୩ ବର୍ଷର ଶିଶୁର ଶ୍ବାସନଳୀରୁ ବାହାରିଲା ପେଁକାଳି, କାନ୍ଦିବା ବେଳେ ବାଜୁଥିଲା

କଟକ : ଖେଳୁଥିବାବେଳେ ଶ୍ବାସନଳୀରେ ପଶିଗଲା ପେଁକାଳି। ପିଲା ମଧ୍ୟ ଭୁଲି ଯାଇଥିଲା ପେଁକାଳି ପଶିଥିବା ସଂପର୍କରେ। ହଠାତ୍‌ ଅସୁସ୍ଥ ହେବାପରେ ୩ବର୍ଷର ପୁଅକୁ କଟକ ବଡ଼ମେଡିକାଲକୁ ଆଣିଥିଲେ ପରିବାର। ତିନିଦିନ ଧରି ଶିଶୁ ରୋଗ ବିଭାଗରେ ଭର୍ତ୍ତି କରି ଚାଲିଲା ଶିଶୁର ଚିକିତ୍ସା। ସିଟି ସ୍କାନ ଓ ଏକ୍ସରେ’ ଇତ୍ୟାଦି କରାଗଲା। କିନ୍ତୁ ରିପୋର୍ଟରେ କିଛି ଜଣାପଡିଲାନି। ହେଲେ ଶିଶୁର କାନ୍ଦିବାବେଳେ ପେଁକାଳି ଶଦ୍ଦ ଶୁଣାଯାଉଥିବାରୁ ଏହାକୁ ସନ୍ଦେହ କରି ଇଏନ୍‌ଟି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଚିନ୍ମୟ ସୁନ୍ଦରରାୟ। ଶେଷରେ ଆଜି ଅ‌‌େସ୍ତ୍ରାପଚାର କରାଯାଇ ଶିଶୁର ଶ୍ବାସନଳୀରୁ ପେଁକାଳିକୁ ବାହାର କରିଥିଲେ।

ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲାର ଗଣେଶ୍ବର ମୁଣ୍ଡାଙ୍କ ତିନି ବର୍ଷର ପୁଅ ପୀୟୂଷ ଖେଳୁଥିବାବେଳେ ଶ୍ବାସନଳୀରେ ପଶି ଯାଇଥିଲା ପେଁକାଳି। କିନ୍ତୁ ଏ ସଂପର୍କରେ ପିଲାଟି ପରିବାର ଲୋକଙ୍କୁ ଜଣାଇନଥିଲା। ହେଲେ ହଠାତ୍‌ ଅସୁସ୍ଥ ହୋଇପଡିବାରୁ ପ୍ରଥମେ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ଓ ପରେ ଅବସ୍ଥା ଗୁରୁତର ହେବାରୁ ଏସ୍‌ସିବିକୁ ଆଣିଥିଲେ ପରିବାର। ରୋଗ ସଂପର୍କରେ ଓ ପରୀକ୍ଷା ରିପୋର୍ଟରୁ କିଛି ଜଣାପଡୁନଥିବାରୁ ଡାକ୍ତରମାନେ ପିଲାର ଚିକିତ୍ସ‌ା ନେଇ ଚିନ୍ତାରେ ପଡିଯାଇଥିଲେ। ତେବେ ଶିଶୁଟି କାନ୍ଦିବା ସମୟରେ କେବଳ ଶୁଣାଯାଉଥିଲା ପେଁକାଳି ଶଦ୍ଦ। ସନ୍ଦେହରେ ଶିଶୁ ରୋଗ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ବୀପ୍‌ସା ସିଂ ଇଏନ୍‌ଟି ବିଭାଗ ସହ ପିଲାଟିର ଚିକିତ୍ସା ସଂପର୍କରେ ଆଲୋଚନା କରିଥିଲେ। ପିଲାକୁ ଇଏନ୍‌ଟି ବିଭାଗକୁ ରେଫର କରିଥିଲେ। ଇଏନ୍‌ଟି ବିଭାଗ ପକ୍ଷରୁ ପିଲାର ଅ‌‌େସ୍ତ୍ରାପଚାର ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ନିଶ୍ଚେତକ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଖଗେଶ୍ବର ରାଉତ୍‌ ଓ ଇଏନ୍‌ଟି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଚିନ୍ମୟ ସୁନ୍ଦରରାୟ ପ୍ରମୁଖଙ୍କୁ ନେଇ ଗଠିତ ଟିମ୍‌ ପିଲାର ଆଜି ଅ‌‌େସ୍ତ୍ରାପଚାର କରିବା ପରେ ଶ୍ବାସନଳୀରୁ ପେକାଁଳି ବାହାର କରିଥିଲେ। ଅପରେସନ ପରେ ପିଲାଟିକୁ ପେଡିଆଟ୍ରିକ ଆଇସିୟୁରେ ଭର୍ତ୍ତି କରାଯାଇଛି। ତେବେ ପିଲାଟି ଏବେ ବିପଦମୁକ୍ତ ରହିଥିବା ଡାକ୍ତର ସୁନ୍ଦରରାୟ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର