ସଚିବମାନଙ୍କୁ ମୁଖ୍ୟସଚିବ ତାଗିଦ୍‌

ମାସର ପ୍ରଥମ ସପ୍ତାହରେ ୪ଦିନ ଜିଲ୍ଲା ଯାଅ

0 28

ଭୁବନେଶ୍ୱର : ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ସେମାନଙ୍କୁ ଦିଆଯାଇଥିବା ଜିଲ୍ଲା ଗସ୍ତରେ ଯାଉନଥିିବା ନେଇ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଆଜି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସବୁ ବିଭାଗର ସଚିବଙ୍କୁ ଏକ କ଼଼ଡ଼ା ଚିଠି ଲେଖି ତାଗିଦ୍‌ କରିଛନ୍ତି ଯେ ମାସର ପ୍ରଥମ ସପ୍ତାହରେ ସଚିବମାନେ ରାଜ୍ୟସ୍ତରରେ କୌଣସି ବୈଠକ ରଖିପାରିବେ ନାହିଁ। ସେହି ପ୍ରଥମ ସପ୍ତାହରେ ହିଁ ସେମାନଙ୍କୁ ଅତି କମ୍‌ରେ ୪ ଦିନ ପାଇଁ ଜିଲ୍ଲାଗସ୍ତରେ ଯିବାକୁ ପଡିବ।

ମୁଖ୍ୟ ସଚିବ କହିଛନ୍ତି, ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଠିକଣା ଢଙ୍ଗରେ କାର୍ଯ୍ୟକାରୀ ହେଉଛି କି ନାହିଁ, ସେନେଇ ସଚିବମାନେ ତଦାରଖ କରିବା ଦରକାର। ଏହି କ୍ରମରେ ସେମାନେ ଜିଲ୍ଲା ଗସ୍ତକଲା ବେଳେ ନିଜ ବିଭାଗ କାର୍ଯ୍ୟ ସମୀକ୍ଷା କରିବା ସହିତ ମମତା, ବୋରେଓ୍ଵଲ, ଉଠା ଜଳସେଚନ, ନିରାମୟ, ପିଇବା ପାଣି, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ସର୍ବଶିକ୍ଷା ଅଭିଯାନ ଓ ହଷ୍ଟେଲ, ବିଜୁ ପକ୍କା ଘର ଓ ଆବାସ ଯୋଜନା, ମିସନ ଶକ୍ତି, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା, ଗ୍ରାମ୍ୟ ବିଦ୍ୟୁତକରଣ, ପେନସନ୍‌ ଯୋଜନା, ସମନ୍ଵିତ ଶିଶୁ ବିକାଶ ଯୋଜନାର ସ୍ଥିତି ପରଖି ରିପୋର୍ଟ ଦେବେ। ସଚିବମାନେ ଜିଲ୍ଲାଗସ୍ତରୁ ଫେରିବାର ଦୁଇ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ଚିଠିରେ ନିର୍ଦେଶ ଦିଆଯାଇଛି।

ଜିଲ୍ଲାରେ ସଚିବମାନେ ଯେଉଁ ସମସ୍ୟା ଦେଖିବେ, ତାହା ସେହି ମାସର ସଚିବସ୍ତରୀୟ ବୈଠକ ରେ ଆଲୋଚନା ହେବ। ଏହାବ୍ୟତୀତ କିଛି ସଚିବଙ୍କୁ ସେମାନଙ୍କ ଜିଲ୍ଲାଗସ୍ତ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପାଓ୍ଵାର ପଏଣ୍ଟ ଜରିଆରେ ତଥ୍ୟ ରଖିବାକୁ କୁହାଯାଇପାରେ। ଏଥିସହିତ କେଉଁ ସଚିବ କେଉଁ ଜିଲ୍ଲାକୁ ଯିବେ, ସେ ନେଇ ସାନି ତାଲିକା ଜାରି କରାଯାଇଛି। ଏହା ନଭେମ୍ବର ପହିଲାରୁ କାର୍ଯ୍ୟକ୍ଷମ ହେବ ଓ ତିନି ମାସ ପାଇଁ ବଳବତ୍ତର ରହିବ।

Panda Mobile only

ଉଲ୍ଲେଖଯୋଗ୍ୟ, ଏମ୍‌ଏମ୍‌ଏମ୍‌ଇ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟଶାସନ ସଚିବ ଲକ୍ଷ୍ମୀ ନାରାୟଣ ଗୁପ୍ତାଙ୍କୁ ଝାରସୁଗୁଡା, ଜଙ୍ଗଲ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ପୁରୀ, ଉଚ୍ଚଶିକ୍ଷା ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ଭି ଭି ଶର୍ମାଙ୍କୁ ମୟୂରଭଂଜ, ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେଙ୍କୁ କଟକ, ଇସ୍ପାତ ଓ ଖଣି ସଚିବ ରାଜ କୁମାର ଶର୍ମାଙ୍କୁ କେନ୍ଦୁଝର, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ସମ୍ବଲପୁର, ଜଳସଂପଦ ସଚିିବ ପ୍ରଦୀପ କୁମାର ଜେନାଙ୍କୁ କଳାହାଣ୍ଡି ଦାୟିତ୍ୱ ଦିଆଯାଇଛି।

ସେହିଭଳି ପର୍ଯ୍ୟଟନ ସଚିବ ଡାକ୍ତର ମୋନା ଶର୍ମାଙ୍କୁ ଖୋର୍ଧା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ସଚିବ ନୀତେନ ଚନ୍ଦ୍ରଙ୍କୁ ଗଜପତି, ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରାଙ୍କୁ ସୁନ୍ଦରଗଡ, ବାଣିଜ୍ୟ ସଚିବ ଗୁଡି ଶ୍ରୀନିବାସଙ୍କୁ ରାୟଗଡା, କୃଷି ସଚିବ ଡ. ସୌରବ ଗର୍ଗଙ୍କୁ ବୌଦ୍ଧ, ଶ୍ରମ ସଚିବ ଅନୁ ଗର୍ଗଙ୍କୁ ବାଲେଶ୍ୱର, ସାଧାରଣ ଉଦ୍ୟୋଗ ସଚିବ ବିଜୟ ଆରୋରାଙ୍କୁ ବରଗଡ, ରାଜସ୍ୱ ସଚିବ ଚନ୍ଦ୍ର ଶେଖର କୁମାରଙ୍କୁ କନ୍ଧମାଳ, ପଞ୍ଚାୟତିରାଜ ସଚିବ ଦେଓରଂଜନ ସିଂହଙ୍କୁ ନୂଆପ଼ଡା, ଅବକାରୀ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଦେବଗଡ ଦାୟିତ୍ୱ ଦିଆଯାଇଛି। ସାଧାରଣ ପ୍ରଶାସନ ସ୍ୱତନ୍ତ୍ର ଶାସନ ସଚିବ ଅଶୋକ କାଳୁରାମ ମୀନାଙ୍କୁ ଢେଙ୍କାନାଳ, ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ସଚିବ ସୁରେନ୍ଦ୍ର କୁମାରଙ୍କୁ କେନ୍ଦ୍ରାପଡା, ସମବାୟ ସଚିବ ରଂଜନା ଚୋପ୍ରାଙ୍କୁ ଗଞ୍ଜାମ, ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ଜି ମାଥିଭାତନନଙ୍କୁ ଅନୁଗୁଳ, ଶକ୍ତି ସଚିବ ହେମନ୍ତ ଶର୍ମାଙ୍କୁ ନୟାଗଡ, ଗ୍ରାମ୍ୟ ଉନ୍ନୟନ ସଚିବ ବିଷ୍ଣୁପଦ ସେଠୀ ନବରଙ୍ଗପୁର, ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ଚିତ୍ରା ଅରୁମୁଗମ୍‌ଙ୍କୁ ଭଦ୍ରକ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ବୀରବିକ୍ରମ ଯାଦବଙ୍କୁ ଯାଜପୁର ଜିଲ୍ଲା ଦାୟିତ୍ୱ ଦିଆଯାଇଛି।

କ୍ରୀଡା ଓ ଯୁବ ସେବା ବିକାଶ ବିଭାଗ ସଚିବ ବିଶାଳ କୁମାର ଦେବଙ୍କୁ ବଲାଙ୍ଗୀର, ଦକ୍ଷତା ବିଭାଗ ସଚିବ ସଞ୍ଜୟ କୁମାର ସିଂହଙ୍କୁ ଜଗତସିଂହପୁର, ସ୍ୱାସ୍ଥ୍ୟ ସଚିିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦାଙ୍କୁ କୋରାପୁଟ, ମତ୍ସ୍ୟ ଓ ପଶୁପାଳନ ସଚିିବ ବିଶାଳ ଗଗନଙ୍କୁ ମାଲକାନଗିରି ଓ ହସ୍ତତନ୍ତ ଓ ବୟନ ବିଭାଗର ସଚିବ ଶୁଭା ଶର୍ମାଙ୍କୁ ସୋନପୁର ଜିଲ୍ଲା ଦାୟିତ୍ୱ ଦିଆଯାଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.