ବିଲ୍‌ଡିଂର ନିର୍ମାଣ ମୁଖ୍ୟମନ୍ତ୍ରୀଙ୍କ ତଦାରଖ ଓ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ କରାଯାଇଛି। ବିଲ୍‌ଡିଂ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଫିନିସିଙ୍ଗ ଦିଆଯିବ ଏବଂ ଖୁବ୍‌ଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର