ବିର୍ସାମୁଣ୍ଡା ବିଦ୍ୟାପୀଠର ନିଆରା ଉଦ୍ୟମ : ପିଲାଙ୍କ ସହ ପାଠ ପଢ଼ୁଛନ୍ତି ମା’

ରାଉରକେଲା : ସ୍ମାର୍ଟ ସିଟି ରାଉରକେଲା ଉପକଣ୍ଠ ଜଗଦା ଗୋପାଲଟୋଲିରେ ପ୍ରତିଷ୍ଠିତ ବିର୍ସାମୁଣ୍ଡା ବିଦ୍ୟାପୀଠର ନିଆରା ଉଦ୍ୟମ। ପିଲାଙ୍କ ସହ ପାଠ ପଢ଼ୁଛନ୍ତି ସେମାନଙ୍କ ମା’। ସକାଳେ ପିଲାମାନେ ପାଠ ପଢ଼ୁଥିଲାବେଳେ ସଂଧ୍ୟାରେ ସେମାନଙ୍କ ଅପାଠୁଆ ମା’ଙ୍କୁ ପୌଢ଼ ଶିକ୍ଷା ଜରିଆରେ ସ୍ୱାକ୍ଷର କରାଯାଉଛି। ଆଦିବାସୀ ପିଲା ଓ ସେମାନଙ୍କ ମା’ଙ୍କୁ ମାଗଣା ଶିକ୍ଷାଦାନ କରୁଛନ୍ତି ସ୍ଥାନୀୟ ଅଞ୍ଚଳର ୭ଜଣ ଶିକ୍ଷିତ ମହିଳା ଓ ଯୁବକ।

ସ୍ଥାନୀୟ ଅଞ୍ଚଳର କିଛି ବୁଦ୍ଧିଜୀବୀଙ୍କ ଦ୍ୱାରା ଗତ ୨୦୦୧ରେ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବିଦ୍ୟାଳୟ ଆରମ୍ଭରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଥିଲା। ବର୍ତ୍ତମାନ ଶ୍ରେଣୀ ସଂଖ୍ୟା ବୃଦ୍ଧି ପାଇ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ବିଦ୍ୟାଳୟକୁ ଆଜି ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଟଙ୍କାଟିଏ ସରକାରୀ ସହାୟତା ମିଳି ନାହିଁ। ୨୦୦୫-୨୦୦୬ ଆର୍ଥିକ ବର୍ଷରେ ଡାମିଟ୍‌ସର ନିର୍ଦ୍ଦେଶକ ଇଂ. ଯତୀନ୍ଦ୍ର ନାୟକ, ଜଗଦା ସାଂସ୍କୃତିକ ପରିଷଦର ସଞ୍ଜିବ ମହାନ୍ତିଙ୍କ ସହଯୋଗ ବିଦ୍ୟାଳୟକୁ ଆଗକୁ ବଢ଼ିବାକୁ ବାଟ ଦେଖାଇଥିଲା। ଆଦିବାସୀ ପିଲାଙ୍କୁ ସମାଜରେ ମୁଖ୍ୟ ସୋତ୍ରରେ ସାମିଲ କରିବା ଏବଂ ସେମାନଙ୍କ ମା’ ଜରିଆରେ ପିଲାମାନଙ୍କୁ ସ୍କୁଲ ମୁହାଁ କରିବାକୁ ବିଦ୍ୟାଳୟ ପ୍ରତିଷ୍ଠାର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ସମ୍ପାଦକ ବିପଦଭଞ୍ଜନ ପଣ୍ଡା।

ସମ୍ବନ୍ଧିତ ଖବର