ଡଙ୍ଗାର ବି ଦୋଷ: ପରିବହନ ମନ୍ତ୍ରୀ, ଡଙ୍ଗାରେ ଜିପିଏସ୍‌ ଲାଗିବ, ସର୍ଭେୟର ରହିବେ, ଲାଇଫ ଜ୍ୟାକେଟ୍‌ ବ୍ୟବହାର ବାଧ୍ୟତାମୂଳକ

ଚିଲିକା ଡଙ୍ଗାବୁଡ଼ି ଘଟଣା

ଭୁବନେଶ୍ୱର : ଚିଲିକା ଡଙ୍ଗାବୁଡ଼ି ପରେ ଭବିଷ୍ୟତରେ ଯେପରି ଏଭଳି ଦୁର୍ଘଟଣା ନ ଘଟେ, ସେ ନେଇ ରାଜ୍ୟ ସରକାର ପ୍ରତିକାର ପଦକ୍ଷେପ ନେବାକୁ ଯାଉଛନ୍ତିି। ଏଣିକି ପ୍ରତି ଡଙ୍ଗାରେ ଜିପିଏସ୍‌ ଲଗାଯିବ। ପ୍ରତି ଡଙ୍ଗାରେ ଲାଇଫ ଜ୍ୟାକେଟ୍‌, ଲାଇଫବୟ୍‌ ରହିବ। ସେଗୁଡ଼ିକ ବ୍ୟବହାରକୁ ବାଧ୍ୟତାମୂଳକ କରାଯିବ। ଡଙ୍ଗାର ଗତିବିଧି ସହିତ ଲାଇଫ ଜ୍ୟାକେଟ୍‌ ବ୍ୟବହାର ଉପରେ ନଜର ରଖିବା ପାଇଁ ସର୍ଭେୟର ନିୟୋଜିତ କରାଯିବ।

ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁ ଏହା କହିଛନ୍ତି। ଗତକାଲି ଡଙ୍ଗାବୁଡ଼ି ଦୁର୍ଘଟଣାରେ ତଦନ୍ତକାରୀ ଅନ୍ତର୍ଦେଶୀୟ ଜଳପଥ ନିର୍ଦେଶାଳୟ ନିର୍ଦେଶକ ତାଙ୍କ ରିପୋର୍ଟରେ କେବଳ ପବନକୁ ଦୋଷ ଦେଇଥିଲେ। ବିଭାଗୀୟ ମନ୍ତ୍ରୀ କହିଲେ, କାଳବୈଶାଖୀ ହେବାରୁ ଭୀଷଣ ପବନ ବହୁଥିଲା। ଫଳରେ ଡଙ୍ଗା ନିୟନ୍ତ୍ରଣ ହରାଇ ବୁଡ଼ିଯାଇଥିଲା। ତେବେ ସେ ଆଉ ପାଦେ ଆଗେଇ ଯାଇ କହିଲେ, ପବନ କାରଣ ଛଡ଼ା ସେହି ଡଙ୍ଗା ଦୁର୍ବଳ ଥିଲା। ସେଥିରୁ ପାଣି ଗଳୁଥିଲା। ଡଙ୍ଗାର ମଧ୍ୟ ନବୀକରଣ ହୋଇନଥିଲା। ଏଣୁ, ଦୁର୍ଘଟଣା ପାଇଁ ଡଙ୍ଗା ମାଲିକଙ୍କୁ ଦାୟୀ କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ। ଅପରାହ୍ଣ ୫ଟାରେ ଏହି ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ବୈଠକ ପରେ ଶ୍ରୀ ପାଢ଼ୀ କହିଲେ, ନୌକାରେ ସୁରକ୍ଷିତ ଯାତ୍ରା ପାଇଁ ରାଜ୍ୟ ସରକାର ୧ କୋଟି ଟଙ୍କା ବ୍ୟୟରେ ଲାଇଫ ଜ୍ୟାକେଟ୍‌ ଓ ଲାଇଫବୟ୍‌ କିଣି ଡଙ୍ଗା ମାଲିକମାନଙ୍କୁ ଦେଉଛନ୍ତି। ଏହି ଯୋଜନାରେ ୯୫ ପ୍ରତିଶତ ଅର୍ଥ ସରକାର ବହନ କରୁଥିବା ବେଳେ ଅବଶିଷ୍ଟ ଅର୍ଥ ଡଙ୍ଗା ମାଲିକ ବହନ କରିବେ। ଖାଲି ଲାଇଫ ଜ୍ୟାକେଟ୍‌ ଦେଲେ ହେବ ନାହିଁ, ତା’ର ବ୍ୟବହାର ଉପରେ କଡ଼ା ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଆଯାଇଛି। ଲାଇଫ ଜ୍ୟାକେଟ୍‌ ବ୍ୟବହାର ବାଧ୍ୟତାମୂଳକ। ସେହିପରି ପ୍ରତିବର୍ଷ ଡଙ୍ଗାଗୁଡ଼ିକର ପଞ୍ଜୀକରଣ କରିବାକୁ ପଦକ୍ଷେପ ନିଆଯିବ। ଏ ନେଇ ଉଭୟ ଖୋର୍ଧା ଓ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ତେବେ ଏଭଳି କାର୍ଯ୍ୟ ନିମନ୍ତେ ବାଣିଜ୍ୟ ଓ ପରିବହନ ବିଭାଗରେ କର୍ମଚାରୀ ଅଭାବ ଥିବାରୁ ଏହାକୁ ଦୂର କରିବାକୁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ସଚିବ କହିଥିଲେ।

ବ୍ରହ୍ମଗିରି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା କହିଲେ, ଡଙ୍ଗାରେ ଯାତ୍ରୀ ନିରାପତ୍ତାକୁ ସୁନିଶ୍ଚିତ କରିବା ସହିତ ନୌକା ଯୋଗେ ପର୍ଯ୍ୟଟନ ଓ ଯାତ୍ରୀସେବାକୁ ସୁରକ୍ଷିତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ଚିଲିକାରେ ନୌକାଯାତ୍ରା ଉପରେ ନଜର ରଖିବାକୁ ନିର୍ଦେଶ ଦିଆଯାଇଥିବା ସେ କହିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ପ୍ରମୁଖ ସଚିବ ଜି. ଶ୍ରୀନିବାସ, ସ୍ୱତନ୍ତ୍ର ସଚିବ ମନୋଜ ମିଶ୍ର, ଚିଲିକା ଉନ୍ନୟନ କର୍ତୃପକ୍ଷର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦ, ଖୋର୍ଧା ଜିଲ୍ଲାପାଳ, ଭିଡିଓ କନ୍‌ଫରେନ୍ସିଂ ଯୋଗେ ପୁରୀ ଜିଲ୍ଲାପାଳ ବୈଠକରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର