ଆଠମଲ୍ଲିକରେ ବାଦାମର ଅଭାବୀ ବିକ୍ରି : କୁଇଣ୍ଟାଲ୍‌ରେ ହଜାରେ କ୍ଷତି

ଚିଠି ଦେଇ ଚୁପ୍‌ ବସିଛି କୃଷି ବିଭାଗ

ଆଠମଲ୍ଲିକ : ଆଠମଲ୍ଲିକ ବାଦାମ ଚାଷୀଙ୍କୁ ସରକାରୀ ଧୋକ୍‌କା। ଚାଷ ଆରମ୍ଭରୁ ଠକିଥିଲା ସରକାରୀ ବିହନ। ଶେଷ ମୁହୂର୍ତ୍ତରେ ନିଜେ ବିହନ ଯୋଗାଡ଼ କରି ଚାଷୀ ବାଦାମ ବୁଣିଥିଲେ। ଏବେ ଅମଳ ବେଳାରେ ଚାଷୀକୁଳ ପୁଣି ସରକାରୀ ପ୍ରତାରଣାର ଶିକାର ହୋଇଛନ୍ତି। ଖୋଲିବ ଖୋଲିବ କହି ସରକାରୀ ବାଦାମ ମଣ୍ଡି ଖୋଲୁନଥିବାରୁ ଚାଷୀ ଏବେ ଦଲାଲ୍‌ଙ୍କ କବ୍‌ଜାରେ ଫସିଛନ୍ତି। ଅଭାବୀ ବିକ୍ରିକୁ ସାମ୍ନା କରିଛନ୍ତି। ଏମିତି ଯେ ଝାଳବୁହା ଅମଳକୁ କୁଇଣ୍ଟାଲ୍‌ ପିଛା ହଜାରେ ଟଙ୍କା କ୍ଷତିରେ ଦଲାଲ୍‌ ହାତକୁ ଟେକି ଦେବାକୁ ବାଧ୍ୟ ହୋଇଛନ୍ତି।

ସରକାରୀ ତଥ୍ୟ କହୁଛି, ଆଠମଲ୍ଲିକ ଏନ୍‌ଏସିର ୭୧ହେକ୍ଟର୍‌ ଓ ୭ଟି ପଞ୍ଚାୟତର ୭୦୨ ହେକ୍ଟର୍‌ ଜମିରୁ ପ୍ରାୟ ୧୩ହଜାର ୧୪୧କ୍ୱିଣ୍ଟାଲ ଅଧିକ ବାଦାମ ଫସଲ ଅମଳ ହୋଇଛି। କିନ୍ତୁ ଏତେ ସଂଖ୍ୟକ ବାଦାମକୁ ଚାଷୀ କେଉଁଠି ବିକ୍ରି କରିବେ ତାହାର ସରକାରୀ ପ୍ରାବଧାନ ଏଯାବତ୍‌ କରାଯାଇନାହିଁ। ନିୟମ କହୁଛି, ଧାନ ଭଳି ସରକାର ଚାଷୀଙ୍କ ପାଇଁ ବାଦାମ ମଣ୍ଡି ଖୋଲିବେ। ମାର୍କଫେଡ୍‌ ଜରିଆରେ ଚାଷୀଙ୍କଠାରୁ ସିଧାସଳଖ ବାଦାମ ଖରିଦ୍‌ କରି ଉଚିତ୍‌ ମୂଲ୍ୟ ଦେବେ। ଚଳିତ ବର୍ଷ ବାଦାମ କୁଇଣ୍ଟାଲ୍‌ ପିଛା ୪,୪୫୦ଟଙ୍କା ଦେବାର ଯଦିଓ ସରକାରୀ ନିୟମ ରହିଛି, କିନ୍ତୁ ଏଯାବତ୍‌ ଆଠମଲ୍ଲିକରେ ବାଦାମ ମଣ୍ଡି ଆଦୌ ଖୋଲାଯାଇ ନାହିଁ। ଗତବର୍ଷ ଯେମିତି ଚାଷୀଙ୍କୁ ମଣ୍ଡି ଖୋଲିବା କହି ଭଣ୍ଡାଇ ଦିଆଯାଇଥିଲା, ଏଥର ବି ସେମିତି ଅବସ୍ଥା ଜଳଜଳ ଦିଶୁଛି। ଗତବର୍ଷ ମଣ୍ଡି ଖୋଲିବା ପାଇଁ ଚାଷୀଙ୍କୁ ସରକାରୀ ଆଶ୍ୱାସନା ମିଳିଥିଲା। କିନ୍ତୁ ଶେଷ ଯାଏ ମଣ୍ଡି ନଖୋଲିବାରୁ ଚାଷୀମାନେ ଗତବର୍ଷ କୁଇଣ୍ଟାଲ୍‌ ପିଛା ୫,୫୦୦ଟଙ୍କାରେ ଖୁଚୁରା ବେପାରିଙ୍କୁ ବାଦାମ ବିକ୍ରି କରିଥିଲେ। ଏଥର ବି ଅମଳ ସରିଲାନି, କିନ୍ତୁ ମାର୍କଫେଡ଼୍‍ର ଦେଖାନାହିଁ। ଏଭଳି ପରିସ୍ଥିତିରେ ଖୁଚୁରା ବେପାରି ଓ ଦଲାଲ୍‌ଙ୍କ ହାତକୁ ଚାଷୀ ବାଦାମ ଟେକି ଦେବାକୁ ବାଧ୍ୟ ହେଉଛି। କୁଇଣ୍ଟାଲ୍‌ ପିଛା ସରକାରୀ ଧାର୍ଯ୍ୟ ମୂଲ୍ୟ ଚଳିତବର୍ଷ ୪,୪୫୦ ଟଙ୍କା ଥିବା ବେଳେ ଚାଷୀକୁଳ କିନ୍ତୁ ୩,୫୦୦ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। କୁଇଣ୍ଟାଲ୍‌ ପିଛା ହଜାରେ ଟଙ୍କା ଶୋଷଣର ଶିକାର ହେଉଛନ୍ତି ଚାଷୀ। ଖୁଚୁରା ବେପାରକୁ ହିସାବକୁ ନେଲେ ଗତବର୍ଷ ତୁଳନାରେ ଚାଷୀମାନେ କୁଇଣ୍ଟାଲ୍‌ ପିଛା ୨ହଜାର ଟଙ୍କା କ୍ଷତି ସହିବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର