କେନ୍ଦ୍ର ଦେଇନାହିଁ ବରିଷ୍ଠ ନାଗରିକଙ୍କ ମାଗଣା ଚାଉଳ

ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନାରେ ବରିଷ୍ଠ ନାଗରିକଙ୍କୁ ମାଗଣା ୧୦ କିଲୋ ଚାଉଳ ଦିଆଯାଉଛି। କିନ୍ତୁ ଗତ ଦୁଇବର୍ଷ ଧରି କେନ୍ଦ୍ର ଏହି ଚାଉଳ କିମ୍ବା ଏଥିପାଇଁ ଆବଶ୍ୟକ ପାଣ୍ଠି ଦେଇନାହିଁ। ଏଣୁ ଏହି ଚାଉଳ ଏବଂ ପାଣ୍ଠି ଯଥାଶୀଘ୍ର ରାଜ୍ୟକୁ ପ୍ରଦାନ କରିବା ନିମନ୍ତେ ସଂପୃକ୍ତ ମନ୍ତ୍ରାଳୟଙ୍କୁ ନିର୍ଦେଶ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି। ଆଜି ଏ ନେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି। ପତ୍ରରେ ସେ ଦର୍ଶାଇଛନ୍ତି ଯେ ଅନ୍ନପୂର୍ଣ୍ଣା ଯୋଜନାରେ ରାଜ୍ୟର ୬୪୮୦୦ ବରିଷ୍ଠ ନାଗରିକଙ୍କୁ ମାସିକ ୧୦ କିଲୋ ଲେଖାଏଁ ଚାଉଳ ଆବଣ୍ଟନ କରାଯାଇଥାଏ। ଏହି ନାଗରିକମାନେ ଚାଉଳ ପାଇବାକୁ ଯୋଗ୍ୟ ହୋଇଥିଲେ ମଧ୍ୟ ସେମାନଙ୍କୁ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ପେନସନ୍‌ ଯୋଜନାରେ ସାମିଲ କରାଯାଇନାହିଁ। ଅନ୍ନପୂର୍ଣ୍ଣା ଯୋଜନାର କାର୍ଯ୍ୟାନ୍ଵୟନ ନିମନ୍ତେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଭୂମିକା ରହିଛି। କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଏବଂ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ଚାଉଳ ଆବଣ୍ଟନ କରୁଥିବା ବେଳେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଏହି ଚାଉଳ ବଣ୍ଟନ ନିମନ୍ତେ ଆବଶ୍ୟକ ଅର୍ଥ ଯୋଗାଇଥାଏ। ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ୨୦୧୬-୧୭ ଏବଂ ୨୦୧୭-୧୮ ମସିହାରେ ଚାଉଳ ମିଳିନଥିବା ବେଳେ ଗତବର୍ଷ ଏଥିପାଇଁ ଆବଶ୍ୟକ ଅର୍ଥ ମଧ୍ୟ ପ୍ରଦାନ କରିନାହାନ୍ତି ଏହି ୨ଟି ମନ୍ତ୍ରାଳୟ। ଏହି ବରିଷ୍ଠ ହିତାଧିକାରୀମାନଙ୍କ ଖାଦ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ସେମାନଙ୍କୁ ରାଜ୍ୟ ସରକାର ରାଜ୍ୟର ନିଜସ୍ୱ ପୁଲ୍‌ରୁ ଚାଉଳ ଯୋଗାଇଛନ୍ତି। ଫଳରେ ଏହା ରାଜ୍ୟ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏଣୁ, ପୂର୍ବ ବର୍ଷଗୁଡ଼ିକର ଚାଉଳ ଏବଂ ଅର୍ଥ ପ୍ରଦାନ କରିବା ସହିତ ଭବିଷ୍ୟତରେ ସଠିକ୍‌ ସମୟରେ ଏସବୁ ଦେବା ପାଇଁ ପତ୍ର ଜରିଆରେ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତିି।

ସମ୍ବନ୍ଧିତ ଖବର