ବାଲ୍ୟବିବାହ ନିବାରଣ ଆଇନ : ୯ ବର୍ଷ ହେଲା ପ୍ରସ୍ତୁତ ହୋଇନି ବାର୍ଷିକ ବିବରଣୀ

ଭୁବନେଶ୍ୱର : ବାଲ୍ୟ ବିବାକୁ ବନ୍ଦ କରିବା ପାଇଁ ୨୦୦୯ରୁ ଓଡ଼ିଶା ବାଲ୍ୟ ବିବାହ ନିବାରଣ ଆଇନ ପ୍ରଣୟନ କରାଯାଇଛି। ହେଲେ ଏହା କାର୍ଯ୍ୟକାରୀ ହେଉନ ନଥିବା ଅଭିଯୋଗ ହେଉଛିି। ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦେଶକ ବାଲ୍ୟ ବିବାହ ନିବାରଣ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି। ରାଜ୍ୟରେ ବାଲ୍ୟ ବିବହା ନିବାରଣ ଆଇନ୍‌ର କାର୍ଯ୍ୟକାରିତା ଏବଂ ରାଜ୍ୟ ସରକାର ଆବଶ୍ୟକତା ମୁତାବକ ବାର୍ଷିକ ବିବରଣୀ ପ୍ରସ୍ତୁତ କରିବା ସହ ଉପସ୍ଥାପନ କରିବା ନିୟମ ରହିଛି। କିନ୍ତୁ ୯ ବର୍ଷ ପରେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ବିବରଣୀ ପ୍ରସ୍ତୁତ ହୋଇନି କି ସରକାରଙ୍କ ନିକଟରେ ଉପସ୍ଥାପିତ କରାଯାଇନି। ଗତ ୯ବର୍ଷ ମଧ୍ୟରେ ୨୦୧୬ ମେ ୩୧ ତାରିଖରେ କେବଳ ବୈଠକ ଅନୁଷ୍ଠିତ ହୋଇଥିଲା। ଶିଶୁ ଅଧିକାର କର୍ମୀ ଘାସିରାମ ପଣ୍ଡା ସୂଚନା ଅଧିକାର ଆଇନ୍‌ ଅନୁଯାୟୀ ମାଗିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ମିଳିଛି। ଶ୍ରୀ ପଣ୍ଡା ନିଜ ପ୍ରତିକ୍ରିୟାରେ କହିଛନ୍ତି, ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅନୁଯାୟୀ ମାଲକାନଗିରି, ନବରଙ୍ଗପୁର, ମୟୂରଭଂଜ, କୋରାପୁଟ, ରାୟଗଡ଼ା, ନୟାଗଡ଼, ଗଞ୍ଜାମ ଓ କେନ୍ଦୁଝରରେ ୧୮ ବର୍ଷରୁ କମ୍‌ ବୟସର ଝିଅଙ୍କ ବିବାହ ଅନୁପାତର ହାର ୨୬.୮ ପ୍ରତିଶତ। ସେହିପରି ବାଲେଶ୍ୱର, ଢେଙ୍କାନାଳ, ଗଜପତି, ବୌଦ୍ଧ, ଦେବଗଡ଼, ସୁବର୍ଣ୍ଣପୁର, କନ୍ଧମାଳ, ଅନଗୁଳ ଓ କଳାହାଣ୍ଡି ଜିଲ୍ଲାର ଏହି ହାର ୨୧.୩ ପ୍ରତିଶତରୁ ଅଧିକ ରହିଛି। ଅଧିକାଂଶ ଜିଲ୍ଲାରେ ବାଲ୍ୟ ବିବାହ ପ୍ରମୁଖ ସମସ୍ୟା ହୋଇଥିଲେ ହେଁ ବାଲ୍ୟ ବିବାହ ନିବାରଣ ନିୟମାବଳୀ କାର୍ଯ୍ୟକାରିତା ନେଇ ବିଭାଗୀୟ ଉଦାସୀନତା ଚିନ୍ତାର ବିଷୟ ହୋଇଛି। ଏନେଇ ବାରମ୍ବାର କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କିଛି ଲାଭ ହୋଇନି। ତେଣୁ ଏ ବାବଦରେ ଜାତୀୟ ମାନବାଧିକାର ଆୟୁକ୍ତଙ୍କ ନିକଟରେ ଅଭିଯୋଗ କରାଯାଇଛି। ବାର୍ଷିକ ବିବରଣୀ ପ୍ରସ୍ତୁତି ସହ ବୈଠକ ନିୟମିତ କରିବାକୁ ଅଧିକାରୀଙ୍କୁ ନିର୍ଦେଶ ଦେବା ପାଇଁ ଅନୁରୋଧ କରାଯାଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର