ବନ୍ୟା ଦେଖିଲା ବେଳେ ସ୍ରୋତରେ ଭାସିଗଲା ନାବାଳକ

କପ୍ତିପଦା : ସୋନ ନଦୀରେ ଆସିଥିବା ବନ୍ୟା ଦେଖିବାକୁ ଶହ ଶହ ଲୋକ ମହିଷାସୁରୀ ଘାଟ ପୋଲ ଉପରେ ରୁଣ୍ଡ ହୋଇଥିଲେ। ଏତିକିବେଳେ ଗୋଡ଼ ଖସିଗଲା, ଆଉ ଜଣେ ୧୪ ବର୍ଷ ବାଳକ ଖସି ପଡ଼ିଥିଲା ନଦୀ ଗର୍ଭକୁ। ମୁହୂର୍ତ୍ତକ ମଧ୍ୟରେ ପ୍ରଖର ସ୍ରୋତରେ ଭାସି ଯାଇ ବାଳକଟି ନିଖୋଜ ହୋଇଯାଇଥିଲା। ଉଦଳା ଓ କପ୍ତିପଦାରୁ ଦମକଳ ବାହିନୀ ପହଞ୍ଚି ବାଳକଟିକୁ ଅନେକ ଖୋଜାଖୋଜି କରିଥିଲେ ହେଁ ଏଯାଏ ତା’ର ପତ୍ତା ମିଳିନାହିଁ। ଏଭଳି ଅଭାବନୀୟ ଘଟଣା ଆଜି ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ବାଳକ ଜଣକ ହେଉଛି ବଡ଼ଖଲାଡ଼ି ପଞ୍ଚାୟତ ମହିଷାସୁରୀ ଗ୍ରାମ ରଥ ମାଝୀଙ୍କ ପୁଅ ବାପୁନ୍‌ ମାଝୀ। ରଥ ମାଝୀଙ୍କର ୩ ପୁଅ ଗୋଟିଏ ଝିଅ ଥିବାବେଳେ ବଡ଼ପୁଅ ବାପୁନ୍‌ ଜଡ଼ିଦା ହାଇସ୍କୁଲ୍‌ରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲା। ଆଜି ସ୍କୁଲ ଛୁଟିଥିବାରୁ ସେ ଅନ୍ୟ ସାଙ୍ଗମାନଙ୍କ ସହ ବନ୍ୟା ଦେଖିବାକୁ ମହିଷାସୁରୀ ଘାଟ ନିକଟକୁ ଚାଲି ଯାଇଥିଲା। ଲଗାଣ ବର୍ଷା ଯୋଗୁଁ ନଦୀ ଫୁଲିବା ସହ ପୋଲ ବୁଡ଼ିବା ପାଇଁ ୧ଫୁଟ୍‌ ବାକିଥିଲା। ପୋଲରେ ବାଡ଼ ନ ଥିଲା। ବାପୁନ ଖୁବ୍‌ ପାଖକୁ ଯାଇ ନଦୀର ପ୍ରଖର ସ୍ରୋତକୁ ଦେଖୁଥିଲାବେଳେ ଅସାବଧାନତା ବଶତଃ ଖସି ପଡ଼ିଥିଲା। କପ୍ତିପଦାଠାରୁ ଔପଦା ଯାଇଥିବା ରାସ୍ତାରେ ଥିବା ସୋନ ନଦୀ ଉପରେ ନିର୍ମିତ ଏହି ପୋଲ ଉପରେ ପ୍ରତ୍ୟେକ ଦିନ ଶହ ଶହ ଲୋକଙ୍କ ଗମନାଗମନ କରିଥାନ୍ତି। କିନ୍ତୁ ସେହି ପୋଲର ଉଭୟ ପାର୍ଶ୍ୱରେ ବାଡ଼ ନାହିଁ। ଗତ ବର୍ଷ ମଧ୍ୟ ଏହି ପୋଲ ନିକଟରେ ଜଣେ ବ୍ୟକ୍ତି ଭାସି ଯାଇଥିଲେ, କିଛି ଦିନ ପରେ ତାଙ୍କର ମୃତଦେହ ମିଳିଥିଲା । କିଛି ଦିନ ତଳେ ଏକ ହଳ କରିବା ଗାଡି ପୋଲ ତଳକୁ ଖସି ପଡ଼ିଥିଲା।

ସମ୍ବନ୍ଧିତ ଖବର