ଭଗବାନଙ୍କ ଉପାସନା ଅହଂକାର ଦୂର କରେ

ଚିନ୍ମୟ ହନୁମତ୍‌ ମହୋତ୍ସବର ସପ୍ତମ ଦିବସ

କଟକ : ହନୁମାନ ଚାଳିଶା ଏକ ସ୍ୱୟଂସିଦ୍ଧି ସ୍ତୋତ୍ର। ଏହାକୁ ଆନ୍ତରିକତାର ସହ ପାଠ କଲେ ଭଗବାନଙ୍କୁ ପାଇବା ସହଜ ହୁଏ। ଆଉ ଭଗବାନଙ୍କୁ ବୁଝିଲେ ମଣିଷ ହୃଦୟରୁ ଅହଂକାର ଦୂର ହୋଇଯାଏ। ମଣିଷ ଦିବ୍ୟଚେତନା ପ୍ରାପ୍ତ ହୁଏ। ସମସ୍ତ ବନ୍ଧନରୁ ମୁକ୍ତି ମିଳେ ବୋଲି ବାଲିଯାତ୍ରା ପଡ଼ିଆରେ ଚାଲିଥିବା ଚିନ୍ମୟ ମନୁମତ ମହୋତ୍ସବର ସପ୍ତମ ସଂଧ୍ୟାରେ ଆନ୍ତର୍ଜାତିକ ଚିନ୍ମୟ ମିଶନ ମୁଖ୍ୟ ସ୍ୱାମୀ ତେଜୋମୟାନନ୍ଦ ସରସ୍ୱତୀ କହିଛନ୍ତି। ସ୍ୱାମୀଜୀ ପୁଣି କହିଲେ, ଶ୍ରୀରାମ ଆନନ୍ଦ, ସୀତା ଶାନ୍ତି, ଲକ୍ଷ୍ମଣ ବୈରାଗ୍ୟ ଏବଂ ହନୁମାନ ସେବା ଓ ସମର୍ପଣର ପ୍ରତୀକ। ହନୁମାନଙ୍କ ଆରାଧନା ସର୍ବସିଦ୍ଧି ପ୍ରଦାନ କରିବା ସହିତ ଅସମ୍ଭବକୁ ସମ୍ଭବ କରିଥାଏ ବୋଲି ସ୍ୱାମୀଜୀ ପ୍ରକାଶ କରିଥିଲେ। ଭାଗବତ ଉପାସନା ହିଁ କାମନା, ବାସନାକୁ ଦୂର କରି ସଂକଟକୁ ମୁକ୍ତି ଦିଏ। ପ୍ରତ୍ୟକ୍ଷ ହନୁମାନ ଚାଳିଶା ଓ ହନୁମାନଙ୍କ ଆରାଧନା କରିବାକୁ ସ୍ୱାମୀ ତେଜୋମୟାନନ୍ଦ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦେଇଥିଲେ।

ସପ୍ତମ ସଂଧ୍ୟାରେ ମହୋତ୍ସବ କମିଟି ଉପାଧ୍ୟକ୍ଷ ଡକ୍ଟର କିଶନଲାଲ୍‌ ଅଗ୍ରଓ୍ଵାଲ, ଶାନ୍ତି କମିଟି ସଭାପତି ଦେବେନ୍ଦ୍ରନାଥ ସାହୁ, ସଂପାଦକ ଭିକାରୀ ଦାସ, ସହସଂପାଦକ ନରେଶ ସାହୁଙ୍କୁ ସ୍ୱାମୀ ତେଜୋମୟାନନ୍ଦ ସରସ୍ୱତୀ ସମ୍ବର୍ଦ୍ଧିତ କରିଥିଲେ। ମହାନଗର ଶାନ୍ତି କମିଟି ପକ୍ଷରୁ ଚିନ୍ମୟ ମିଶନ ମୁଖ୍ୟ ସ୍ୱାମୀଜୀଙ୍କ ସମେତ ଗଜପତି ଦିବ୍ୟସିଂହ ଦେବଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମାରୋହରେ ମହାରାଣୀ, ଚିନ୍ମୟ ମିଶନ ମୁଖ୍ୟ ପ୍ରଶାସକ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ, ପୁଷ୍ପା ଅଗ୍ରଓ୍ଵାଲ୍‌, ମହୋତ୍ସବ କମିଟି ସଂପାଦକ ଲକ୍ଷ୍ମଣ ସାମନ୍ତରାୟ, ଚିନ୍ମୟ ମିଶନ ଓଡ଼ିଶା ମୁଖ୍ୟ ସ୍ୱାମୀ ସଦାନନ୍ଦ ସରସ୍ୱତୀ, ସ୍ୱାମୀ କୃଷ୍ଣପ୍ରେମାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ପୂର୍ବାହ୍‌ଣରେ ଛାତ୍ରଛାତ୍ରୀଙ୍କ ପାଇଁ ‘ଜୀବନର ଲକ୍ଷ୍ୟ ହାସଲ’ଶୀର୍ଷକ କାର୍ଯ୍ୟକ୍ରମରେ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ମହାରାଜ କହିଲେ ଯେ, ନିଷ୍ଠାର ସହିତ କାଯ୍ୟ କଲେ ଲକ୍ଷ୍ୟ ପୂରଣ ହେବ। କିନ୍ତୁ ଲକ୍ଷ୍ୟ ହାସଲ ପରେ ଜୀବନକୁ ଅନ୍ୟମାନଙ୍କ ସେବାରେ ନିୟୋଜନ କରିବା ଦ୍ୱାରା ଜୀବନର ପ୍ରକୃତ ଲକ୍ଷ୍ୟ ସାର୍ଥକ ହେବ ବୋଲି ସ୍ୱାମୀ ସ୍ୱରୂପାନନ୍ଦ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କହିଲେ, ଜୀବନରେ କିଛି ଅସମ୍ଭବ ନୁହେଁ। ଲକ୍ଷ୍ୟ ପୂରଣ ପାଇଁ ଧୈର୍ଯ୍ୟ, କଠୋର ପରିଶ୍ରମ ସହିତ ଏକନିଷ୍ଠ ସାଧନା ଆବଶ୍ୟକ ବୋଲି ଡକ୍ଟର ସାମନ୍ତ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ଆସନ୍ତାକାଲି ସକାଳ ୬ଟାରୁ ମଧ୍ୟାନ୍ନ ୧୨ଟା ପର୍ଯ୍ୟନ୍ତ ହନୁମାନ ମହାଯଜ୍ଞ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର