ନୟାଗଡ଼ ଜିଲ୍ଲାରେ ଅସୁରକ୍ଷିତ କନ୍ୟା ସନ୍ତାନ : ଥମିବାର ନା ଧରୁନାହିଁ ବାଲ୍ୟ ବିବାହ, ବାଲ୍ୟ ବିବାହ କରାଉଥିବା ବ୍ୟକ୍ତିଙ୍କ ବିରୋଧରେ ହେଉନାହିଁ ଆଇନଗତ କାର୍ଯ୍ୟାନୁଷ୍ଠାନ

ତିନିବର୍ଷରେ ୧୦୦ରୁ ଅଧିକ ବାଲ୍ୟବିବାହ କାଗଜପତ୍ରରେ ବନ୍ଦ

ନୟାଗଡ଼: ବାଲ୍ୟ ବିବାହ, କନ୍ୟା ଭ୍ରୂଣହତ୍ୟା, ଶିଶୁକନ୍ୟା ହାର କମ୍ ନେଇ ନୟାଗଡ଼ ଜିଲ୍ଲା ସାରା ଦେଶରେ ନିନ୍ଦିତ ହେଉଛି। କନ୍ୟା ସନ୍ତାନଙ୍କ ଉନ୍ନତି, ସୁରକ୍ଷା ତଥା ପରିବାରରେ କନ୍ୟା ସନ୍ତାନଙ୍କ ପ୍ରତି ଭଲ ପାଇବା ସୃଷ୍ଟି କରିବା ପାଇଁ ନୟାଗଡ଼ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା କାର୍ଯ୍ୟକାରୀ ହେଉଛି। କିନ୍ତୁ ଏସବୁ କାଗଜକଲମରେ ଚାଲିଥିବା ବେ‌ଳେ, ସାଧାରଣ ଲୋକଙ୍କ ନିକଟରେ ଏହ‌ାର ସୂଚନା ପହଞ୍ଚୁନାହିଁ। ଜିଲ୍ଲାରେ କନ୍ୟା ସନ୍ତାନ ଏବେ ବି ଅସୁରକ୍ଷିତ; ବାଲ୍ୟ ବିବାହ ଥମିବାର ନା ଧରୁନାହିଁ। ୨୦୨୦ ଜାନୁଆରି ତୃତୀୟ ସପ୍ତାହ ସୁଦ୍ଧା ୨ ବାଲ୍ୟ ବିବାହ ଚାଇଲ୍ଡ ଲାଇନ୍ ବନ୍ଦ କରିଛି। ତାହା ପୁଣି ନୟାଗଡ଼ ବ୍ଲକ୍‌ର ମାଛିପଡ଼ାରେ। କିନ୍ତୁ ବାଲ୍ୟ ବିବାହ ନିରୋଧ ଆଇନ ଅନୁଯାୟୀ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ସମସ୍ତ ବ୍ଲକ୍‌ର ସିଡିପିଓଙ୍କୁ ବାଲ୍ୟ ବିବାହ ନି‌ଷେଧ ଅଧିକା‌ରୀ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। କିନ୍ତୁ ଏମାନେ ସଂପୂର୍ଣ୍ଣ ନିଷ୍କ୍ରିୟ ପାଲଟିଛନ୍ତି। ବାଲ୍ୟ ବିବାହ ବେଳେ ଧରାପଡ଼ୁଥିବା ବର, ତଥା‌ ଏହା କରାଉଥିବା ପରିବାର ବିରୋଧରେ ନିୟମ ଅନୁଯାୟୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ କି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନାହିଁ। ଏପରିକି ସିଡିପିଓମାନେ ଘଟଣାସ୍ଥଳକୁ ଯାଉନାହାନ୍ତି। ଚାଇଲ୍ଡ ଲାଇନ୍‌ ଘଟଣାସ୍ଥଳକୁ ଯାଇ କେବଳ ବାଲ୍ୟ ବିବାହ ବନ୍ଦ କରି ଆସୁଛି। କାଗଜପତ୍ରରେ ସଂପୃକ୍ତ ବର ଓ କନ୍ୟା ପକ୍ଷ ବାଲ୍ୟ ବିବାହରୁ ଦୂରେଇ ରହିବାକୁ ଅଣ୍ଡରଟେକିଂ ଲେଖିଆଣୁଛି। ହେ‌ଲେ ଚାଇଲ୍ଡ ଲାଇନ୍‌ ଫେରିଯିବା ପରେ ପୁଣି ସେହି ବାଲ୍ୟବିବାହ ହେଉଥିବା ଜଣାଯାଇଛି, ଯାହାକି ଜିଲ୍ଲା ପ୍ରଶାସନର ସ୍ଥାଣୁତାକୁ ପଦାରେ ପକାଉଛି।

ଚଳିତବର୍ଷର ତିନିସପ୍ତାହ ମଧ୍ୟରେ ୨ ବାଲ୍ୟ ବିବାହ
ସିଡିପିଓ ନିଷ୍କ୍ରିୟ , ନେଉନାହାନ୍ତି ଆଇନଗତ କାର୍ଯ୍ୟାନୁଷ୍ଠାନ

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଜିଲ୍ଲାରେ ବାଲ୍ୟ ବିବାହ ସଂଖ୍ୟା ବଢ଼ିଚାଲିଛି। ୨୦୧୭ରେ ଜିଲ୍ଲାରେ ୪୦ଟି ବାଲ୍ୟ ବିବାହ ଚାଇଲ୍ଡ ଲାଇନ୍ କର୍ତ୍ତୃପକ୍ଷ ବନ୍ଦ କରାଇଥିବା ବେଳେ, ୨୦୧୮ରେ ୨୮ଟି ଓ ୨୦୧୯ରେ ଏହା ୪୬ରେ ପହଞ୍ଚିଛି। ଗତ ବର୍ଷ ଏହା ସମସ୍ତ ସୀମା ଟପିବା ଚିନ୍ତାର ବିଷୟ ପାଲଟିଛି। ଚାଇଲ୍ଡ ଲାଇନ୍ ବାଲ୍ୟ ବିବାହ ବନ୍ଦ କରିଛି ସତ, କିନ୍ତୁ ଏମାନଙ୍କ ବିରୋଧରେ ବାଲ୍ୟ ବିବାହ ନିରୋଧ ଆଇନ ଅନୁଯାୟୀ ସିଡିପିଓମାନେ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ଫଳରେ ଅଧିକାଂଶ ବିବାହ ବନ୍ଦ କରାଯିବା ପରେ ପରେ ପୁଣି ସେହି ବିବାହ ସଂପନ୍ନ ହୋଇଯାଇଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେର ସର୍ବଶେଷ ରିପୋର୍ଟ କହୁଛି, ନୟାଗଡ଼ରେ ୩୧ ପ୍ରତିଶତ ଝିଅଙ୍କୁ ୧୮ ବର୍ଷରୁ କମ୍‌ ବୟସରେ ବିବାହ କରିଦିଆଯାଉଛି। ରାଜ୍ୟସ୍ତରରେ ଏହା ୨୧ ପ୍ରତିଶତ ହୋଇଥିବା ବେଳେ ଜାତୀୟ ସ୍ତରରେ ୨୬ ପ୍ରତିଶତ ରହିଛି। ନୟାଗଡ଼ ବାଲ୍ୟ ବିବାହ ଜାତୀୟ ବାଲ୍ୟବିବାହ ହାରକୁ ମଧ୍ୟ ଅତିକ୍ରମ କରିଯାଇଛି, ଯାହା ଅତ୍ୟନ୍ତ ଚିନ୍ତା ଓ ଉଦ୍‌ବେଗର ବିଷୟ। କେବଳ ଏତିକି ନୁହେଁ, ୩ ପ୍ରତିଶତ ଯୁବକ ଜିଲ୍ଲାରେ ୨୧ ବର୍ଷ ପୂର୍ବରୁ ବିବାହ କରୁଛନ୍ତି। ୧୫-୧୯ ବର୍ଷ ମଧ୍ୟରେ ୧୫ ପ୍ରତିଶତ ମହିଳା ବିବାହ କିମ୍ବା ମାତୃତ୍ବ ଲାଭ କରୁଛନ୍ତି। କିନ୍ତୁ ନୟାଗଡ଼ ଜିଲ୍ଲା ପ୍ରଶାସନ କେବଳ ନାମକୁମାତ୍ର ବାଲ୍ୟ ବିବାହ ବି‌ରୋଧୀ ବୈଠକ, ‌ଶୋଭାଯାତ୍ରା କରି ଶୋଇପଡ଼ୁଛି। ତତ୍କାଳୀନ ଜିଲ୍ଲାପାଳ ଡ. ଏନ୍‌. ତିରୁମାଲା ନାୟକ ବାଲ୍ୟ ବିବାହ ରୋକିବାକୁ ଗତ ଅଗଷ୍ଟ ମାସରେ ଡିଆର୍‌ଡିଏରେ ବୈଠକ କରିଥିଲେ, ଏଥିରେ ବିଭିନ୍ନ ମନ୍ଦିରର ବ୍ରାହ୍ମଣଙ୍କଠାରୁ ଆରମ୍ଭ କରି ପଞ୍ଚାୟତ ପ୍ରତିନିଧି ସାମିଲ ହୋଇଥିଲେ। ବାଲ୍ୟ ବିବାହ କରାଉଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ସିଡିପିଓମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଯଥା ପୂର୍ବଂ ତଥା ପରଂ ସ୍ଥିତି। ବାଲ୍ୟ ବିବାହ ନେଇ କାର୍ଯ୍ୟାନୁଷ୍ଠାନ ନାହିଁ। ୨୦୧୯ ଅକ୍ଟୋବର ମାସରେ ଅନୁଷ୍ଠିତ ‘ଦିଶା’ ବୈଠକରେ ଦଶପଲ୍ଲା ବିଧାୟକ ମଧ୍ୟ ଜିଲ୍ଲାରେ ବାଲ୍ୟ ବିବାହ ସ୍ଥିତି ସଙ୍ଗୀନ ଅବସ୍ଥା‌ରେ ଥିବା‌ରୁ ଉଦ୍‌ବେଗ ପ୍ରକାଶ କରିଥିଲେ। ଜିଲ୍ଲାରେ ବାଲ୍ୟ ବିବାହ ଆଗକୁ ଭୟଙ୍କର ସ୍ଥିତି ନେବାର ଆଶଙ୍କା ରହିଛି। କିନ୍ତୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ସଭିଏଁ ବାଲ୍ୟ ବିବାହ ନେଇ ନିରବଦ୍ରଷ୍ଟା ସାଜିଛନ୍ତି।

ସମ୍ବନ୍ଧିତ ଖବର