ପାଇପ୍‌ରେ‌ ଫସିଲା ଶିଶୁ : ଘଣ୍ଟାଏ କସରତ ପରେ ଅକ୍ଷତ ଅବସ୍ଥାରେ ଉଦ୍ଧାର

ବ୍ୟାସନଗର : ସକାଳ ପ୍ରାୟ ୭ଟା। ତିନି ନମ୍ବର ପ୍ଲାଟଫର୍ମରେ ଡିଏମୟୁ ଟ୍ରେନକୁ ଅପେକ୍ଷା କରିଥିଲେ ଏକ ପରିବାର। ବାପାମା’ଙ୍କ ସହତ ଥିଲେ ସେମାନଙ୍କର ଦୁଇ ଛୋଟଛୋଟ ପୁଅଝିଅ। ପୁଅର ବୟସ ଦେଢ଼ବର୍ଷ ହେବ। କୁନି ପିଲାଟି ଷ୍ଟେସନରେ ଖେଳୁଥିଲା। ପ୍ଲାଟଫର୍ମର ସେଡ ଖୁଣ୍ଟ ପାଖରେ ଏପଟସେପଟ ହେଉଥିଲା। ଖେଳୁ ଖେଳୁ କେତେବେଳେ ପ୍ଲାଟଫର୍ମ ସେଡ ଖୁଣ୍ଟ ମଝିରେ ବେକ ପୂରାଇ ଦେଇଥିଲା। ଆଉ ବାହାରି ନଥିଲା। ପିଲାର କାନ୍ଦ ଶୁଣି ବାପାମା’ ଦେଖିବା ବେଳକୁ ଅଘଟଣ ଘଟିସାରିଥିଲା। ଦୀର୍ଘ ଦେଢ଼ଘଣ୍ଟାର କସରତ ପରେ ଜିଆରପିର ଜଣେ ପୁଲିସ କର୍ମଚାରୀ ଶିଶୁଟିକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ।

କେନ୍ଦୁଝର ଜିଲ୍ଲା ସାଇଁକୂଳ ଫାଣ୍ଡି ଅନ୍ତର୍ଗତ ବାତୋ ଗ୍ରାମର ଅରୁଣ ଦଳେଇ ତାଙ୍କ ପତ୍ନୀ, ୫ ବର୍ଷର ଝିଅ ଓ ଦେଢ଼ବର୍ଷର ପୁଅକୁ ଧରି କୌଣସି କାମରେ କୁମ୍ଭିରା ଗାଡ଼ିଆ ଯାଉଥିଲେ। ସେମାନେ କେନ୍ଦୁଝରରୁ ଆସି ବ୍ୟାସନଗର ରେଳଷ୍ଟେସନରେ ଅପେକ୍ଷା କରିଥିଲେ। ଡିଏମୟୁ ୩ ନମ୍ବର ପ୍ଲାଟଫର୍ମରେ ଲାଗିବ ବୋଲି ଘୋଷଣା ହୋଇଥିଲା। ସେମାନେ ତିନି ନମ୍ବର ପ୍ଲାଟଫର୍ମରେ ଅପେକ୍ଷା କରିଥିଲେ। ଦେଢ଼ବର୍ଷର ଶିଶୁପୁତ୍ର ସ୍ମିଥ୍ ଖେଳୁ ଖେଳୁ ‌ସେଡ ପାଇପ ଭିତରେ ମୁଣ୍ଡ ପୂରାଇ ଦେଇଥିଲା। ଯାହାକୁ ନେଇ ଷ୍ଟେସନ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ଲାଟଫର୍ମରେ ବିପଦସଂକୁଳ ଭାବେ ଛାଡ଼ି ଦିଆଯାଇଥିବା ଖୁଣ୍ଟକୁ ନେଇ ଲୋକମାନେ ହୋହଲ୍ଲା କରିଥିଲେ। ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ମାତ୍ର ଦମକଳ ବାହିନୀ ଦୀର୍ଘ ଘଣ୍ଟାଏ ପରେ ପହଞ୍ଚିଲା ବେଳକୁ ଜିଆରପି ପୁଲିସ କର୍ମଚାରୀ ତପନ କୁମାର ବିଶ୍ବାଳ ଉପସ୍ଥିତ ବୃଦ୍ଧି ଖଟାଇ ସାବୁନ ଫେଣ ବ୍ୟବହାର କରି ପିଲାଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ଦମକଳ ବାହିନୀ ତାକୁ ଯାଜପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାକୁ ତାଙ୍କର ବାପାମା’ଙ୍କ ଜିମା ଦିଆଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଲିସ ମୁତୟନ କରାଯାଇଥିଲା।

ସମ୍ବନ୍ଧିତ ଖବର