ଚିଲିକା ଓ ଭିତରକନିକା ସୁରକ୍ଷା ପ୍ରସଂଗ: ଚାରି ଜିଲ୍ଲାପାଳଙ୍କ ସତ୍ୟପାଠ ଦାଖଲ

କଟକ : ଚିଲିକା ହ୍ରଦ ଓ ଭିତରକନିକା ଆର୍ଦ୍ରଭୂମି ସୁରକ୍ଷା ପ୍ରସଙ୍ଗକୁ ନେଇ ରୁଜୁ ଜନସ୍ୱାର୍ଥ ମାମଲାରେ ଚାରି ଜିଲ୍ଲାର ଜିଲ୍ଲାପାଳ ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି। ଚିଲିକା ଭଳି ଅଞ୍ଚଳରେ ପ୍ରାୟ ୧୧ ହଜାର ଏକରରୁ ଅଧିକ ଅଞ୍ଚଳ ଜବରଦଖଲ କରାଯାଇଛି ଓ ଅନେକ ସ୍ଥାନରେ ବେଆଇନ ଭାବେ ଚିଙ୍ଗୁଡି ଘେରି ରହିଛି ବୋଲି ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ କେନ୍ଦାପଡା ଜିଲ୍ଲାପାଳ ଚିଲିକା ଓ ଭିତରକନିକାର ସ୍ଥିତି ସଂପର୍କରେ ସତ୍ୟପାଠ ଦାଖଲ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଜନସ୍ୱାର୍ଥ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୯ ତାରିଖରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଆମିକସ୍‌ କ୍ୟୁରି ମୋହିତ ଅଗ୍ରଓ୍ଵାଲ ଓ ପକ୍ଷଭୁକ୍ତ ମତ୍ସ୍ୟଜୀବୀ ସଂଘ ଗୁଡିକ ପକ୍ଷରୁ ସତ୍ୟପାଠ ମାଧ୍ୟମରେ ଏହି ପ୍ରସଂଗରେ ପ୍ରସ୍ତାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଚିଲିକା ଓ ଭିତରକନିକାରେ ଜବରଦଖଲ ପ୍ରସଂଗ ଉପରେ ଗୁରୁତ୍ୱାରୋପ କରାଯାଉଛି। ମାମଲାର ବିବରଣୀରୁ ପ୍ରକାଶ ଯେ, ଚିଲିକା ଓ ଭିତରକନିକା ଆର୍ଦ୍ରଭୂମି(େଓ୍ଵଟ୍‌ଲ୍ୟାଣ୍ଡ୍‌) ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହାଇକୋର୍ଟ ନିଜଆଡୁ ଏକ ମାମଲା ରୁଜୁ କରିଥିଲେ। ହାଇକୋର୍ଟର ରେଜିଷ୍ଟ୍ରାର(ଜୁଡିସିଆଲ)ଙ୍କ ପକ୍ଷରୁ ରୁଜୁ ଏହି ମାମଲାରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗ, ରାଜ୍ୟ ମୁଖ୍ୟ ଶାସନ ସଚିବ, ସେଣ୍ଟ୍ରାଲ େଓ୍ଵଟଲ୍ୟାଣ୍ଡ୍‌ ରେଗୁଲେଟୋରି ଅଥରିଟି, ଓଡ଼ିଶା େଓ୍ଵଟଲ୍ୟାଣ୍ଡ ଡେଭେଲପମେଣ୍ଟ ଅଥରିଟି, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ଓଡ଼ିଶା କୋଷ୍ଟାଲ ଜୋନ୍‌ ମ୍ୟାନେଜମେଣ୍ଟ ଅଥରିଟି, ଖୋର୍ଦ୍ଧା ବାଲୁଗାଁସ୍ଥିତ େଓ୍ଵଟଲ୍ୟାଣ୍ଡ୍‌ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର, ଭୁବନେଶ୍ୱରସ୍ଥିତ ଷ୍ଟେଟ ବୋର୍ଡ ଫର୍‌ ଓ୍ଵାଇଲ୍ଡ ଲାଇଫ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ କେନ୍ଦାପଡା ଜିଲ୍ଲାପାଳ ପକ୍ଷଭୁକ୍ତ ହୋଇଛନ୍ତି।

ସମ୍ବନ୍ଧିତ ଖବର