ବୁଡ଼ି ମରିବାକୁ ଛାଡ଼ିଦେଇଛନ୍ତି! : ୧୦ ହଜାର ଲୋକଙ୍କ ଜୀବନ ସହ ଖେଳ, ବିନା ଲାଇସେନ୍‌ସରେ ଚାଲିଛି ହଜାର ହଜାର ଡଙ୍ଗା ଓ ବୋଟ୍‌

ବୀମା ନାହିଁ କି ଲାଇଫ୍‌ ଜ୍ୟାକେଟ୍‌, ପ୍ରଶିକ୍ଷଣ ସଂସ୍ଥା ଗୋଟିଏ, ବର୍ଷକୁ ପାସ୍‌ କରୁଛନ୍ତି ୩୦

ଭୁବନେଶ୍ୱର : ଗତକାଲି ଚିଲିକାରେ ଡଙ୍ଗା ବୁଡି ୬ଜଣଙ୍କ ପ୍ରାଣହାନି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। କେଉଁ ପରିସ୍ଥିତିରେ ଡଙ୍ଗା ଓଲଟିଲା ସେ ନେଇ ରାଜ୍ୟ ସରକାର ଏଯାଏ ତନାଘନା କରିନାହାନ୍ତି। ଜିଲ୍ଲାପାଳ ମଧ୍ୟ ଏହି ଘଟଣାର ତଦନ୍ତ ଲାଗି ଆଗ୍ରହ ଦେଖାଇ ନାହାନ୍ତି। ସେପଟେ ପରିବହନ ମନ୍ତ୍ରୀ ଡାକ୍ତର ନୃସିଂହ ସାହୁ କହିଛନ୍ତି, ବିଭାଗ ତର୍ଜମା କରି ଆବଶ୍ୟକ ପଦକ୍ଷେପ ନେବ। ମୋଟାମୋଟି କଥା ହେଲା, ଛୁଟି କାଟୁଛନ୍ତି ସରକାର। ଏଣୁ ବିଭାଗ ଏତେ ବଡ଼ ଘଟଣାରେ ଯେଭଳି ତତ୍ପରତା ଦେଖାଇବା କଥା ତାହା ଏଯାଏ ଦେଖିବାକୁ ମିଳିନାହିଁ। ଦେଢବର୍ଷ ତଳେ ଚିଲିକାରେ ଏକ ବଡ଼ ଦୁର୍ଘଟଣା ଘଟିଥିଲା।

ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ସାବୁଳିଆରେ ଘଟିଥିବା ଡଙ୍ଗା ବୁଡ଼ି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିଥିଲେ ସରକାର। ଅନ୍ତର୍ଦେଶୀୟ ଦଳ ପରିବହନ ସଂସ୍ଥା ଓ ଚିଲିକା ଉନ୍ନୟନ କର୍ତୃପକ୍ଷ ମଧ୍ୟ ଅନୁଧ୍ୟାନ କରି ରିପୋର୍ଟ ଦେଇଥିଲେ। ହେଲେ ସରକାର ଏହା ଉପରେ କି କାର୍ଯ୍ୟାନୁଷ୍ଠାନ ନେଲେ କେଜାଣି, ଆଜି ବି ବ୍ୟବସ୍ଥାରେ ସେଭଳି କିଛି ପରିବର୍ତ୍ତନ ଘଟିନାହିଁ, ଏକଥା ଗତକାଲିର ଦୁର୍ଘଟଣା ସୂଚାଇ ଦେଇଛି।

ଏଥିସହିତ ରାଜ୍ୟରେ ନୌ ପରିବହନ ବ୍ୟବସ୍ଥାର ବିକଳ ଚିତ୍ର ପଦାକୁ ଆସିଛି। ରାଜ୍ୟରେ ଦୈନିକ ପ୍ରାୟ ଦଶ ହଜାରରୁ ଅଧିକ ଲୋକଙ୍କ ଜୀବନକୁ ବାଜିରେ ଲଗାଇ ଦେଇ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ନିଧଡ଼କ ଭାବେ ବସିଯାଇଛନ୍ତି। ଜିଲ୍ଲାପାଳମାନେ ମଧ୍ୟ ଏହି ପ୍ରସଙ୍ଗଟିକୁ ଯେତିକି ଗୁରୁତ୍ୱ ଦେବା କଥା ଦେଉନାହାନ୍ତି। ଚିଲିକାରେ ଯେଉଁ ପରିସ୍ଥିତି, ରାଜ୍ୟର ଅନ୍ୟ ଅଞ୍ଚଳର ସ୍ଥିତି ମଧ୍ୟ ପାଖାପାଖି ସମାନ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ପାଖାପାଖି ୨୫ଶହ ଯାତ୍ରୀବାହୀ ଡଙ୍ଗା ବା ବୋଟ୍‌ ଚାଲୁଛି। ଏମାନଙ୍କ ମଧ୍ୟରୁ ୬୦%ରୁ ଅଧିକ ଡଙ୍ଗା ବା ବୋଟ୍‌ର ଲାଇସେନ୍‌ସ ନାହିଁ। ସିଂହଭାଗ ବୋଟ୍‌ ଯେତିକି ଯାତ୍ରୀ ପରିବହନ ପାଇଁ ଅନୁମତି ପାଇଛନ୍ତି, ତା’ ଠାରୁ ଢେର୍‌ ଅଧିକ ଯାତ୍ରୀକୁ ନେଇ ଯାତାୟତ କରୁଛନ୍ତି। ସେତିକି ଲାଇଫ୍‌ ଜ୍ୟାକେଟ୍‌ ରଖିନାହାନ୍ତି। ଅଗ୍ନିକାଣ୍ଡ ନିର୍ବାପକ ଯନ୍ତ୍ର ନାହିଁ କି ବୀମା ବି କରିନାହାନ୍ତି।

ଚାଞ୍ଚଲ୍ୟକର କଥା ହେଲା, ବିନା ପ୍ରଶିକ୍ଷଣରେ ରାଜ୍ୟରେ ଶହ ଶହ ବୋଟ୍‌ ଚାଳକ ଫି ଦିନ ଯାତ୍ରୀମାନଙ୍କୁ ନେବା ଆଣିବା କରୁଥିଲେ ହେଁ, ସରକାର ଏ ଦିଗଟିକୁ ଆଦୌ ଦୃଷ୍ଟି ଦେଉନାହାନ୍ତି। ଏପରିକି ବାରମ୍ବାର ଦୁର୍ଘଟଣା ଜନିତ ତଦନ୍ତ ରିପୋର୍ଟରେ ବ୍ୟବସ୍ଥାରେ ଥିବା ଏସବୁ ଘଳିଆ ସାମ୍ନାକୁ ଆସୁଛି। ଅଥଚ ମନ୍ତ୍ରୀ, ସଚିବ କିମ୍ବା ଜିଲ୍ଲାପାଳ କେହି ଏହାକୁ ଗୁରୁତ୍ୱ ଦେଉନାହାନ୍ତି। ଏହି କାରଣରୁ ନୌ ପରିବହନ ବ୍ୟବସ୍ଥାଟି ଦିନକୁ ଦିନ ବିପଜ୍ଜନକ ସ୍ଥିତି ଆଡକୁ ମୁହାଁଉଥିବା ଜଣେ ଅଧିକାରୀ କହିଛନ୍ତି। ସରକାରଙ୍କ ଏଭଳି ଖିଆଲିପଣର ଭରପୁର ଫାଇଦା ବୋଟ୍‌ ବା ଡଙ୍ଗା ଚାଳକ ଉଠାଉଛନ୍ତି।

ବାଲୁଗାଁର ଜଣେ ପୁଲିସ ଅଧିକାରୀ କହିଛନ୍ତି, ଚିଲିକାରେ ଗତକାଲି ଯେଉଁ ଡଙ୍ଗା ବୁଡିଲା, ତାହା ଯାତ୍ରୀ ପରିବହନ ଡଙ୍ଗା ଥିଲା। ଡଙ୍ଗାରେ ସର୍ବାଧିକ ୧୬ ଜଣ ପାଖାପାଖି ଯିବା କଥା। ଡଙ୍ଗାଟି ପଞ୍ଜୀକୃତ ହୋଇଛି। ତେବେ ଏ ସଂକ୍ରାନ୍ତ ଯାଞ୍ଚ ସରିନାହିଁ। ହେଲେ ଅନ୍ୟ ଜଣେ କର୍ମଚାରୀ କହିଛନ୍ତି, ଗତକାଲି ଯେତିକି ଯାତ୍ରୀ ଯାଉଥିଲେ ସେମାନେ ସମସ୍ତଙ୍କ ପାଇଁ ଡଙ୍ଗାରେ ଲାଇଫ୍‌ ଜ୍ୟାକେଟ୍‌ ନ ଥିଲା। ଚାଳକ ପ୍ରଶିକ୍ଷଣ ପାଇଛନ୍ତି କି ନାହିଁ, ତାହା ମଧ୍ୟ ଜଣାପଡିନାହିଁ।

ମିଳିଥିବା ସୂଚନା ମୁତାବକ, କେବଳ ଏହି ଯାତ୍ରୀବାହୀ ବୋଟ୍‌ ନୁହେଁ, ପ୍ରତିଦିନ ଅନେକ ମାଛ ଧରା ଡଙ୍ଗା ଚିଲିକା ସମେତ ବିଭିନ୍ନ ଅଞ୍ଚଳରେ ଖୋଲାଖୋଲି ଯାତ୍ରୀମାନଙ୍କୁ ନେବା ଆଣିବା କରୁଛନ୍ତି। ଆଉ ଏ ସଂକ୍ରାନ୍ତରେ ଥିବା ସରକାରଙ୍କ କୌଣସି ନୀତି ଅନୁପାଳନ ହେଉନାହିଁ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବୋଟ୍‌ ବା ଡଙ୍ଗା ଚାଳକଙ୍କ ପାଇଁ ଭଦ୍ରକ ଚାନ୍ଦବାଲିରେ ଗୋଟିଏ ମାତ୍ର ନାବିକ ପ୍ରଶିକ୍ଷଣ ପ୍ରତିଷ୍ଠାନ ରହିଛି। ଏଠାରେ ୩୦ଟି ସିଟ୍‌ ରହିଛି, ଯେଉଁଠାରେ ଦଶମାସ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦିଆଯାଇଥାଏ। ହେଲେ ତଥ୍ୟ କହୁଛି, ଓଡ଼ିଶାରେ ଯେତେ ଡଙ୍ଗା ବା ବୋଟ୍‌ ରହିଛି, ସେଥିରୁ ୯୦% ରୁ ଅଧିକ ପାରମ୍ପରିକ ଭିତ୍ତିରେ ବା ପୁରୁଷାନୁକ୍ରମେ ଚଳାଉଛନ୍ତି। ଯଦିଓ ପ୍ରଶିକ୍ଷଣ ପ୍ରାପ୍ତ ଚାଳକଙ୍କୁ କେବଳ ଲାଇସେନ୍‌ସ ଦିଆଯିବା କଥା, ସେହି ନିୟମଟି ଓଡ଼ିଶାରେ କଡ଼଼ାକ଼଼ଡ଼ି ଭାବେ ଅନୁସୃତ ହେଉନାହିଁ। ଅଧିକାରୀମାନେ ଲାଇସେନ୍ସ ଦେବାବେଳେ ଏହାର ଖୋଲା ଉଲ୍ଲଂଘନ କରୁଛନ୍ତି। ଓଡ଼ିଶା ବୋଟ୍‌ ରୁଲ୍‌ସ, ୨୦୦୪କୁ ନା ଡଙ୍ଗା ବା ବୋଟ୍‌ ଚାଳକ ମାନୁଛନ୍ତି ନା ରାଜ୍ୟ ସରକାରଙ୍କ ଅଧିକାରୀ। ଡ଼ଙ୍ଗା ଦୁର୍ଘଟଣାର ଏହା ସବୁଠାରୁ ବଡ଼ କାରଣ ବୋଲି ପୁଲିସ ବି ମାନୁଛି।

ନିୟମାନୁସାରେ, ବୋଟ୍‌ମାନେ ବୀମାଭୁକ୍ତ ହେବା ଉଚିତ୍‌। ଏହାଦ୍ୱାରା ଦୁର୍ଘଟଣା ଘଟିଲେ, ଯାତ୍ରୀ ବୀମା ରାଶି ପାଇପାରିବେ। ମାତ୍ର ଏକଥାଟିକୁ ମଧ୍ୟ ଶତପ୍ରତିଶତ କାର୍ଯ୍ୟକାରୀ କରାଯାଉନାହିଁ। ଏବେ ବି ରାଜ୍ୟରେ ପାଖାପାଖି ୧୨ଶହରୁ ୧୫ଶହ ଯାତ୍ରୀବାହୀ ବୋଟ୍‌ ଲାଇସେନ୍‌ସ ନବୀକରଣ କରିନାହାନ୍ତି। ମତ୍ସ୍ୟଚାଷୀଙ୍କୁ ବିଚାରକୁ ନେଲେ ଏହି ସଂଖ୍ୟା ଆହୁରି କେତେ ହଜାର ହେବ। ଫଳରେ ଦୀର୍ଘବର୍ଷର ଦଦରା ଭଙ୍ଗା ବୋଟ୍‌ ଏବେ ଗତାଗତ କରୁଛି। ଯାତ୍ରୀ ସେସବୁରେ ପରିବହନ କରୁଛନ୍ତି ଓ ମତ୍ସ୍ୟଜୀବୀମାନେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ଏହାକୁ ବ୍ୟବହାର କରୁଛନ୍ତି।

ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଡଙ୍ଗା ବା ବୋଟ୍‌ ପରିବହନ ବ୍ୟବସ୍ଥା ଏକାଧିକ ବିଭାଗ ବା ଅଧିକାରୀ ଦ୍ୱାରା ନିୟନ୍ତ୍ରିତ ହେଉଛି। ବିଡିଓଙ୍କ ଠାରୁ ଆରମ୍ଭ କରି ଅନ୍ତର୍ଦେଶୀୟ ଜଳ ପରିବହନ ସଂସ୍ଥାର ଅଧିକାରୀ, ଜଳସଂପଦ ଯନ୍ତ୍ରୀ ପ୍ରତ୍ୟକ୍ଷ ଭୂମିକା ଗ୍ରହଣ କରୁଛନ୍ତି। ହେଲେ ଏମାନଙ୍କ ମଧ୍ୟରୁ କେହି ବି ନିୟମ କଡ଼ାକଡ଼ି ପାଳନ ହେଉଛି କି ନାହିଁ, ତାହା ଦେଖୁନାହାନ୍ତି। ଫଳରେ ବାରମ୍ବାର ଅଭାବନୀୟ ପରିସ୍ଥିତି ଉପୁଜୁଛି।

ସମ୍ବନ୍ଧିତ ଖବର