ଚିଲିକା ସେଲଡକ୍‌ ଫୋକ୍‌ କାର୍ନିଭାଲର ଦ୍ୱିତୀୟ ଦିବସ

ବାଲୁଗାଁ : ଚିଲିକା ବରକୂଳସ୍ଥିତ ଓଡିଆର୍ଟ ଡକ୍ୟୁମେଣ୍ଟେସନ୍‌ ଓ ରିସର୍ଚ୍ଚ ସେଣ୍ଟରଠାରେ ଗତକାଲିଠାରୁ ଆରମ୍ଭ ହୋଇଥିବା ‘ଚିଲିକା ସେଲଡକ୍‌ ଫୋକ୍‌ କାର୍ନିଭାଲ’ର ସୋମବାର ସାଂସ୍କୃତିକ ସଂଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ରଙ୍ଗବତୀ ଓ ପଞ୍ଜାବର ଧାଙ୍ଗଡ଼ା ନୃତ୍ୟ। ପୁରୀ ରଙ୍ଗଶାଳା ଅନୁଷ୍ଠାନର କଳାକାରମାନେ ମଞ୍ଚରେ ରଙ୍ଗବତୀ ନୃତ୍ୟ ପରିବେଷଣ କରୁଥିବା ବେଳେ ଦର୍ଶକେ ଏହାକୁ ମନଭରି ଉପଭୋଗ କରିଥିଲେ। ସେହିପରି ପଞ୍ଜାବର ଧାଙ୍ଗଡ଼ା ନୃତ୍ୟ ତାଳେ ତାଳେ ଦର୍ଶକେ ଝୁମି ଉଠିଥିଲେ। ଅପରପକ୍ଷେ ପଶ୍ଚିମବଙ୍ଗ, ଗୁଜୁରାଟ, ମଣିପୁର, ଆସାମରୁ ଆସିଥିବା କଳାକାରମାନେ ନିଜ ନିଜ ଅଞ୍ଚଳର ପାରମ୍ପରିକ ଲୋକକଳା ଓ ସଂସ୍କୃତିକୁ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ। ଶୀତୁଆ ପାଗକୁ ଖାତିରି ନ କରି ଚିଲକା କୂଳରେ ପ୍ରଥମଥର ପାଇଁ ଚାଲିଥିବା ଏହି ଉତ୍ସବରେ ବହୁ ସଂଖ୍ୟାରେ ଦର୍ଶକଙ୍କ ସମାଗମ ହୋଇଥିଲା। ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓ ରାଜ୍ୟ ବାହାରରୁ ଆସିଥିବା ପ୍ରାୟ ୫୦ଟି ଦଳ ନିଜର କଳା ପ୍ରଦର୍ଶନ କରିବେ ବୋଲି ‘ପୂର୍ବାସା’ର ନିର୍ଦ୍ଦେଶକ ପ୍ରସନ୍ନ କୁମାର ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର