କ୍ରସର ୟୁନିଟରେ ବାରହା ମାତିଲା! : ଶିଶୁକନ୍ୟାର ପାପୁଲି ଛିଣ୍ତାଇନେଲା

ଖୋର୍ଧା : ଖୋର୍ଧା ଉପକଣ୍ଠ ଦଧିମାଛଗାଡ଼ିଆ ସ୍ଥିତ ଟୁଟୁ ସାମନ୍ତରାୟଙ୍କ କ୍ରସର ୟୁନିଟରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। କାର୍ଯ୍ୟରତ ଶ୍ରମିକ ବାପା-ମାଙ୍କ ଆଖି ଆଗରେ ଏକ ବାରହା ଆକ୍ରମଣ କରି ୩ବର୍ଷର ଶିଶୁକନ୍ୟାର ହାତ ପାପୁଲି ଛିଣ୍ତାଇ ନେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅପରପକ୍ଷେ, କ୍ରସର ଚାଲୁଥିବା ଏବଂ ଅନ୍ୟ ଶ୍ରମିକମାନେ ସେଠାରେ ଉପସ୍ଥିତ ଥାଇ ବାରହା କିଭଳି ଶିଶୁଟିକୁ ଆକ୍ରମଣ କଲା ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।

ସୂଚନାନୁଯାୟୀ, ଗଞ୍ଜାମ ଜିଲ୍ଲା ତାରାସିଂ ବ୍ଲକ୍ ଅନ୍ତର୍ଗତ ପାଟରାପଲ୍ଲୀର ଭିକାରୀ ଏବଂ ତାଙ୍କ ପତ୍ନୀ ଗାୟତ୍ରୀ ୬-୭ମାସ ତଳେ ନିଜର ଶିଶୁକନ୍ୟା ତୁଳସୀ ସହ ଏହି କ୍ରସର ୟୁନିଟକୁ କାମ କରିବାକୁ ଆସିଥିଲେ। ଭିକାରୀଙ୍କ କହିବାନୁସାରେ, ଶନିବାର ସକାଳ ପ୍ରାୟ ସାଢ଼େ ୧୦ରୁ୧୧ଟା ଭିତରେ କ୍ରସର ୟୁନିଟରେ ସେ ଏବଂ ଗାୟତ୍ରୀ ପଥର ବାଡ଼ଉଥିଲେ। କିଛି ଦୂରରେ ତୁଳସୀ ସମେତ ୩-୪ଜଣ ପିଲା ଖେଳୁଥିଲେ। ଏହି ସମୟରେ ଏକ ବାରହା କୁଆଡୁ ହଠାତ୍ ସେଠାରେ ପହଞ୍ଚି ତୁଳସୀର ବାମ ହାତକୁ କାମୁଡ଼ି ପାପୁଲିକୁ ଛିଣ୍ଡାଇ ଦେଇଥିଲା। ଏହା ଦେଖି ଅନ୍ୟ ଶ୍ରମିକମାନେ ପାଟି କରିବାରୁ ବାରହାଟି କାମୁଡ଼ି ଧରିଥିବା ଛିଣ୍ଡା ପାପୁଲିକୁ ଛାଡ଼ି ପଳାଇଥିଲା। ତୁଳସୀକୁ ସାଢ଼େ ୧୧ଟାରେ ଖୋର୍ଧା ଜିଲ୍ଲା ହସ୍ପିଟାଲକୁ ଅଣାଯାଇ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ବର ଏମସ୍ ପଠାଯାଇଛି।

ଅପରପକ୍ଷରେ, କ୍ରସର ବେଲ୍ଟରେ ଶିଶୁଟିର ହାତ କଟିଥିବା ସ୍ଥାନୀୟ ଲୋକ କହୁଛନ୍ତି। କାରଣ ବାରହା ଆକ୍ରମଣ କରି ଖଣ୍ତିଆ ଖାବରା କରିଥାଏ। ତାହା ନକରି ବାରହାଟି କେବଳ ହାତ ପାପୁଲିଟିକୁ ଛିଣ୍ତାଇ ତାକୁ ନନେଇ କିଭଳି ଛାଡ଼ିଗଲା ବୋଲି ପ୍ରଶ୍ନ କରିଛନ୍ତି। ଏନେଇ କ୍ରସର ମାଲିକ ଶ୍ରୀ ସାମନ୍ତରାୟଙ୍କୁ ପଚାରିବାରେ କ୍ରସରରେ ଶିଶୁଟିର ହାତ କଟିଥିବା କଥାକୁ ଅସ୍ବୀକାର କରିଛନ୍ତି। ତାଙ୍କ କହିବାନୁସାରେ, ସକାଳେ ବାରହାଟି ଗାଁ ଭିତରକୁ ପଶିଆସିଥିଲା, ତାକୁ ଘଉଡ଼ାଇବାରୁ ସେ କ୍ରସର ୟୁନିଟ୍ ଭିତରକୁ ଚାଲିଆସିଥିଲା। ପ୍ରଥମେ ବାରହାଟି ଅନ୍ୟ ଜଣେ ଶିଶୁକୁ ଆକ୍ରମଣ କରିବାକୁ ଯିବା ସମୟରେ ନିକଟରେ ଥିବା ତୁଳସୀର ବାପା ତୁରନ୍ତ ତାକୁ ଟାଣି ଆଣିଥିଲେ। ସେ ମଧ୍ୟ ବାରହା ଆକ୍ରମଣରେ ସାମାନ୍ୟ ଆହତ ହୋଇଛନ୍ତି। ଏହାପରେ ବାରହାଟି ତୁଳସୀକୁ କାମୁଡ଼ି ଦେଇଥିଲା। ଅପରପକ୍ଷେ. ସଦର ଥାନା ଅଞ୍ଚଳରେ ବାରହା ବୁଲୁଥିବା କିମ୍ବା କାହାରିକୁ ଆକ୍ରମଣ କରିଥିବା କୌଣସି ସୂଚନା ନାହିଁ ବୋଲି ଏସ୍ଆଇ ବିଚିତ୍ରାନନ୍ଦ ପରିଡ଼ା କହିଛନ୍ତି।

ସମ୍ବନ୍ଧିତ ଖବର