ଉଜୁଡ଼ା ବାଦାମ କ୍ଷେତରେ ଗୋରୁ ଛାଡ଼ିଲେ ଚାଷୀ

ବ୍ରହ୍ମବରଦା : ଯାଜପୁର ବ୍ଲକ୍‌ ଅନ୍ତର୍ଗତ ଝାଲପଡ଼ା ଅଞ୍ଚଳରେ ବର୍ଷା ଅଭାବରୁ ବାଦାମ ଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ପାଣି ଅଭାବରୁ ବାଦାମ ଭଲଭାବେ ଫଳିନାହିଁ। ବିଲରୁୁ ଯାହା ବାଦାମ ମିଳୁଛି ଉପାଡ଼ିବା ଖର୍ଚ୍ଚ ତା ଠାରୁ ଅଧିକ ହୋଇଯାଉଛି। ଏଣୁ ଚାଷୀମାନେ ବାଦାମ ଗଛ ନ ଉପାଡି ବିଲରେ ଗୋରୁ ଛାଡ଼ି ଦେଉଛନ୍ତି। ଶହଶହ ଏକର ବାଦାମ ଚାଷ ନଷ୍ଟ ହୋଇଯାଇଥିବାରୁ ଚାଷୀ ମୁଣ୍ଡରେ ଚଡ଼କ ପଡିଛି।

ଯାଜପୁର ବ୍ଲକ୍‌ର ଝାଲପଡା, ରୁଦ୍ରପୁର ପଞ୍ଚାୟତର ଚାଷୀମାନେ ଧାର ଉଧାର କରି ବାଦାମ ଚାଷ କରିଥିଲେ। ତେବେ ଜଳାଭାବରୁ ବାଦାମ ଚାଷ ପୋଡି ଯାଇଛି। ଅନେକ ଜମିରେ ବାଦାମ ପାକଳ ହୋଇ ନ ପାରି ଫମ୍ପା ହୋଇଯାଇଛି। ଚଳିତ ବର୍ଷ ବାଦାମ ଚାଷରେ କ୍ଷତି ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବାଦାମ ଚାଷ କରିଥିବା ଲୋକମାନେ ବିଲରୁ ବାଦାମ ଉପାଡ଼ିବା ପାଇଁ ଚାହୁଁନାହାଁନ୍ତି। ବାଦାମ ଉପାଡିବାକୁ ମୂଲିଆ ୩ ଶହ ଟଙ୍କା ମଜୁରି ମାଗୁଥିବା ବେଳେ ଗୋଟିଏ ଦିନରେ ଯାହା ଉପାଡୁଛନ୍ତି ସେଥିରୁ ୩ ଶହ ଟଙ୍କାର ବାଦାମ ଅମଳ ହେଉନାହିଁ। ତେଣୁ ବାଧ୍ୟ ହୋଇ ବିଲରେ ଗୋରୁ ଛାଡି ଦେଉଛୁ ବୋଲି କେତେକ ଚାଷୀ କହିଛନ୍ତି। ଏହି ଚାଷରୁ ପରିବାର ପ୍ରତିପୋଷଣ ସହ ବନ୍ଧୁବାନ୍ଧବ ଏପରିକି ବର୍ଷକର ଖର୍ଚ୍ଚ ଉଠିଥାଏ। ସମବାୟ ସଂସ୍ଥା ସହ କେତେକ ଚାଷୀ ଗାଁ ମହାଜନ ଠାରୁ ମାସିକ ଦୁଇ ପ୍ରତିଶତ ସୁଧରେ କରଜ ଆଣି ଏକର ପିଛା ୫୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଥିଲେ। ମହାଜନ ଓ ସମବାୟ ସଂସ୍ଥାରୁ ଆଣିଥିବା କରଜକୁ କିପରି ସୁଝିବେ ବୋଲି ଚାଷୀମାନେ ଚିନ୍ତାରେ ପଡିଛନ୍ତି। ଲକ୍ଷାଧିକ ଟଙ୍କାର ସାର, ଖତ ଓ କୀଟନାଶକ, ବାଦାମ ମଞ୍ଜି, ମୂଲିଆ ମଜୁରି ସବୁ ପାଣିରେ ପଡ଼ିଯାଇଛି ବୋଲି ଚାଷୀମାନେ କହୁଛନ୍ତି। ଗତ ବର୍ଷ ବାଦାମର ଦାମ୍‌ ହଠାତ୍‌ କମି ଯିବାରୁ ଚାଷୀମାନେ କ୍ଷତି ସହିଥିଲେ। ଚଳିତ ବର୍ଷ ଏପରି ପରିସ୍ଥିତି ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି ।

ସମ୍ବନ୍ଧିତ ଖବର