ରାଜଧାନୀ ଉପକଣ୍ଠରେ ଥିବା ଉତ୍ତରା ଶବର ସାହିରେ ଶିଶୁଙ୍କୁ ମିଳୁନି ଅଙ୍ଗନବାଡ଼ି ସେବା!

ପିପିଲି : ଶିଶୁ ଓ ମାତୃ ମୃତ୍ୟୁ ହାର ରୋକିବା ସହ ଗ୍ରାମାଞ୍ଚଳରେ ଅପପୁଷ୍ଟି ଦୂର କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସମନ୍ବିତ ଶିଶୁବିକାଶ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପୁରୀ ଜିଲ୍ଲାର ପିପିଲି ବ୍ଲକ୍‌ରେ ଏହି ଯୋଜନା ଏବେ ବାଟବଣା ହୋଇପଡ଼ିଛି। କେଉଁ ଆଭ୍ୟନ୍ତରୀଣ ଅଞ୍ଚଳ ନୁହେଁ, ବରଂ ରାଜଧାନୀ ଉପକଣ୍ଠରେ ଥିବା ଉତ୍ତରା ଶବର ସାହିରେ ଶିଶୁମାନଙ୍କ କ୍ଷେତ୍ରରେ ଏଭଳି ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି। ସେଠାରେ ସରକାରୀ ସୁବିଧାରୁ ବଞ୍ଚିତ ହୋଇ ୨୫ ଜଣ ଶିଶୁ ଏବେ ଅପପୁଷ୍ଟିର ଶିକାର। ନିକଟରେ ଅଙ୍ଗନବାଡ଼ି କେନ୍ଦ୍ରଟିଏ ଥିଲେ ବି ଏହି ଶିଶୁମା‌ନେ ସେଠାକୁ ଯାଇ ପାରୁ ନାହାନ୍ତି। ଫଳରେ ଶବରସାହିର କୋମଳମତି ଶିଶୁମାନଙ୍କୁ ନା ମିଳୁଛି ଏଠି ସୁଷମ ଖାଦ୍ୟ ନା ମିଳୁଛି ଉତ୍ତମ ସ୍ବାସ୍ଥ୍ୟସେବା।

ପୁରୀ ଜିଲ୍ଲା ପିପିଲି ବ୍ଲକ୍‌ ପୁବାଶାସନ ପଞ୍ଚାୟତରେ ଭାର୍ଗବୀ ନଦୀ କୂଳରେ ପ୍ରାୟ ୧୪ଟି ଶବର ପରିବାର ଦୀର୍ଘ ୩୫ ବର୍ଷ ହେବ ବସବାସ କରୁଛନ୍ତି। କିନ୍ତୁ ଏମାନଙ୍କ ପାଇଁ ସରକାରୀ ସୁବିଧା ଏବେବି ଅପହଞ୍ଚ। ଦିନ ମଜୁରି ଲାଗି ଏମାନେ ପରିବାର ପୋଷନ୍ତି। ନିଜର ଜାଗା ନଥିବାରୁ ଦୀର୍ଘ ବର୍ଷ ଧରି ଏମାନେ ଜରିପାଲ ତଳେ ଜୀବନ କାଟୁଛନ୍ତି। ଭାର୍ଗବୀରେ ବନ୍ୟା ଆସିଲେ ଏମାନଙ୍କ ଦୁଃଖ ବଳିଯାଏ। ଉକ୍ତ ଶବର ସାହିର ମାତ୍ର ୬ଜଣ ଶିଶୁ ସ୍ଥାନୀୟ ସ୍କୁଲ୍‌ରେ ପାଠ ପଢୁଛନ୍ତି। ଏମାନଙ୍କର ଘରବାଡ଼ି ପଟ୍ଟା କିମ୍ବା ଆଧାର କାର୍ଡ଼ ନାହିଁ। ତେଣୁ ସ୍ଥାନୀୟ ଅଙ୍ଗନବାଡ଼ି କେନ୍ଦ୍ରର ଦିଦି ଶିଶୁମାନଙ୍କୁ କେନ୍ଦ୍ରକୁ ଆସିବାକୁ ମନା କରିଛନ୍ତି ବୋଲି ସାହିର ଗଣେଶ ଶବର ଅଭିଯୋଗ କରିଛନ୍ତି।

୩ ବର୍ଷରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରକୁ ନେଇ ପ୍ରତିଦିନ ପାଠ ପଢାଇବା ସହ ସେମାନଙ୍କୁ ସପ୍ତାହରେ ୨ଦିନ ଭାତ ଡାଲମା, ଗୋଟିଏ ଦିନ ସୋୟାବିନ ତରକାରୀ, ତିନି ଦିନ ଅଣ୍ତା ତରକାରୀ ଖାଇବାକୁ ଦେବାର ବ୍ୟବସ୍ଥା ରହିଛି। ତେବେ ପରିତାପର ବିଷୟ ସରକାରଙ୍କର ଏହି ଯୋଜନା ଏମାନଙ୍କ ନିକଟରେ ପହଞ୍ଚି ପାରୁନି। ଦୀର୍ଘ ୩୫ ବର୍ଷ ମଧ୍ୟରେ ଏହି ଶବର ସାହିକୁ କୌଣସି ସରକାରୀ ଅଧିକାରୀଙ୍କ ପାଦ ପଡ଼ିନି। ନିର୍ବାଚନ ଆସିଲେ ସେଠାକୁ ନେତାମାନେ ଆସି କେବଳ ପ୍ରତିଶ୍ରୁତି ଦେଇ ଯାଆନ୍ତି ବୋଲି କାଳିଆ ଶବର କ୍ଷୋଭର ସହ କହିଛନ୍ତି। ବାରମ୍ବାର ନିବେଦନ କରିଥିଲେ ମଧ୍ୟ ସେମାନଙ୍କୁ ଅଦ୍ୟାବଧି ଜାତିଗତ ପ୍ରମାଣପତ୍ର ମିଳୁନି କି ଥଇଥାନ କରାଯାଉନି।

ସେମାନଙ୍କର ମୌଳିକ ଅଧିକାରକୁ କ୍ଷୂର୍ଣ୍ଣ କରାଯାଉଥିବା ଅଭିଯୋଗ ହୋଇଛି। ସେମାନେ ଚାନ୍ଦା କରି ନିଜ ପ୍ରଚେଷ୍ଟାରେ ଏକ ନଳକୂପ ଖୋଳି ପାଣି ବ୍ୟବହାର କରୁଛନ୍ତି। ଏପରିକି ସାହିର ଅନେକ ଶିଶୁ ଶ୍ରମିକ ଭାବରେ କାମ କରୁଛନ୍ତି। ଏ ସଂପର୍କରେ ପୁରୀ ଜିଲ୍ଲା ଶିଶୁ କଲ୍ୟାଣ ଅଧ୍ୟକ୍ଷ ମହାବୀର ରୁଦ୍ର ନାରାୟଣ ସାହୁଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଶ୍ରୀ ସାହୁ ଶବର ସାହି ପରିଦର୍ଶନ କରିବା ପରେ ଜିଲ୍ଲା ଶିଶୁ ସୁରକ୍ଷା କମିସନଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରିଥିବା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର